ବିଜେଡିରେ ଦଳଡିଆଁଙ୍କୁ ଗୁରୁତ୍ତ୍ୱ,ଅଚିହ୍ନା ମୁହଁ ଭରସାରେ ବିରୋଧି

ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀ ଲାଗି ରାଜ୍ୟର ତିନି ପ୍ରମୁଖ ଦଳ ପ୍ରାର୍ଥି ଘୋଷଣା କରିସାରିଲା ପରେ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି ହୋଇଛି। ଚଳିତ ନିର୍ବାଚନରେ ସିଧାସଳଖ ଭୋଟର୍ ପ୍ରାର୍ଥୀ ଚୟନ କରୁଥିଲା ବେଳ ସନ୍ତୁଷ୍ଟ କରିପାରିନି ପ୍ରାର୍ଥିଚୟନ ପ୍ରକ୍ରିୟା। ରାଜନୀତିରେ ବିଶେଷ ସମ୍ପୃକ୍ତି ନଥିବା ମୁହଁଙ୍କୁ ପ୍ରାର୍ଥୀ କରାଯାଇଛି। ଭୁବନେଶ୍ୱର ସହ ଜଡିତ ଥିବା ପୁରୁଖା ନେତାଙ୍କୁ ଅଣଦେଖା କରିଛନ୍ତି ସମସ୍ତ ଦଳ। ସବୁ ଅନୁମାନକୁ ଭୁଲ୍ ପ୍ରମାଣିତ କରି ସମ୍ଭାବ୍ୟ ନାଁକୁ କାଟି ଆଲୋଚନାରେ ନ ଥିବା ନାଁରେ ମୋହର ମାରିଛନ୍ତି ବିଜେଡି,କଂଗ୍ରେସ ଓ ବିଜେପି। ମେୟର୍ ପଦବୀ ପାଇର୍ ଅନେକ ବ୍ୟକ୍ତି ଆବେଦନ କରିଥିଲେ ହେଁ ସବୁ ଆବେଦନକୁ ଖାରଜ କରି ଭୁବନେଶ୍ୱର ପାଇଁ ତିନି ଦଳ ବାଛିଚନ୍ତି ନିଜ ପସନ୍ଦର ମୁହଁ। ତେବେ ଏ ଚେହେରା ଭୋଟରଙ୍କୁ କେତେ ପରିମାଣରେ ପ୍ରଭାବିତ କରୁଛି ତାକୁ ନେଇ ଏବେ ଅନେକ ଚର୍ଚ୍ଚା।

ପୁରୁଖାଙ୍କୁ ଅଣଦେଖା,ପ୍ରାର୍ଥି ତାଲିକାରେ ଦଳଡିଆଁ
ଭୁବନେଶ୍ୱର ମେୟର ପଦବୀ ପାଇଁ ଆଲୋଚନା ହେଉଥିବା ସବୁ ପ୍ରମୁଖ ନାଁ ଏବେ ଗୁଜବରେ ପରିଣତ ହୋଇଛି। ଭୁବନେଶ୍ୱର ସହିତ ଜଡିତ ଥିବା ବ୍ୟକ୍ତିଙ୍କୁ ଅଣଦେଖା କରିଛନ୍ତି ସମସ୍ତ ଦଳ। ପାର୍ଟୀର ସମର୍ଥକଙ୍କ ଭିତ୍ତିରେ ଭୋଟ୍ ବ୍ୟାଙ୍କ ହାତେଇବାର ରଣନୀତି ଉପରରେ ଆଧାର କରି କରାଯାଇଛି ପ୍ରାର୍ଥୀ ଚୟନ। ବିଶେଶତଃ ବିଜେଡିରେ ଏବେ ଆମଦାନୀ ନେତାଙ୍କ ଗୁରୁତ୍ୱ ବୃଦ୍ଧି ପାଇଛି। ଦଳ ଗଠନ ଦିନଠୁ ଏପର୍ଯ୍ୟନ୍ତ ପଡ଼ି ରହିଥିବା ନେତାମାନଙ୍କୁ କ୍ରମାଗତ ଭାବେ ସୁଚିନ୍ତିତ ଢଙ୍ଗରେ ଅଣଦେଖା ଓ ଗୁରୁତ୍ୱହୀନ କରାଯାଉଥିବାବେଳେ ଅନ୍ୟ ଦଳରୁ ଡିଆଁ ମାରୁଥିବା ନେତାଙ୍କୁ ବିଜେଡି ପଦପଦବୀ ଦେଇ ତୁଷ୍ଟୀକରଣ କରୁଛି। ଦଳରେ ଦୀର୍ଘ ଦିନ ଧରି ରହିଥିବା ନେତାମାନେ କଠିନ ପରିଶ୍ରମ କରି ସଂଗଠନକୁ ସୁଦୃଢ଼ କରୁଥିଲେ ମଧ୍ୟ ସେମାନଙ୍କୁ ବିଜେଡି ସୁପ୍ରିମୋ ଓ ତାଙ୍କ ଟିମ୍ ଏଭଳି ଅଣଦେଖା କରିଛନ୍ତି । ପୁର୍ବରୁ ଇତି ସାମନ୍ତ,ଶ୍ରୀମୟୀ ମିଶ୍ର ଆଦିଙ୍କ ନାଁକୁ ନେଇ ଚର୍ଚ୍ଚା ହେଇଥିଲା ବେଳେ ବାଜି ମାରିଛନ୍ତି ସୁଲୋଚନା।

ବିଜେଡିରେ କଂଗ୍ରେସ ଚେହେରା
ପୁର୍ବତନ କଂଗ୍ରେସ ନେତ୍ରୀଙ୍କୁ ପ୍ରାର୍ଥୀ କରିଛି ବିଜେଡି। ବିଜେଡିର ମେୟର୍ ପ୍ରାର୍ଥି ସୁଲୋଚନା ୨୦୧୭ ଜୁନ୍ ମାସରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ପୂର୍ବରୁ ସୁଲୋଚନା ବିଭିନ୍ନ ଗଣମାଧ୍ୟମରେ କଂଗ୍ରେସର ଚେହେରା ଭାବେ ବିଜେଡି ସୁପ୍ରିମୋ ଓ ସରକାରର ନୀତିକୁ କଡ଼ା ଭର୍ତ୍ସନା କରୁଥିଲେ। ଯୋଗଦାନ ପରେ ବିଜେଡି ତାଙ୍କୁ ମୁଖପାତ୍ର କରିବା ସହ ମହିଳା ସଂଗଠନରେ ସ୍ଥାନ ଦେଇଥିଲା। ୨୦୧୯ ସାଧାରଣ ନିର୍ବାଚନ ପରେ ତାଙ୍କୁ ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ଭାବେ ଥଇଥାନ କରିଥିଲା। ମାତ୍ର ଏବେ ଦଳ ତରଫରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି।

ଅଚିହ୍ନା ମୁହଁଙ୍କୁ ନେଇ ବିଜେଡିକୁ ଚେକ୍ ଦେଇପାରିବେ ତ ବିରୋଧି?
ପଞ୍ଚାୟତ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଫେଲ୍ ମାରିଥିଲେ ବିରୋଧି। ଉଭୟ ବିଜେପି ଓ କଂଗ୍ରେସ ଚଳିତ ପଞ୍ଚାୟତ ନିର୍ବାଚନରେ ଆଶାନୁରୁପ ସଫଳତା ହାସଲ କରିପାରିନାହାନ୍ତି। ରାଜଧାନୀ ରାଜନୀତିରେ ବି ବିରୋଧିଙ୍କ ଅଙ୍କକଶାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଅନେକ ଆଶଙ୍କା।ବିଜେଡିକୁ ଚେକ୍ ଦବାକୁ ସଫଳ ରଣନୀତି ପ୍ରସ୍ତୁ ତ କରିବା ପରିବର୍ତ୍ତେ ଅଚିହ୍ନା ମୁହଁକୁ ଆଶ୍ରା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। କଂଗ୍ରେସ ପକ୍ଷରୁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି,ଯିଏ ଦଳ ପାଇଁ ପରିଚିତ ହୋଇଥିଲେ ସୁଦ୍ଧା ସାଧାରଣ ଭୋଟରଙ୍କ ପାଇଁ ସମ୍ପୁର୍ଣ୍ର ନୁଆ ମୁହଁ। ଅନ୍ୟପାର୍ଶ୍ୱରେ ଭାରତୀୟ ଜନତା ପାର୍ଟୀ ମଧ୍ୟ ଚର୍ଚ୍ଚିତ ଚେହେରା ଲେଖାଶ୍ରୀ ସାମନ୍ତ ସିଂହାର ଆଦିଙ୍କୁ ଅଣଦେଖା କରି ସମ୍ପୁର୍ଣ୍ଣ ନୁଆ ମୁହଁ ସୁନୀତ ମୁଣ୍ଡଙ୍କୁ ପ୍ରାର୍ଥୀ କରିଛି। ଭାଇଚାରାର କଥା କହୁଥିବା ସବୁ ଦଳ ଲୋକଙ୍କ ସହ ଜଡିତ ଥିବା ବ୍ୟକ୍ତିବିଶେଷଙ୍କୁ ଅଣଦେଖା କରି ମନମୁତାବକ ପ୍ରାର୍ଥି ଚୟନ କରି ଭୋଟରଙ୍କୁ ଦଳୀୟ ଭିତ୍ତିରେ ଭୋଟ୍ ଦେବାକୁ ବାଧ୍ୟ କରୁଛନ୍ତି। ଭୁବନେଶ୍ୱର ମେୟର ପଦ ପାଇଁ ସୁଲୋଚନା, ମଧୁସ୍ମିତା ଓ ସୁନୀତିଙ୍କ ମଧ୍ୟରେ ଲଢ଼େଇରେ କଣ ଫଳାଫଳ ଆସୁଛି ତାହା ଉପରେ ସମସ୍ତଙ୍କ ନଜର।
Connect With Us