ସୌନ୍ଦର୍ଯ୍ୟକରଣ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ:ସଙ୍କଟରେ ଶ୍ରୀମନ୍ଦିର ଗର୍ଭଗୃହ କାନ୍ଥ

ସଙ୍କଟରେ ଶ୍ରୀମନ୍ଦିର ସୁରକ୍ଷା। ପରିକ୍ରମା ପ୍ରକଳ୍ପ ଉପରେ ସରକାର ଧ୍ୟାନ କେନ୍ଦ୍ରିତ କଲା ବେଳେ ମନ୍ଦିର ଭିତରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ମନ୍ଦିର ଭିତର ଅସୁରକ୍ଷିତ ଥିବା ଅନୁମାନ କରାଯାଉଛି। ଗର୍ଭଗୃହ କାନ୍ଥରୁ ପଲସ୍ତରା ଛାଡିଯାଇଥିବା ଦେଖିବାକୁ ମିଳିଛି। ପାଖାପାଖି ଦେଢ଼ କିଲୋ ଓଜନର ପ୍ଲାଷ୍ଟର ଖସିଛି। ବଳଭଦ୍ରଙ୍କ ପ୍ରତିମା ପଛପଟୁ ଏହି ପ୍ଲାଷ୍ଟର ଖସିଛି। ଶ୍ରୀଅଙ୍ଗରେ ଆଘାତ ଲାଗି ନଥିଲେ ବି ଏହାକୁ ନେଇ ଭକ୍ତ ଗହଣରେ ଅସନ୍ତୋଷ ଦେଖାଯାଇଛି।

ପରିକ୍ରମା ପ୍ରକଳ୍ପ ପ୍ରେମରେ ସରକାର:ମାତ୍ର ଗର୍ଭଗୃହ?
ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରିଥିଲା ବେଳେ ମନ୍ଦିର ସୁରକ୍ଷା ନିମନ୍ତେ ସେତିକି ଚିନ୍ତିତ ନଥିବା ଅନୁଭୁତ ହେଉଛି। କିଛିଦିନ ତଳେ ଚୁଲି ଘଟଣା ହେଉଛି ଏହାର ବଳିଷ୍ଠ ପ୍ରମାଣ। କଡା ସୁରକ୍ଷା ସତ୍ତ୍ୱେ ତିରିଶିରୁ ଉର୍ଦ୍ଧ୍ୱ ଚୁଲି ଭଙ୍ଗା ଘଟଣା ସେ ସମୟରେ ପ୍ରଶାସନିକ ବ୍ୟବସ୍ଥାକୁ ପ୍ରଶ୍ନ ଘେରରେ ପକାଇଥିଲା। ଏବେ ଗର୍ଭଗୃହ କାନ୍ଥରୁ ପ୍ଲାଷ୍ଟର ଖସିଲା ପରେ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ଆଗକୁ ପ୍ରବଳ ବର୍ଷାର ସମ୍ଭାବନା ଥିବା ହେତୁ ଫାଟ ପଟେ ପାଣି ପଶି ମନ୍ଦିର ଅଧିକ କ୍ଷତିଗ୍ରସ୍ଥ ହୋଇପାରେ। ମନ୍ଦିର ବାହାରର ସୌନ୍ଦର୍ଯ୍ୟକରଣ ସହିତ ଭିତରର ସୁରକ୍ଷା ଅଧିକ ଜରୁରୀ। ମୌଳିକତାର ଗୁରୁତ୍ତ୍ୱକୁ ଉପଲବ୍ଧି କରି ସରକାର ଏ ଦିଗରେ ଅଧିକ ଚେଷ୍ଟିତ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବି ଦାବୀ କରିଛନ୍ତି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us