ବର୍ତ୍ତମାନ ସାଉଥ୍‌ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘ପୁଷ୍ପା’କୁ ନେଇ ସବୁଠି କ୍ରେଜ୍‌। ଦେଶ ବିଦେଶରେ ସବୁଠି ‘ପୁଷ୍ପା’ର ଝଲକ ଦେଖିବାକୁ ମିଳୁଛି। କିଏ ‘ପୁଷ୍ପା’ ଗେଟ୍‌ଅପ୍‌ରେ ଆସୁଛି ତ ଆଉ କିଏ ଗୀତରେ ଝୁମୁଛି।‘ପୁଷ୍ପା’କୁ ନେଇ ପାଗଳ ହୋଇଛି ସାରା ଦୁନିଆ। ଏପରି ସ୍ଥିତିରେ ‘ପୁଷ୍ପା’କୁ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(STA) ଏକ ଉପଦେଶମୂଳକ ଟ୍ୱିଟ୍‌ ଜାରୀ କରିଛି।

“ପୁଷ୍ପା ହେଉ କି ପୁଷ୍ପରାଜ! ବିନା ହେଲମେଟ ଚାଲାଣ ସମସ୍ତଙ୍କର କଟିବ”
ଏସ୍‌ଟିଏ ପକ୍ଷରୁ ହୋଇଥିବା ଟ୍ୱିଟ୍‌ରେ ବାଇକ ଚଳାଇବା ବେଳେ ହେଲମେଟ୍‌ ପିନ୍ଧିବା ଲାଗି ପରାମର୍ଶ ଦିଆଯାଇଛି। ହେଲମେଟ୍‌ ନପିନ୍ଧିଲେ ଫାଇନ୍‌ କଟାଯିବ। ହେଲମେଟ୍‌ ନପିନ୍ଧି ଜୀବନକୁ ବିପଦରେ ପକାଉଥିବାରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। STA ନିଜର ଟୁଇଟକୁ ଏକ ସୁନ୍ଦର ଶଦ୍ଦଛନ୍ଦରେ ପ୍ରକାଶ କରିଛି। ଟ୍ୱିଟ୍‌ରେ ଲେଖାଯାଇଛି- “ପୁଷ୍ପା ହେଉ କି ପୁଷ୍ପରାଜ! ବିନା ହେଲମେଟ ଚାଲାଣ ସମସ୍ତଙ୍କର କଟିବ”।
ଦ୍ରୁତ ଗତି ମହା ବିପତ୍ତି,ଗାଡ଼ି ଚଳାଇଲା ବେଳେ ହେଲ୍‌ମେଟ୍‌ ପିନ୍ଧନ୍ତୁ,ଟ୍ରାଫିକ୍ ନିୟମ ମାନନ୍ତୁ ଆଦି ସଚେତନାତ୍ମକ ବାର୍ତ୍ତା ପରିବହନ ବିଭାଗ ନିୟମିତ ଦେଇ ଆସୁଛି।କିନ୍ତୁ ଏହାର ସଫଳ ପ୍ରତିଫଳନ ହେଇପାରୁନି। ବେପରୁଆମାନେ ଏଥିପ୍ରତି ତିଳେ ମାତ୍ର ଧ୍ୟାନ ଦେଉନାହାନ୍ତି। ସବୁ ନିୟମକୁ ଅଣଦେଖା କରି ଦ୍ରୁତ ଗତିରେ ଅନେକ ଲୋକ ଗାଡି ଚଳାଉଛନ୍ତି। ଏପରିକି ଗାଡ଼ି ଚଲାଇଲା ବେଳେ ହେଲ୍‌ମେଟ୍‌ ପିନ୍ଧୁ ନାହାନ୍ତି। ଯେଉଁଥିପାଇଁ ଦୁର୍ଘଟଣାର ଶିକାର ହୋଇ ନିଜେ ମୃତ୍ୟୁ ମୁଖରେ ପଡ଼ିବା ସହିତ ଅନ୍ୟକୁ ସାଥୀରେ ନେଇଯାଉଛନ୍ତି।ସେଇଥିପାଇଁ ରାଜ୍ୟ ପରିବହନ ବିଭାଗ ତରଫରୁ ପୁଷ୍ପା ଫିଲ୍ମର ଚର୍ଚ୍ଚିତ ଡାଏଲଗ୍ ସଚେତନାତ୍ମକ ବାର୍ତ୍ତା ଭାବେ ପ୍ରକାଶ କରାଯାଇଛି।ଏ ଡାଏଲଗ୍ ଏବେ ରାଜ୍ୟବ୍ୟାପୀ ପ୍ରଚାର ହେବାରେ ଲାଗିଛି।