ବିପଦରେ ଓଡ଼ିଶାର ଐତିହ୍ୟ। କଳା ଓ ସ୍ଥାପତ୍ୟ ଓଡ଼ିଶାର ଏକ ପ୍ରମୁଖ ପରିଚୟ ହୋଇଥିଲା ବେଳେ ଧିରେଧିରେ ଏସବୁ ଉଜୁଡ଼ିବାରେ ଲାଗିଛି। ମନ୍ଦିର ମାଳୀନି ସହରରେ ମନ୍ଦିର ଅସୁରକ୍ଷିତ। ସ୍ଥାପତ୍ୟର ସୁରକ୍ଷା ପାଇଁ ରାଜକୋଷରୁ ପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ ହେଉଥିଲେ ସୁଦ୍ଧା ସୁରକ୍ଷିତ ନାହିଁ ମନ୍ଦିର। ବାରମ୍ବାର ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଥିଲା ବେଳେ  ଶ୍ରୀଲିଙ୍ଗରାଜ ମନ୍ଦିରରେ ମଧ୍ୟ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଲିଙ୍ଗରାଜ ମନ୍ଦିର ପ୍ରତି ASI ର ଚରମ ଅବହେଳା ମନ୍ଦିର ପ୍ରତି ବିପଦ ଆଣିଛି।

ଦାୟିତ୍ୱ ଭୁଲୁଛି କି ASI?
ସ୍ଥାପତ୍ୟର ସୁରକ୍ଷାର ଦାୟିତ୍ୱ ASI ର। ମାତ୍ର ଏ ସଂସ୍ଥା ଏବେ କଳା ସ୍ଥାପତ୍ୟକୁ ଉଜୁଡ଼ାଇବାରେ ଲାଗିଛି। ଲଗାତର ଭାବେ ଶ୍ରୀମନ୍ଦିର ସୁରକ୍ଷାରେ ଫେଲ୍ ମାରିଛି ASI। କେବେ ମନ୍ଦିରରେ ଫାଟ ଦେଖାଯାଉଛି ତ ପୁଣି କେବେ ପଥର ଖସୁଛି। ASI ର ଦାୟିତ୍ୱହୀନତାର ଅଭାବ ହେତୁ ଉଜୁଡୁଛି ମନ୍ଦିର ସ୍ଥାପତ୍ୟ। ଲିଙ୍ଗରାଜ ମନ୍ଦିରକୁ ନେଇ ASIର ଚରମ ଅବହେଳା ଦେଖିବାକୁ ମିଳିଛି। ଅସ୍ଥାୟୀ କବାଟ ଲଗାଇବା ବେଳେ ସିଂହଦ୍ୱାର ନିକଟ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଗର୍ଭଗୃହ ଦ୍ୱାରବନ୍ଧରେ ସୃଷ୍ଟି ହୋଇଥିବା ଫାଟ ବଢିବାରେ ଲାଗିଛି। ମନ୍ଦିର ସିଂହଦ୍ୱାରର ପ୍ରବେଶ ପଥ ଉପରେ ଥିବା ମଝି କଳସ କଡ଼ରେ ପଥରର ମଧ୍ୟ ବଡ଼ ଫାଟ ରହିଛି। ଏହି ଫାଟ ଦିନକୁ ଦିନ ଲମ୍ବି ଚାଲିଛି। ବହୁ ବର୍ଷ ହେଲା ମୁଖ୍ୟ ମନ୍ଦିରର ଗର୍ଭଗୃହର ଦ୍ୱାର ବନ୍ଧ ସ୍ଥିତ ଚନ୍ଦ୍ରଶୀଳା ନିକଟରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ଏହାକୁ ତୁରନ୍ତ ମରାମତି କରାନଗଲେ ଫାଟ ଉପରକୁ ଥିବା ପାଟପଥର ଖସିଯିବାର ଆଶଙ୍କା ରହିଛି। ଦ୍ୱାରବନ୍ଧ ମଧ୍ୟ ଭୁଶୁଡ଼ି ଯିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ରକ୍ଷଣାବେକ୍ଷଣର ଅଭାବ ହେତୁ ବାରମ୍ବାର ଏଭଳି ଚିତ୍ର ସାମ୍ନାକୁ ଆସିଛି। ରକ୍ଷଣାବେକ୍ଷଣ ଦାୟିତ୍ୱ ASIର ସଂସ୍ଥାର କର୍ତ୍ତବ୍ୟ ହୋଇଥିଲା ବେଳେ କାହିଁକି ଅଧିକାରୀ ମାନେ ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି ଓ ମନ୍ଦିର ପ୍ରଶାସନ କିଭଳି ଏତେବର୍ଷର ଫାଟକୁ ସହ୍ୟ କରି ଆସୁଛି ତାକୁ ନେଇ ଏବେ ବିରାଟ ପ୍ରଶ୍ନବାଚୀ।
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା