ଓଡ଼ିଶା ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ସାଜିଛି ଦୁଷ୍କର୍ମ ମାମଲା। ରାଜ୍ୟରେ ଦୁଷ୍କର୍ମ ମାମଲା ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି। ଗତ ରାଜ୍ୟର ବିଭିନ୍ନ ଥାନାରେ ୩ ବର୍ଷରେ ୧୫ ହଜାର ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ୨୦୧୯ରୁ ୨୦୨୨ ଭିତରେ ୧୦ ହଜାର ୧୨୯ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ସବୁଠାରୁ ଚିନ୍ତାଜନକ ସାଜିଛି ନାବାଳିକା ଦୁଷ୍କର୍ମ ମାମଲା । ୨୦୧୯ରୁ ୨୦୨୨ ଭିତରେ ୫ ହଜାର ୫୮୪ଟି ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏପରି ତଥ୍ୟ ରଖିଛନ୍ତି।ଏ ପ୍ରସଙ୍ଗ ସମସ୍ତଙ୍କୁ ବ୍ୟଥିତ କରିଛି।
ଦୁଷ୍କର୍ମ ମାମଲାରେ ଶୀର୍ଷରେ ପୁରୀ: ଦ୍ୱିତୀୟରେ ରାଜଧାନୀ ଓ ତୃତୀୟରେ ଯାଜପୁର
ରାଜ୍ୟରେ ହୁ ହୁ ହୋଇ ଦୁଷ୍କର୍ମ ମାମଲା ବୃଦ୍ଧି ପାଉଛି। ମନ୍ତ୍ରୀ ତୁଷାରକାନ୍ତିଙ୍କ ତଥ୍ୟ ଅନୁସାରେ ରାଜ୍ୟର ବିଭିନ୍ନ ଥାନାରେ ୨୦୧୯ରେ ୨ ହଜାର ୯୫୦ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ୨ ହଜାର ୯୮୪ ଦୁଷ୍କର୍ମ ମାମଲା ହୋଇଛି। ସେହିପରି ୨୦୨୧ରେ ୩ ହଜାର ୩୨୭ ଏବଂ ୨୦୨୨ରେ ୮୬୮ଟି ଦୁଷ୍କର୍ମ ମାମଲା ହୋଇଛି। ନାବାଳିକା ଦୁଷ୍କର୍ମ ମାମଲା ଉପରେ ନଜର ପକାଇଲେ ୨୦୧୯ରେ ୧ ହଜାର ୬୩୫ଟି ମାମଲା, ୨୦୨୦ରେ ୧ ହଜାର ୬୪୬ଟି ମାମଲା, ୨୦୨୧ରେ ୧ ହଜାର ୮୭୧ଟି ମାମଲା ଏବଂ ୨୦୨୨ରେ ଏପର୍ଯ୍ୟନ୍ତ ୪୩୨ଟି ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଦୁଷ୍କର୍ମ ମାମଲାରେ ପୁରୀ ଶୀର୍ଷରେ ଥିଲାବେଳେ ଭୁବନେଶ୍ୱର ଦ୍ୱିତୀୟ ଓ ଯାଜପୁର ତୃତୀୟ ସ୍ଥାନରେ ରହିଛି। ରାଜ୍ୟରେ ବ୍ୟାପକ ଆଇନ ସୁବିଧା ସତ୍ତ୍ୱେ ଏପରି ଦୁର୍ଭାଗ୍ୟଜନକ ଘଟଣା ସାରା ଓଡ଼ିଶାକୁ ଲଜ୍ଜିତ କରିଛି।