ମନ୍ତ୍ରିମଣ୍ଡଳରୁ ବିଦା ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ତେବେ ଏଯାଏଁ ସ୍ପଷ୍ଟ ହୋଇନାହିଁ, ରୋହିତ ପୂଜାରୀଙ୍କୁ ଇସ୍ତଫା ଦେବାକୁ କୁହାଗଲା? ନା’ ମୁଖ୍ୟମନ୍ତ୍ରୀ, ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ପରିଷଦରୁ ବିଦା କରିଛନ୍ତି? କିନ୍ତୁ ଆଲୋଚନା ହେଉଛି ଯେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବରେ ରୋହିତଙ୍କ ପ୍ରଦର୍ଶନ ଖରାପ ଥିଲା, ସେଥିପାଇଁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡିଛି।
ନବଙ୍କ ହତ୍ୟା ପାଇଁ କିଏ ଦେଇଛି ଇସ୍ତଫା ?
ତେବେ ପ୍ରଦର୍ଶନକୁ ନେଇ ମନ୍ତ୍ରୀ ପଦ ହରାଇବା ଥିଓରୀ ଆଦୌ ବିଶ୍ୱାସଯୋଗ୍ୟ ନୁହେଁ। କାରଣ ସଚିବ କେନ୍ଦ୍ରିକ ସରକାରରେ, ମନ୍ତ୍ରୀମାନଙ୍କ କ୍ଷମତା ସଂକୁଚିତ ବୋଲି ଓଡ଼ିଶାବାସୀ ଜାଣିଛନ୍ତି। ଏହାସହ ମାତ୍ର ଗୋଟିଏ ବର୍ଷର କାର୍ଯ୍ୟକାଳରେ ରୋହିତଙ୍କ ମନ୍ତ୍ରୀ ପଦର ପ୍ରଦର୍ଶନକୁ ଆକଳନ କରିବା ସମ୍ଭବ ନୁହେଁ। ସେହିଭଳି ପ୍ରଦର୍ଶନ ଆଧାରରେ ଯଦି ମନ୍ତ୍ରୀ ପଦ ଯାଉଥାନ୍ତା, ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପରେ, ଗୃହବିଭାଗର ଦାୟିତ୍ୱରେ ଥିବା ନବୀନ ପଟ୍ଟନାୟକ,ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥାନ୍ତେ। ନଚେତ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମନ୍ତ୍ରିମଣ୍ଡଳରୁ ବହିସ୍କାର ହୋଇଥାନ୍ତେ। ତେଣୁ ରୋହିତ ପୂଜାରୀଙ୍କୁ ହଟାଯିବା ପଛରେ ଅନ୍ୟ କାରଣ ନିଶ୍ଚେ ରହିଛି।
ସୁଶାନ୍ତଙ୍କ ସହ ଶୀତଳ ଯୁଦ୍ଧ
ତେବେ ଶୀତଳ ଷଷ୍ଠୀ ସମୟରୁ ରୋହିତ ପୂଜାରୀଙ୍କୁ ଆଭାସ ମିଳି ସାରିଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକରେ ସେ ନାହାଁନ୍ତି। ଗତ ମାସ ଶେଷ ସପ୍ତାହରେ ସମ୍ବଲପରରେ ଶୀତଳ ଷଷ୍ଠୀ ପର୍ବ ମହାଆଡ଼ମ୍ବର ପାଳନ ହେଉଥିଲା। କିନ୍ତୁ ସମ୍ବଲପୁର ଜିଲ୍ଲାର ହୋଇ ମଧ୍ୟ ରୋହିତ ପୂଜାରୀଙ୍କୁ ଦାୟିତ୍ୱ ଦେଇନଥିଲା ବିଜେଡି। ଶୀତଳ ଷଷ୍ଠୀ ପର୍ବ ପାଳନ ସମୟରେ ସମନ୍ୱୟ ରଖିବା ପାଇଁ ନିରଞ୍ଜନ ପୂଜାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେହିଭଳି ଝାରସୁଗୁଡ଼ା ଉପନିର୍ବାଚନର ପ୍ରଚାରରୁ ରୋହିତଙ୍କୁ ଦୂରେଇ ରଖିଥିଲା ବିଜୁ ଜନତା ଦଳ।
ସଞ୍ଜୟଙ୍କ ରାସ୍ତାରେ ରୋହିତ
ନେତାଙ୍କ ବୟସ ସୀମା ୬୦ ବର୍ଷରୁ ଅଧିକ ନହେବା ମନ୍ତବ୍ୟ, ହୁଏତ ରୋହିତଙ୍କ ପାଇଁ ବୁମେରାଂ ହୋଇଛି। କିନ୍ତୁ ରେଢ଼ାଖୋଲର ବିଧାୟକ ରୋହିତ ପୂଜାରୀଙ୍କ ସଂପର୍କ, ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ସହ ଭଲ ନାହିଁ। ସୁଶାନ୍ତଙ୍କ ଦୃଢ଼ ସମର୍ଥକ, ପ୍ରଣବ ପ୍ରକାଶ ଦାସ(ବବି),ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ହେବା ପରେ, ଦଳୀୟ ସଂଗଠନରେ କୋଣଠେସା ହେଉଥିଲେ ରୋହିତ। ତେବେ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପଦରୁ ହଟିବା ପରେ, ମନ୍ତ୍ରୀପଦକୁ ନେଇ ରୋହିତ ଚୁପ ଥିଲେ।
ଯୁବ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ରୋହିତ ପୂଜାରୀ, ମନ୍ତ୍ରୀ ପଦ ହରାଇବା ପରେ ସମ୍ବଲପୁର ଜିଲ୍ଲା ଏବେ ମନ୍ତ୍ରୀ ଶୂନ୍ୟ ହୋଇଗଲା। ତେବେ କଂଗ୍ରେସର ସଂଗଠନକୁ ସାଥିରେ ଆଣି ସମ୍ବଲପୁର ଜିଲ୍ଲାରେ ବିଜେଡିକୁ ବିଜୟୀ କରାଉଥିବା ରୋହିତ, ମନ୍ତ୍ରୀ ପଦ ବିଦାକୁ ସହଜରେ ଗ୍ରହଣ କରିନେବେ ତ? ନା’ସଞ୍ଜୟ ଦାସବର୍ମାଙ୍କ ପରି ବିଦ୍ରୋହୀ ମୁଦ୍ରାକୁ ଆସିବେ ? କାରଣ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦରୁ ବିଦା ହେବା ପରେ ସଞ୍ଜୟ ଦାସବର୍ମା ଏବେ ଅସୁଖୀ। ବର୍ତ୍ତମାନ ସଞ୍ଜୟଙ୍କ ପାଇଁ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବିଜୁ ଜନତା ଦଳ ବ୍ୟାକ୍ ଫୁଟରେ ରହିଛି। ସେହିଭଳି ଅସନ୍ତୁଷ୍ଟ ରୋହିତଙ୍କ ପାଇଁ ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲାରେ ବିଜେଡି କ୍ଷତିରେ ପଡିବ ନାହିଁ ତ ?