ବ୍ରଜରାଜନଗର ଉପନିର୍ବାଚନରେ ପ୍ରାର୍ଥୀ ଅଳକା ମହାନ୍ତି ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ପ୍ରାୟ ୬୬ ହଜାର୨୨୫ ଭୋଟରେ ସେ ପରାଜିତ କରିଛନ୍ତି। ଅଳକା ମହାନ୍ତି ୯୩,୭୯୦ଟି ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ୨୭,୫୬୫ ଓ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୨୨,୩୧୬ ଖଣ୍ଡ ଭୋଟ୍ ପାଇଛନ୍ତି। ଗତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଥିବା ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଚଳିତ ଉପନିର୍ବାଚନରେ ତୃତୀୟ ସ୍ଥାନରେ ରହିଛନ୍ତି।
ବିଜେପିକୁ ଓଭରଟେକ୍ କଲା କଂଗ୍ରେସ: ୨୦୧୪ ନିର୍ବାଚନରେ ଦ୍ୱିତୀୟରେ ଥିବା ବିଜେପି ଏଥର ତୃତୀୟରେ
ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ବ୍ରଜରାଜନଗରରେ ଉପନିର୍ବାଚନ ବିଗୁଲ୍ ବାଜିଥିଲ। ଅଳକା ମହାନ୍ତି ହେଉଛନ୍ତି ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ। ବିଜେଡି ତରଫରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା। କିଶୋର ପଟେଲଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ। ସେ କଂଗ୍ରେସ ସରକାର ସମୟରେ ମନ୍ତ୍ରୀ, ବିଧାନସଭା ବାଚସ୍ପତି ପଦରେ ରହିଥିଲେ। ୨୦୧୪ ନିର୍ବାଚନରେ ବିଧାୟକ ଅନୁପ ସାଏ କଂଗ୍ରେସ ଛାଡ଼ି ବିଜେଡିରୁ ଏହି ଆସନରେ ଲଢ଼ିଥିବା ବେଳେ କଂଗ୍ରେସ ଶ୍ରୀ ପଟେଲଙ୍କୁ ଏଠାରେ ଟିକେଟ ଦେଇଥିଲା। ତେବେ ଶ୍ରୀ ପଟେଲ ୩୮ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ବିଜେପି ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡା ୨୦୧୪ରେ ବ୍ରଜରାଜନଗର ଆସନରୁ ଜିତି ବିଧାୟକ ହୋଇଥିଲେ।। ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି, ୮୦ହଜାରରୁ ଅଧିକ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୬୮ହଜାର ୧୫୩ ଭୋଟ ପାଇଥିଲେ। ୧୧ ହଜାର ୬୩୪ ଭୋଟରେ ବିଜେଡି ବିଜୟ ହାସଲ କରିଥିଲା। ମାତ୍ର ଚଳିତ ଥର ବିଜେପି ତୃତୀୟ ସ୍ଥାନରେ ରହିଛି। ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ଭୋଟ୍ ୬୮ହଜାର ୧୫୩ରୁ ୨୨ହଜାର ୩୧୬କୁ ହ୍ରାସ ପାଇଛି।