ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଓଡ଼ିଶା ରାଜନୀତିର ଜଣେ ସକ୍ରୀୟ ରାଜନେତା ଜୟନ୍ତୀ ପଟ୍ଟନାୟକଙ୍କର ଦେହାନ୍ତ ହୋଇଛି। ସେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ। ଉଭୟ ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ୱାକ୍ଷର ରହିଛି। ସେ ଏକାଧାରରେ ଜଣେ ଅଗ୍ନିବର୍ଷୀ ନେତ୍ରୀ, ସୁସାହିତ୍ୟିକା,ଅନୁବାଦିକା,ସମାଜସେବା ଓ ବକ୍ତା ଭାବେ ସୁପରିଚିତ। ୧୯୩୨ ଏପ୍ରିଲ ୭ରେ ଗଂଜାମର ଆସ୍କା ରେ ତାଙ୍କର ଜନ୍ମ। ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା ଭାବେ ସେ ନିର୍ବାଚିତ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଜାନକୀ ବଲ୍ଳଭ ପଟ୍ଟନାୟକଙ୍କୁ ସେ ବିବାହ କରିଥିଲେ। ତାଙ୍କର ଦେହାନ୍ତରେ ରାଜ୍ୟ ତଥା ଦେଶର ପ୍ରମୁଖ ବ୍ୟକ୍ତିବିଶେଷ ଶୋକପ୍ରକାଶ କରିଛନ୍ତି।

ପତି ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ସହ ଜୟନ୍ତୀ ପଟ୍ଟନାୟକ

ସାହିତ୍ୟର ଶୀତଳ ବହ୍ନି ଥିଲେ ଜୟନ୍ତୀ
ଜୟନ୍ତୀ ପଟ୍ଟନାୟକଙ୍କ ପରିଚୟ କେବଳ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ବଳୟରେ ସୀମିତ ହୋଇ ରହି ନଥିଲା। ରାଜନୀତିରେ ଥାଇ ମଧ୍ୟ ସେ ସାହିତ୍ୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ୱାକ୍ଷର ଆଙ୍କିଥିଲେ। ୧୯୫୩ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ତାଙ୍କର ବିବାହ ଜୀବନରେ ଏକ ନୂଆ ମୋଡ ଆଣିଥିଲା। ସ୍ୱାମୀଙ୍କ ପ୍ରେରଣାରେ ସେ ଆରମ୍ଭ କରିଥିଲେ ସାହିତ୍ୟର ଯାତ୍ରା। ଜାନକୀ ବଲ୍ଳଭ ପଟ୍ଟନାୟକ କେନ୍ଦ୍ରୀୟ ରାଜନୀତିରେ ସକ୍ରିୟ ହେଲାପରେ ତାଙ୍କ ସମ୍ପାଦିତ ପୌରୁଷ ପତ୍ରିକାର ସମ୍ପାଦନା ଦାୟିତ୍ୱ ମୁଣ୍ଡାଇଥିଳେ ଜୟନ୍ତୀ। ପୌରୁଷର ପରିଚାଳନା ଓ ପ୍ରକାଶନରେ ସକ୍ରିୟ ଭୁମିକା ନେବା ସହିତ ମହାଭାରତ କାହାଣୀ କୃଷ୍ଣାବତାରର ଅନୁବାଦକ ରୁପେ ସେ ଘରେଘରେ ପରିଚିତ ହୋଇଥିଲେ। ତାଙ୍କର ଏହି ପାରଦର୍ଶିତା ପାଇଁ ତାଙ୍କୁ ମର୍ଯ୍ୟଦା ସମ୍ପନ୍ନ ମହିଳା ଗୌରବ ଉପାଧି ପ୍ରଦାନ କରାଯାଇଥିଲା।

ସ୍ୱାମୀଙ୍କ ସ୍ଥାନରେ ଲଢ଼ିଥିଲେ ଉପନିର୍ବାଚନ!
ବରିଷ୍ଠ ସାମ୍ବାଦିକ,ସୁସାହିତ୍ୟିକ ତଥା ସମ୍ପାଦକଙ୍କ ପତ୍ନୀ ଭାବରେ ଦାୟିତ୍ୱ ଲିଭାଉଥିବା ଜାନକୀଙ୍କ ପତ୍ନୀ ଜୟନ୍ତୀ ଧିରେଧିରେ ରାଜନୀତିରେ ବି ଏଣ୍ଟ୍ରି ମାରିଥିଲେ। ଏକ ଉପନିର୍ବାଚନ ହିଁ ତାଙ୍କୁ ରାଜନୀତିରେ ଦମଦାର ଏଣ୍ଟ୍ରୀର ସୁଯୋଗ ଦେଇଥିଲା। ୧୯୮୦ ସାଧାରଣ  ନିର୍ବାଚନରେ ଜାନକୀବଲ୍ଲଭ ପଟ୍ଟନାୟକ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ମାତ୍ର ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାପରେ ଲୋକସଭା ଆସନରୁ ଇସ୍ତଫା ଦେଇଥିଲେ। ସେହି ସମୟରେ ହିଁ ଉପନିର୍ବାଚନରେ କଂଗ୍ରେସର ପ୍ରାର୍ଥି ହୋଇ ସାଂସଦ ସାଜିଥିଲେ ଜୟନ୍ତୀ। ପରବର୍ତ୍ତୀ ସମୟରେ ୧୯୮୪ରେ ମଧ୍ୟ ସେ ଦ୍ୱିତୀୟଥର ପାଇଁ କଟକ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ହୋଇଥିଲା କଟକରୁ ଦୁଇଥର ଓ ବ୍ରହ୍ମପୁରରୁ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୬ରେ ଜୟନ୍ତୀ ପଟ୍ଟନାୟକ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ରାଜନୀତି,ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅନନ୍ୟ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ। ଜାନକୀ ପଟ୍ଟନାୟକ ଦୀର୍ଘଦିନ ଧରି କଂଗ୍ରେସର ନେତୃତ୍ୱ ନେଉଥିବାରୁ ଓଡ଼ିଶା କଂଗ୍ରେସର ବାପା ଭାବେ ପରିଚିତ ଥିଲା ବେଳେ ତାଙ୍କ ଧର୍ମପତ୍ନୀ ଭାବେ ଜୟନ୍ତୀ କଂଗ୍ରେସର ମା ଭାବେ ଜଣାଶୁଣା ବୋଲି ସୌମ୍ୟ ପଟ୍ଟନାୟକ ମତ ରଖିବା ସହିତ କଂଗ୍ରେସର ମା ଚାଲିଗଲେ ବୋଲି କହିଛନ୍ତି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା