ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ଇତିହାସ ଢେର୍ ପୁରୁଣା। ମୁଭି ମେକିଂରେ ଓଡ଼ିଶାର ସଫଳତା ଅନ୍ୟରାଜ୍ୟ ତୁଳନାରେ ଖୁବ୍ ଆଗରେ। ଓଡ଼ିଶାର ଏମିତି ଅନେକ ଚଳଚ୍ଚିତ୍ର ଅଛି ଯାହା କେବଳ ରାଜ୍ୟ ନୁହେଁ ବରଂ ରାଜ୍ୟ ବାହାରେ ମଧ୍ୟ ରେକର୍ଡ କରିଛି। ଏପରିକି କିଛି ଫିଲ୍ମର କାହାଣୀକୁ ନେଇ ଅନ୍ୟ ଭାଷାରେ ମଧ୍ୟ ଫିଲ୍ମ ତିଆରି ହୋଇଛି। ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ପୁରସ୍କାର ଜିତିଥିବା ସମ୍ବଲପୁରୀ ଫିଲ୍ମ ଓଡ଼ିଆ ଭାଷାରେ ରିଲିଜ୍ ହୋଇଛି। ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ଏହା ମୁକ୍ତିଲାଭ କରିଛି।
ବଲିଉଡରୁ ଓଲିଉଡ
ସମ୍ବଲପୁରୀ ଭାଷାରେ ନିର୍ମିତ ‘ଶଲା ବୁଢାର ବଦଲା’ ଜାତୀୟ ପୁରସ୍କାର ପାଇଲା ପରେ ସାରା ଦେଶରେ ଏହାକୁ ପ୍ରଶଂସା କରିଥିଲେ ଚଳଚ୍ଚିତ୍ର ପ୍ରେମୀ। ହୀନ୍ଦି ଭାଷାରେ ମଧ୍ୟ ଏ ଫିଲ୍ମ ମୁକ୍ତିଲାଭ କରି ଢେର ପ୍ରଶଂସା ସରଉଁଟିଥିଲା। ଏବେ ସେହି ଫିଲ୍ମ ଓଡ଼ିଆ ଭାଷାରେ ରିଲିଜ ହୋଇଛି। ଓଡିଶାର ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ହେଉଛି ଏକ ନିଆରା କାହାଣୀ ଓ ହୃଦୟସ୍ପର୍ଶୀ ସିନେମା। ପ୍ରଥମରୁ ଜବରଦସ୍ତ ପ୍ରଶଂସା ପାଇଥିବା ଶଲା ବୁଢାର ବଦଲା ଦୁବାଇ ଏକ୍ସପୋ-୨୦୨୦ରେ ୱାର୍ଲଡ ପ୍ରିମିୟର ପୁରସ୍କାର ପାଇଛି।
ଏହା ହେଉଛି ଏକ ଜଟିଳ ମାନବ ଭାବନା ଓ ସମ୍ପର୍କର ଚିତ୍ର। ଯେଉଁଥିରେ ଅଛି ଭରପୁର କମେଡି ଓ ସସପେନ୍ସ। ସ୍ୱର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ଅଭିନୀତ ଏହି ଫିଲ୍ମକୁ ପୂର୍ବରୁ ବହୁ ପ୍ରଶଂସା ଓ ପୁରସ୍କାର ମିଳିଛି। ଆଗକୁ ମଧ୍ୟ ଏହା ଅନେକ ଦର୍ଶକଙ୍କ ପାଖରେ ପହଞ୍ଚିବ ବୋଲି ‘ଶଲା ବୁଢାର ବଦଲା’ ଟିମ ଆଶାବାଦୀ ଅଛନ୍ତି।