ପ୍ରଥମ ଥର ପାଇଁ କାହିଁକି ଓ କିପରି ଓଡିଶାରେ ଲାଗୁ ହୋଇଥିଲା ରାଷ୍ଟ୍ରପତି ଶାସନ

ଆମ ଦେଶର ସମ୍ବିଧାନରେ ରାଷ୍ଟ୍ରପତି ଶାସନ ନିମନ୍ତେ ନିୟମଗତ ମଞ୍ଜୁରୀ ରହିଛି। ବିଭିନ୍ନ କାରଣରୁ ଦେଶରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥାଏ। ଅନେକ ସମୟରେ ରାଜ୍ୟରେ ମଧ୍ୟ ରାଷ୍ଟ୍ରପତି ଶାସନ ଲାଗୁ ହୁଏ। ରାଜ୍ୟ ରାଜନୀତିର ଅବସ୍ଥା ଅନିୟନ୍ତ୍ରୀତ ହେଲେ ଏଭଲି ଆଇନସମତଃ ପଦକ୍ଷେପ ନିଆଯାଏ। ଓଡିଶାରେ ମଧ୍ୟ ଅତୀତରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ରାଜନୈତୀକ ଚକ୍ରାନ୍ତର ପରିଣତି ସ୍ୱରୁପ, ରାଜ୍ୟ ମନ୍ତ୍ରୀମଣ୍ଡଳରୁ କ୍ଷମତା ହସ୍ତାନ୍ତର ହୋଇ ଶେଷରେ ରାଷ୍ଟ୍ରପତିଙ୍କ ହାତରେ ଶାସନ ଡୋରୀ ରହିଥିଲା।

ଫେଲ୍ ମାରିଥିଲା ବିଜୁଙ୍କ ଚାଲ୍
ବିଜୁ ପଟ୍ଟନାୟକଙ୍କ ସମୟରେ ତାଙ୍କ ନେତୃତ୍ବରେ କଂଗ୍ରେସର ଯୁବଗୋଷ୍ଠୀ କ୍ଷମତାକୁ ଆସିବା ପାଇଁ ବ୍ୟାକୁଳ ହୋଇ ପଡ଼ିଥିଲେ । ବିଜୁ ପଟ୍ଟନାୟକ, ବୀରେନ ମିତ୍ର ଓ ନୀଳମଣି ରାଉତରାୟ ଡକ୍ଟର ମହତାବଙ୍କର ବିରୋଧୀ ହୋଇଯାଇଥିଲେ। ଏମାନେ କଂଗ୍ରେସ-ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେବା ପାଇଁ ଅହରହ ଉଦ୍ୟମ କରିଥିଲେ। ଏମାନେ ହିଁ ଡକ୍ଟର ମହତାବଙ୍କୁ ବମ୍ବେ ରାଜ୍ୟପାଳରୁ ଆଣି ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଇଥିଲେ। ପୁଣି ଏମାନଙ୍କ ଉଦ୍ୟମରେ ହିଁ କଂଗ୍ରେସ ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରୀମଣ୍ଡଳ ଗଠନ କରାଯାଇଥିଲା। ଡକ୍ଟର ମହତାବଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ନିଜର କିଛି ବ୍ୟକ୍ତିଗତ ସ୍ବାର୍ଥ ସାଧନ କରିବାକୁ ବିଜୁବାବୁ ମନେ ମନେ ଠିକ୍ କରିଥିଲେ ବୋଲି କୁହାଯାଏ।କିନ୍ତୁ ତାଙ୍କର ଏ ଚାଲ୍ ସଫଳ ହୋଇ ପାରି ନଥିଲା।
ଡକ୍ଟର ମହତାବ ନୀତି ବିରୁଦ୍ଧରେ ଯାଇ ଦଳୀୟ ଲୋକଙ୍କର ସ୍ବାର୍ଥ ରଖିବାକୁ ଅନିଚ୍ଛୁକ ହେଲେ। ତେଣୁ ଏହି ମିଳିତ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେବା ପାଇଁ ପୂରା ଦମ୍ରେ ଚେଷ୍ଟା ଅବ୍ୟାହତ ରହିଥିଲା । ଏଥିପାଇଁ ବିଜୁବାବୁ ଓ ବୀରେନ୍ବାବୁ ବ୍ୟକ୍ତିଗତ ଭାବରେ ନିଜ ଦଳର ବିଧାନସଭା ସଭ୍ୟମାନଙ୍କୁ ଭେଟି ପ୍ରଭାବିତ କରିବାରେ ଲାଗିଥିଲେ। ସେମାନଙ୍କର ଉଦ୍ଦେଶ୍ୟ ଥିଲା, କଂଗ୍ରେସ ବିଧାୟକ ଦଳର ସଦସ୍ୟମାନଙ୍କର ବହୁମତ ନେଇ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେବା । କିନ୍ତୁ ସେଥିରେ ସେମାନେ ସଫଳ ହୋଇ ପାରିଲେ ନାହିଁ ।ବିଜୁ ପଟ୍ଟନାୟକଙ୍କ ଗୋଷ୍ଠୀ ଯେନ ତେନ ପ୍ରକାରେଣ କଂଗ୍ରେସ କମିଟି ସଭାପତି ପଦକୁ ଛଡାଇ ଆଣିବା ପାଇଁ ଚେଷ୍ଟାକରିଥିଲେ । ସେଥିରେ ସଫଳ ହାଇ ବିଜୁ ପଟ୍ଟନାୟକ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ନିର୍ବାଚିତ ହେଲେ ।

ବିଜୁ ପଟ୍ଟନାୟକ କଂଗ୍ରେସ ସଭାପତି ହେବାରୁ ତାଙ୍କ ଅନୁଗାମୀମାନେ କଂଗ୍ରେସ-ଗଣତନ୍ତ୍ର ପରଷିଦ ମିଳିତ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେବା ପାଇଁ ପାର୍ଟି ବୈଠକରେ ଏକ ପ୍ରସ୍ତାବ ଗୃହୀତ କରାଇନେଲେ । କଂଗ୍ରେସ ଦଳ ମିଳିତ ମନ୍ତ୍ରୀମଣ୍ଡଳରୁ ଓହରି ଆସିବା ପାଇଁ ସ୍ଥିର ହେଲା। ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବା ନିଶ୍ଚିତ ହୋଇଗଲା ମିଳିତ ମନ୍ତ୍ରୀମଣ୍ଡଳ ନ ଚାଲିଲେ ରାଷ୍ଟ୍ରପତି ଶାସନ ଜାରି ହେଉ, କିନ୍ତୁ ଅନ୍ୟ ଦଳରୁ ସଭ୍ୟ ଆଣି କଂଗ୍ରେସରେ ମିଶାଇ ଆଉ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠନ କରାନଯାଉ ବୋଲି ମୁଖ୍ୟମନ୍ତ୍ରୀ ଡକ୍ଟର ମହତାବଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ମତ ପୋଷଣ କଲେ। କିନ୍ତୁ ବିଜୁ ପଟ୍ଟନାୟକ ଗୋଷ୍ଠୀର ଏକା ଜିଦ୍ ଯେ, ମିଳିତ ମନ୍ତ୍ରୀମଣ୍ଡଳ ଭଙ୍ଗାଯାଇ କଂଗ୍ରେସ ଏକାକୀ ସଂଖ୍ୟାଗରିଷ୍ଠ ଦଳ ଭାବରେ ରାଜ୍ୟ ଶାସନ ନିୟନ୍ତ୍ରଣ କରିବ। ଏହିସବୁ କାରଣରୁ ବିଜୁ ପଟ୍ଟନାୟକଙ୍କ କ୍ୟାମ୍ପ ଓ ଡକ୍ଟର ମହତାବଙ୍କ କ୍ୟାମ୍ପରେ ଘନ ଘନ ଆଲୋଚନା ଚାଲିଥାଏ। ଫଳରେ କଂଗ୍ରେସ ଦଳରେ ଫାଟ ସୃଷ୍ଟି ହେଲା।
ଡକ୍ଟର ମହତାବ ଏପରି ପରିସ୍ଥିତିରେ ଅତିଷ୍ଠ ହୋଇପଡ଼ିଲେ। ଆଉ ଅଧିକ କାଳ ମନ୍ତ୍ରୀମଣ୍ଡଳକୁ ନ ରଖିବା ପାଇଁ କେନ୍ଦ୍ରର ଅନୁମତି ଲୋଡିଲେ। ଦଳ ଭିତରେ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ଧାରଣ କଲା। ଦିନକୁ ଦିନ ଦଳରେ ଅସ୍ଥିରତା ବୃଦ୍ଧି ପାଇବାରେ ଲାଗିଲା। ଏ ସବୁକୁ ହୃଦୟଙ୍ଗମ କରି ଡକ୍ଟର ମହତାବ ୧୯୬୧ ମସିହା ଜାନୁଆରି ୨୪ ତାରିଖରେ ଓଡ଼ିଶାର ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁକ୍ତଙ୍କରଙ୍କୁ ଭେଟି ମିଳିତ ମନ୍ତ୍ରୀମଣ୍ଡଳର ଇସ୍ତଫା ପ୍ରଦାନ କଲେ। ରାଜ୍ୟପାଳ ମିଳିତ ମନ୍ତ୍ରୀମଣ୍ଡଳର ଇସ୍ତଫା ଗ୍ରହଣ କରିନେଲେ। ବିକଳ୍ପ ମନ୍ତ୍ରୀମଣ୍ଡଳ ଗଠନ ପାଇଁ ସେ ଦ୍ବିତୀୟ ବୃହତ୍ତମ ଦଳ ଗଣତନ୍ତ୍ର ପରିଷଦର ନେତା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ଆମନ୍ତ୍ରଣ କଲେ। ହେଲେ ଗଣତନ୍ତ୍ର ପରିଷଦର ନେତା ଏଥିରେ ଅସାମର୍ଥ୍ୟ ପ୍ରକାଶ କଲେ। ଫଳରେ ରାଜ୍ୟରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଶାସନ ଜାରି ହେଲା ।
Connect With Us