ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଲେଡି ବ୍ଲାକମେଲର ଏବେ ଇଡି ଜାଲରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ନେଇ ତଦନ୍ତ ଆରମ୍ଭ କରିଛି। ଅର୍ଚ୍ଚନା ନାଗଙ୍କ ପୈତୃକ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବାସଭବନରେ ଇଡି ଚଢାଉ କରିଛି। ଏହା ସହିତ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଜଳେଶ୍ବର ଅଞ୍ଚଳରେ ଥିବା ପୈତୃକ ଘର ଓ ଭୁବନେଶ୍ୱରର ସତ୍ୟବିହାରସ୍ଥିତ ବାସଭବନ, ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କ ଘରେ ମଧ୍ୟ ଏକକାଳୀନ ଚଢ଼ାଇ ହୋଇଛି। ଇଡି ଚଡ଼ାଉ ପରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହେବା ନେଇ ଆଶା କରାଯାଉଛି। କମିଶନରେଟ ପୁଲିସ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ହୋଇଥିବା ଏତଲାର କପି ଇଡିକୁ ହସ୍ତାନ୍ତର କରିବା ପରେ ଛାନଭିନ୍ ଚାଲିଛି।
ଖୋଲିବ କି ନେତାଙ୍କ ବ୍ଲାକ୍ ଫାଇଲ୍
ଅର୍ଚ୍ଚନା ନାଗ ସହିତ ରାଜ୍ୟର ବହୁ ବରିଷ୍ଠ ନେତା ତଥା ପ୍ରଶାସକଙ୍କ ଲିଙ୍କ ରହିଥିବା ଚର୍ଚ୍ଚାହେଉଛି। ଆର୍ଥିକ ଅନଗ୍ରସର ପରିବାରରୁ ଆସି ମାତ୍ର ୨୬ ବର୍ଷ ବୟସରେ ଅପର୍ଯ୍ୟାପ୍ତ ସମ୍ପତ୍ତିର ମାଲିକ ହେବା ତାଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଛି। ଏହା ସହିତ ବ୍ଲାକମେଲିଂ ଓ ମନି ଲଣ୍ଡରିଂର ଅଭିଯୋଗ ମଧ୍ୟ ହୋଇଛି। ସିନେ ପ୍ରଯୋଜକକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ଡ଼ିମାଣ୍ଡ କରିଥିଲେ ଅର୍ଚ୍ଚନା। ଏ ସବୁ ଅଭିଯୋଗକୁ ଭିତ୍ତି କରି ଅକ୍ଟୋବର ୬ରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା। ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ପୁଲିସ ଗିରଫ କରିଥିଲା। ରାଜନୀତିଜ୍ଞ, ବ୍ୟବସାୟୀ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି ଅର୍ଚ୍ଚନା। ଭୁବନେଶ୍ୱରରେ ପାଲଟିଆ ଘର, ବିଳାସପୂର୍ଣ୍ଣ କାର ଏବଂ କୋଟି ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ତାଙ୍କର କଳା ସମ୍ରାଜ୍ୟର ଶାକ୍ଷୀ ସାଜିଛି।୨୦୧୮ ରୁ ୨୦୨୨ ମଧ୍ୟରେ ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ପ୍ରାୟ ୩୦ କୋଟି ଟଙ୍କା ସମ୍ପତ୍ତି ଜମା କରିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ଉପର ମହଲାର ଟପ୍ ଲିଡ଼ରଙ୍କ ଫଟୋମଧ୍ୟ ଭାଇରାଲ ହୋଇଛି। ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର,ଜଗନ୍ନାଥ ସାରକା,ଦିବ୍ୟ ଶଙ୍କର ମିଶ୍ର ଓ ଜୁଏଲ ଓରାମଙ୍କ ସମେତ ଅର୍ଚ୍ଚନାଙ୍କ ଫଟୋ ଦେଖିବାକୁ ମିଳୁଛି। ଅର୍ଚ୍ଚନାଙ୍କ ଏ କଳା ସମ୍ରାଜ୍ୟ ପ୍ରତିଷ୍ଠାରେ ଇଡିର ଖୋଳତାଡ ଉପର ମହଲାର ଲୋକଙ୍କ ବ୍ଲାକ୍ ଫାଇଲ ଖୋଲିପାରେ ବୋଲି ଅନୁମାନ କରାଯାଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା