ନିଜ ମା ମଟିର ସୁରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ସୁଯୋଗ୍ୟ ସନ୍ତାନଙ୍କ ଚିଠା ଓଡ଼ିଶାରେ କିଛିକମ୍ ନୁହେଁ। ଏ ମାଟି ରେ ହିଁ ରହିଛି ଦେଶର ସର୍ବକନିଷ୍ଠ ସଂଗ୍ରାମୀ ବାଜି ରାଉତଙ୍କ ଚିତା,ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମୀ ଜୟୀରାଜଗୁରୁଙ୍କ ଜୟ ଏବଂ ତା ସହିତ ସୁବାଷ ବୋଷଙ୍କ ଭଳି ସ୍ୱାଧୀନଚେତା ସଂଗ୍ରାମୀଙ୍କ ପରିଚୟ। ଦେଶରେ ଇଂରେଜ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେବା ପୁର୍ବରୁ ଓଡ଼ିଶାରେ ଜଳିଥିଲା ଆନ୍ଦୋଳନର ବହ୍ନି। ଏ ମାଟି ଲହୁଲୁହ,ମୁକ୍ତିବିମୁକ୍ତି,ଯୁକ୍ତିସୁକ୍ତିର ନିଆାରା ସ୍ତୁତି। ରାଜ୍ୟକୁ ସ୍ୱାଧିନତାର ମାଟିରେ ଭିଜାଇଥିବା ସେହି ସଂଗ୍ରାମୀ ଆଜି ଅତୀତ ଓ ଇତିହାସ। ଦେଶର ସ୍ୱାଧୀନତା ପାଇଁ ଅନେକ ବୀର ଜୀବନ ବଳିଦାନ ଦେଇଛନ୍ତି। ଯାହାଙ୍କପାଇଁ ଏ ମାଟି ବୀରତା ଦିବସ ପାଳୁଛି। ତା ମଧ୍ୟରୁ ଏମିତି କିଛି ସଂଗ୍ରାମୀ ବି ଅଛନ୍ତି ଯିଏ ଆଜି ବି ସ୍ୱାଧିନତା ସଂଗ୍ରାମର ଇତିହାସ କି ଓଡ଼ିଶା ଇତିହାସ ପୃଷ୍ଠାରେ ସ୍ଥାନ ପାଇନାହାନ୍ତି।
୪୭ ବର୍ଷ ଧରି ରାଜନୈତିକ ବନ୍ଦୀ,ତଥାପି ଅଲୋଡ଼ା
ହୀରାଖଣ୍ଡ ଅର୍ଥାତ୍ ସମ୍ବଲପୁରର ସୁରେନ୍ଦ୍ର ସାଏଙ୍କୁ ତ ସମସ୍ତେ ଜାଣନ୍ତି। ମାତ୍ର ତାଙ୍କଠୁ ବି ଅଧିକ ୧୦ ବର୍ଷ କାରାବରଣ କରିଥିବା ସଂଗ୍ରାମୀ ଭାଇ ଉଦନ୍ତ ସାଏ ଇତିହାସ ପାଇଁ ଅଲୋଡ଼ା। ଖିଣ୍ଡାରୁ ଖଣ୍ଡା ଉଠାଇଥିବା ଉଦନ୍ତ ଇଂରେଜ ବିରୋଧି ସଂଗ୍ରାମ ପାଇଁ ଅନେକ କଷ୍ଟ ସହିଛନ୍ତି। ୮୨ ବର୍ଷର ଜୀବନକାଳ ଭିତରେ ବିଭିନ୍ନ ପର୍ଯ୍ୟାୟରେ ସେ ୪୭ ବର୍ଷ ଜେଲ ଦଣ୍ଡ ଭୋଗିଛନ୍ତି। ଦେଶରେ ଏତେ ସମୟ କାହାକୁ ବି ଜେଲ୍ ଦଣ୍ଡ ଦିଆଯାଇ ନାହିଁ। ୧୮୧୭ରୁ ୧୮୪୦ ଯାଏଁ ଇଂରେଜ ବିରୁଦ୍ଧରେ ଲଢିଲା ପରେ ହଜାରୀବାଗ ଜେଲରେ ସଜା କାଟିଥିଲେ ସୁରେନ୍ଦ୍ର ସାଏ ଓ ଉଦନ୍ତ ସାଏ। ୧୮୫୭ରେ ମୁକ୍ତି ପାଇବା ପରେ ବି ସଂଗ୍ରାମରେ ବିରାମ ଦେଇ ନଥିଲେ। ସଂଗ୍ରାମରେ ବିଫଳ ହୋଇ ସନ୍ଧି କରି ୧୮୬୪ ଜାନୁୟାରୀ ୨୨ରେ ଷଡଯନ୍ତ୍ରରେ ସାଏ ପରିବାରକୁ ଗିରଫ କରି ରାୟପୁରରେ ବନ୍ଦୀ କରାଯାଇଥିଲା। ସୁରେନ୍ଦ୍ର ସାଏଙ୍କ ସମେତ ତାଙ୍କ ଭାଇ ଉଦନ୍ତ,ଧ୍ରୁବ,ମେଦିନି,ପୁଅ ମିତ୍ରଭାନୁଙ୍କ ହାତରେ ହାତକଡି ପଡିଥିଲା। ଅସୀରଗଡ ଦୁର୍ଗରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସୁରେନ୍ଦ୍ରସାଏ ଓ ମେଦିନି। ଅସୀରଗଡରେ ୨୮ ବର୍ଷ ୧୯୩ ଦିନ ବନ୍ଦୀ ଜୀବନ କଟାଇବା ପରେ ୧୮୯୪ ରେ ଉଦନ୍ତସାଏଙ୍କର ର ମୃତ୍ୟୁ ହୋଇଥିଲା। ଏହା ସମେତ ହଜାରୀବାଗରେ ୧୭ ବର୍ଷ, ରାୟପୁର,ସମ୍ବଲପୁର ନାଗପୁରରେ ବର୍ଷେ ୧୩୬ ଦିନକୁ ମିଶାଇ ସେ ସମୁଦାୟ ୪୭ ବର୍ଷ ବନ୍ଦୀ ଜୀବନ କାଟି ବିଶ୍ୱର ସବୁଠୁ ଅଧିକ ସମୟ ରାଜନୈତିକ ବନ୍ଦୀ ଜୀବନ କଟାଇଥିଲେ ବି ତାଙ୍କୁ ଉପଯୁକ୍ତ ମାନ୍ୟତା ବା ଐତିହାସିକ ସ୍ୱୀକୃତି ମିଳିନି। ଯାହାକୁ ନେଇ ବିଭିନ୍ନ ମହଲରେ ଦାବୀ ଉଠୁଛି।
ଜୀବନଠୁ ସ୍ୱାଧିନତାକୁ ଅଧିକ ଭଲ ପାଉଥିଲେ ମାଧୋ ସିଂହ
ବରଗଡ ଜିଲ୍ଲା ଘେଁସର ମାଧୋ ସିଂ ଓ ତାଙ୍କ ପରିବାରର ମୁକ୍ତି ସଂଗ୍ରାମରେ ବୀରଗାଥା ଜାତୀୟ ଇତିହାସରେ ନିଆରା ଦୃଷ୍ଟାନ୍ତ। ଘେଁସରୁ ଆରମ୍ଭ ଆନ୍ଦୋଳନ ଦେଶର ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗ ଦେଇଥିଲା ଏବଂ ଲୋକଙ୍କ ସୁରକ୍ଷା ସହ ଦେଶର ଅଖଣ୍ଡତା ପ୍ରତି ଏହି ବୀର ଶହୀଦଙ୍କ ଅସୀମ ତ୍ୟାଗ ସର୍ବଦା ପ୍ରେରଣା ଦାୟୀ। ମାଧୋ ସିଂ ହେଉଛନ୍ତି ଦେଶର ଏମିତି ଜଣେ ସଂଗ୍ରାମୀ ଯାହାର ସପରିବାର ଆନ୍ଦୋଳନରେ ଝାସ ଦେଇଥିଲେ। ସେ ଥିଲେ ବୀର ସୁରେନ୍ଦ୍ର ସାଏଙ୍କ ସାଥି। ନିଜ ଜୀବନ ଅପେକ୍ଷା ସ୍ୱାଧିନତାକୁ ଭଲ ପାଉଥିବା ମାଧୋ ସିଂ,ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିଥିଲେ। ବରଗଡ଼ ଜିଲ୍ଲାର ଘେଁସ ଜମିଦାର ମାଧୋ ସିଂଙ୍କ ସ୍ୱାଧିନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ତାଙ୍କ ୪ ପୁତ୍ର କୁଞ୍ଜଲ ସିଂ, ହଟେ ସିଂ, ଐରୀ ସିଂ, ବୈରୀ ସିଂ ଏବଂ ଜ୍ଵାଇଁ ନାରାୟଣ ସିଂ ସହୀଦ ହୋଇଥିଲେ। ସେ ଥିଲେ ସିଙ୍ଗଡାଦୁର୍ଗର ସିଂହ। ସେତେବେଳେ ନାଗପୁରରୁ ସମ୍ବଲପୁର ଯାଉଥିବା ଗୋଳାବାରୁଦ ଓ ସୈନ୍ୟଙ୍କୁ ନିପାତ କରିବାରେ ମାଧୋ ସିଂଙ୍କ ପରିବାର ଅଣ୍ଟା ଭିଡିଥିଲେ। ତତ୍କାଳୀନ ଇଂରେଜ ଶାସକଙ୍କର ଅନ୍ୟାୟରେ ପ୍ରଜାମାନଙ୍କ ଉପରେ ଅତ୍ୟଧିକ କର ବସାଇବା ବିରୁଦ୍ଧରେ ପ୍ରତିବାଦ କରି ଯେପରି ଭାବେ ନିର୍ବିକାର ଭାବରେ ସଂଗ୍ରାମ କରିଥିଲେ,ତାଙ୍କର ଅବଦାନ ଇତିହାସର ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଯେପରି ଅଦମ୍ୟ ସାହସ ଓ ବୀରତ୍ୱର ପରାକାଷ୍ଠା ଦେଖାଇ ଦୁର୍ଦ୍ଧାନ୍ତ ଭାବେ ଲଢିଥିଲେ, ତାହା ଆଜି ଦୀର୍ଘ ଦିନ ପରେ ଓଡିଶାର ସାଧାରଣ ଜନତାଙ୍କୁ ଉଦ୍ବେଳିତ କରୁଛି।
ବରଗଡ଼ର ବୀରପୁତ୍ର ମାଧୋସିଂହ
୧୮୫୭ ସିପାହୀ ବିଦ୍ରୋହ ସମୟରେ ଇଂରେଜ ଶାସନ ବିରୁଦ୍ଧରେ ଲଢିବା ପାଇଁ ଏକ କେନ୍ଦ୍ରୀୟ ନୀତି ପ୍ରସ୍ତୁତ କରିବା ପାଇଁ ସବୁ ଜମିଦାର ବୀର ସୁରେନ୍ଦ୍ର ସାଏଙ୍କ ସହଯୋଗ କରି ସେ ଓ ତାଙ୍କ ପରିବାର ସହୀଦ ହୋଇଥିଲେ। ମାଧୋ ସିଂହ ସାଜିଥିଲେ କର୍ଣ୍ଣେଲଙ୍କ ଭୟର କାରଣ। ଉଡ୍ ବ୍ରିଜଙ୍କ ମୁଣ୍ଡ କାଟି ଗଛରେ ଝୁଲାଇଥିବା ବୀର ହେଉଛନ୍ତି ମାଧୋ ସିଂହ ।୧୮୫୮ ଡିସେମ୍ବର ୩୧ ରେ ଫାଶି ଖୁଣ୍ଟରେ ଚଢ଼ିଥିଲେ ମାଧୋ ସିଂହ। ସଂପ୍ରତି ଶହୀଦ୍ ମାଧୋ ସିଂଙ୍କ ଫାଶୀ ଦିବସକୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତିବର୍ଷ ବୀରତା ଦିବସ ରୂପେ ପାଳନ କରାଯାଉଛି । ଦେଶ ଆଜାଦୀର ଅମୃତ ମହୋତ୍ସବ ପାଳୁଥିଲା ବେଳେ ଆଶ୍ୱାସନାର ଗାଥା ଗାଉଛି ମାଧୋ ସିଂହଙ୍କ ପରିବାର। ତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା କ‘ଣ ଆମ ସମସ୍ତଙ୍କ ସାମୁହିକ କର୍ତ୍ତବ୍ୟ ନୁହେଁ?
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା