ବିପଦରେ ବନ୍ୟଯନ୍ତୁ। ଓଡିଶାରେ ଧିରେଧିରେ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି। ବ୍ୟାଘ୍ର ସଂରକ୍ଷଣ ପାଇଁ ଦିନେ ସାରା ବିଶ୍ୱରେ ଉଦାହରଣ ପାଲଟିଥିବା ଶିମିଳିପାଳରେ ଆଶ୍ଚର୍ଯ୍ୟଜନକ ଭାବେ ବାଘ ସଂଖ୍ୟା ହ୍ରାସ ପାଇ ୨୮ରେ ସୀମିତ ରହିବା ସମସ୍ତଙ୍କୁ ଚକିତ କରିଛି। ଚଳିତ ସପ୍ତାହରେ ଓଡିଶାର ତିନି ଜାଗାରୁ କଲରାପତରିଆ ବାଘର ଛାଲ ଜବତ ହେବା ପ୍ରସଙ୍ଗ ବନ୍ୟଜନ୍ତୁଙ୍କ ପ୍ରତି ଥିବା ବିପଦକୁ ବୟାନ୍ କରୁଛି। ୫ ମେ’ ରେ ବଲାଙ୍ଗୀରରୁ ଜଣେ ଅପରାଧି, ୯ ଅପ୍ରେଲ’ରେ ନୟାଗଡରୁ ବିପିନ ନାୟକ ଓ ମାର୍ଚ୍ଚ ୧’ରେ ମାଫିଆ ପବିତ୍ର ନାୟକକୁ ବାଘଛାଲ ଚାଲାଣ ଅଭିଯୋଗରେ ଗିରଫ କରିଛି ପୁଲିସ। ଗୋଟାଏ ସପ୍ତାହରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଞ୍ଚଳରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ବୁଡିପଦା ଗାଁରୁ ବାଘଛାଲ ଜବତ ହେବା ଘଟଣା ଦୃତ ସଂଖ୍ୟାରେ ବାଘସଂଖ୍ୟା ହ୍ରାସ ପାଉଥିବା ସ୍ପଷ୍ଟ କରୁଛି।

ଜବତ ହୋଇଥିବା ବାଘ ଛାଲ

ଶିମିଳିପାଳରେ ବାଘ ମରୁଡି!
ଭାରତର ପ୍ରମୁଖ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଶିମିଳିପାଳରେ ବାଘଙ୍କ ସଂଖ୍ୟା ଦୃତ ଗତିରେ ହ୍ରାସ ପାଉଛି। ୨୦୦୭ ରେ ଶିମିଳିପାଳରେ ବାଘସଂଖ୍ୟା ୧୦୭ରୁ ୩୦ କୁ ହ୍ରାସ ପାଇବା ଓ ଅଚାନକ ୨୦୧୪ରେ ବର୍ଦ୍ଧିତ ସଂଖ୍ୟା ୧୯୨ରୁ ହ୍ରାସ ପାଇ ୨୮ ରେ ପହଞ୍ଚିବା ବିଭାଗୀୟ ଅଧିକାରୀ ତଥା ସରକାରଙ୍କୁ ସନ୍ଦେହ ପରିସରକୁ ଟାଣୁଛି। ସାରା ବିଶ୍ୱରେ ରେକର୍ଡ କରିଥିବା ବ୍ୟାଘ୍ର ସଂରକ୍ଷର କେନ୍ଦ୍ରର ଏହି ବିପର୍ଯ୍ୟସ୍ତ ସ୍ଥିତି ପଶୁପ୍ରେମୀଙ୍କୁ ଚିନ୍ତାରେ ପକାଇଛି। ସେହିଭଳି ନନ୍ଦନକାନନରେ ମଧ୍ୟ ବାଘଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚଳିତ ବର୍ଷ ଏପ୍ରିଲ୍ ୧୨ରେ  ବର୍ଷକର ବାଘଛୁଆ ବିବେକର ଚିକିତ୍ସାରେ ଅବହେଳା ହେତୁ ମୃତ୍ୟୁ ହେବା ସହ ତିନୋଟି ବାଘଙ୍କ ମୃତ୍ୟୁ ଘଟିଛି।

ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଫେଲ୍
ବ୍ୟାଘ୍ର ସଂରକ୍ଷଣ ନାଁରେ ଉଭୟ ଓ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବର୍ଷ ୫ ରୁ ୬ କୋଟି ଖର୍ଚ୍ଚ କରୁଛନ୍ତି।ଏତେସବୁ ସତ୍ତ୍ୱେ ମଧ୍ୟ ଦୃତ ଗତିରେ ବାଘସଂଖ୍ୟା ହ୍ରାସ ପାଉଛି। NTCA (National Tiger Conservation Authority)ର ରିପୋର୍ଟ ଅନୁଯାୟୀ ଓଡିଶାରେ ବ୍ୟାଘ୍ର ସଂଖ୍ୟାର ଅଭିବୃଦ୍ଧି ହାର ସର୍ବନିମ୍ନ ହୋଇ ରହିଛି। ବିଶ୍ୱ ତୁଳନାରେ ଭାରତରେ ୭୦ ପ୍ରତିଶତ ବାଘ ଥିଲାବେଳେ ଓଡିଶାରେ ମାତ୍ର ୧ ପ୍ରତିଶତ ରହିଛି। ମାଫିଆଙ୍କ ପାଦୁର୍ଭାବ,ସରକାରୀ ଉଦାସୀନତା,ସରକାରୀ ଅଧିକାରୀଙ୍କ ଦାୟିତ୍ତ୍ୱ ହୀନତା ଓ ଇଛାଶକ୍ତିର ଅଭାବ ହିଁ ବାଘସଂଖ୍ୟା ହ୍ରାସର ପ୍ରମୁଖ କାରଣ ପାଲଟିଛି। କମ୍ୟୁନିଟି ପାର୍ଟିସିପେସନକୁ ଗୁରୁତ୍ତ୍ୱ ଦିଆଯାଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସମ୍ପୃକ୍ତ ଅପରାଧିଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରାଗଲେ ଏ ସମସ୍ୟାର ସମାଧାନ ହୋଇପାରିବ।