ଭୁବନେଶର: ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର ଆଠଗଡ଼ର ରାଜନୈତିକ ଇତିହାସ ଫର୍ଦ୍ଦ ବେଶ ଲମ୍ବା। କିନ୍ତୁ ଓଡ଼ିଶା ରାଜନୀତିକୁ ନିୟନ୍ତ୍ରଣ କରୁଥିବା ସେହି ଆଠଗଡ଼ ପଲିଟିକ୍ସକୁ କଣ୍ଟ୍ରୋଲ କରନ୍ତି ନାହିଁ ସ୍ଥାନୀୟ ଭୋଟର। ବାହାରୁ ନେତା ଆସନ୍ତି, ଆଠଗଡ଼ରୁ ଜିତନ୍ତି ଏବଂ ରାଜ୍ୟ ଶାସନର ମଙ୍ଗୁଆଳ ହୁଅନ୍ତି। ସ୍ୱାଧୀନତା ପୂର୍ବରୁ ୧୯୪୬ରେ, କଟକ ଜିଲ୍ଲାର ଆଠଗଡ଼କୁ ଯେତେବେଳେ ଏକ ସ୍ୱତନ୍ତ୍ର ନିର୍ବାଚନ କ୍ଷେତ୍ର ଭାବେ ବିବେଚନା କରାଗଲା, ସେହି ଆସନରୁ ପ୍ରଥମେ ନିର୍ବାଚିତ ହେଲେ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ । ଗଡ଼ଜାତ ଆନ୍ଦୋଳନର କର୍ଣଧାର ପବିତ୍ର ମୋହନ ପ୍ରଧାନ ଯଦିଓ ଅବିଭକ୍ତ ଢ଼େଙ୍କାନାଳ ଜିଲ୍ଲାର ମୂଳବାସୀନ୍ଦା, କିନ୍ତୁ ଆଠଗଡ଼ ଭୋଟର ନିର୍ବାଚିତ କରିବା ସମୟରେ ପବିତ୍ର ମୋହନ ପ୍ରଧାନଙ୍କ ଦଳ କିମ୍ବା ତାଙ୍କର ବର୍ତ୍ତମାନର ଅନୁଗୋଳ ଜିଲ୍ଲା ଲିଙ୍କ୍ ଦେଖିନଥିଲେ । ତେବେ ସ୍ୱାଧୀନତା ପରେ ଆଠଗଡ଼କୁ ପ୍ରତିନିଧିତ୍ୱ କଲେ ସାମାଜ ଖବର କାଗଜର ପୂର୍ବତନ ସମ୍ପାଦକ ରାଧାନଥ ରଥ ଏବଂ ଅଚ୍ୟୁତାନନ୍ଦ ଦାସଙ୍କ ପରି ବିଧାୟକ।ପବିତ୍ର ମୋହନ ଅନୁଗୋଳରୁ, ଖୋର୍ଦ୍ଧାରୁ ଜେ.ବି
ତେବେ ୧୯୬୭ରେ ରାଧାନଥ ରଥ, ଆଠଗଡ଼ରେ ବାହାରିଆ ନେତାଙ୍କ ପାଇଁ ନିଅଁ ପକାଇ ଦେଲେ। ଶୁଣାଯାଏ ସେ ସମୟରେ ଉଭୟ ଖବର କାଗଜ ପ୍ରଜାତନ୍ତ୍ର ଏବଂ ସମାଜର ମୁଖ୍ୟ, କଂଗ୍ରେସ ନେତା ବିଜୁ ପଟ୍ଟନାୟକଙ୍କୁ ବିରୋଧ କରୁଥିଲେ। ଫଳରେ ସମାଜ ସହ ଜଡିତ ଥିବା ରାଧାନାଥ ରଥ, ନିଜେ ପ୍ରତିଦ୍ୱନ୍ଦିତା ନକରି, ପ୍ରଜାତନ୍ତ୍ର ମୁଖ୍ୟ ହରେକୃଷ୍ଣ ମହତାବଙ୍କ ଜନକଂଗ୍ରେସର ପ୍ରାର୍ଥୀ ପବିତ୍ର ମୋହନ ପ୍ରଧାନଙ୍କୁ ସମର୍ଥନ କଲେ। ଫଳରେ ପବିତ୍ର ବାବୁଙ୍କୁ ବିଜୟୀ କଲେ ଆଠଗଡ଼ ଭୋଟର। ଉପମୁଖ୍ୟମନ୍ତ୍ରୀ ହେଲେ, କିନ୍ତୁ ତାଳଚେର ଆସନକୁ ରଖି ଆଠଗଡ଼ ଆସନରୁ ଇସ୍ତଫା ଦେଲେ ପବିତ୍ର ମୋହନ ପ୍ରଧାନ। ଫଳରେ ଆଠଗଡ଼ ଦେଖିଲା ପ୍ରଥମ ଉପନିର୍ବାଚନ। ଆଉ ସେହି ଉପନିର୍ବାଚନରେ ରାଧାନାଥ ରଥ ନିର୍ଦ୍ଦଳୀୟ ଭାବେ ବିଜୟୀ ହୋଇ ଆଠଗଡ଼ରେ ବିଜୁଙ୍କ କଂଗ୍ରେସର ଚେରକୁ ଦୁର୍ବଳ କରିଦେଲେ। ପରବର୍ତ୍ତି ଦୁଇଟା ନିର୍ବାଚନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ତଥା ମାଟିର ପୁଅ ରାଧାନଥ ରଥଙ୍କୁ ବିଜୟୀ କଲେ ଆଠଗଡ଼ ଭୋଟର। ହେଲେ ବିଜୁଙ୍କ ନେତୃତ୍ୱରେ ୧୯୭୭ରେ ଜନତା ପାର୍ଟି ଟିକେଟରେ ବିଜୟୀ ହୋଇଥିଲେ ତିଗିରିଆ ରାଣୀ ରାସମଞ୍ଜରୀ ଦେବୀ। ୧୯୮୦ରେ ଆଠଗଡ଼ର ଭୋଟର କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରି ରସାନନ୍ଦ ସାହୁଙ୍କୁ ବିଜୟୀ କଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ପାଇଁ ବିଧାୟକ ପଦରୁ ଇସ୍ତଫା ଦେଲେ ରସାନନ୍ଦ ସାହୁ। ଆଠଗଡ଼ ଦେଖିଲା ଦ୍ୱିତୀୟ ଉପନିର୍ବାଚନ। ଛବିରାଣୀ ହତ୍ୟାକାଣ୍ଡ ଯୋଗୁ ଚାରିଆଡେ, କଂଗ୍ରେସ ସରକାରର ଛି-ଛାକର ହେଉଥିଲା। ତଥାପି ଆଠଗଡ଼ ଭୋଟର ଅବିଭକ୍ତ ପୁରୀ ଜିଲ୍ଲାର ଜେ.ବି ପଟ୍ଟନାୟକଙ୍କୁ ଜିତାଇଲେ। ଆଉ ୧୯୮୦-୧୯୮୯ ମସିହା ଶେଷ ପର୍ୟ୍ୟନ୍ତ ଆଠଗଡ଼ ହୋଇଗଲା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର।
ରାଜାଙ୍କ ପାଇଁ ବାଟ ଫିଟାଇଲେ ଜେ.ବି
ଲଗାତର ଦୁଇ ଥର ଜିତି ୧୦ବର୍ଷ ପ୍ରତିନିଧିତ୍ୱ କଲା ଭିତରେ ଆଠଗଡ଼କୁ କଂଗ୍ରେସ ଦୁର୍ଗ କରିଦେଲେ ଜେ.ବି। ହେଲେ କଂଗ୍ରେସର ସେହି ଅଭେଦ ଦୁର୍ଗରେ ବଙ୍କର ଖୋଲି ଦେଇଥିଲା ଜେବି ସରକାରଙ୍କ ଗୁଣ୍ଡାଗର୍ଦ୍ଦି। ୧୯୯୦ନିର୍ବାଚନରେ ଜେ.ବି ନିଜେ ପ୍ରାର୍ଥୀ ହେଲେ, ନା ଆଠଗଡ଼ରୁ କଂଗ୍ରେସରେ କେହି ପ୍ରତିଦ୍ୱନ୍ଦିତା କଲେ। ଶୁଣାଯାଏ ତତ୍କାଳୀନ ପ୍ରଦେଶ କଂଗ୍ରେସ ସଭାପତି ନନ୍ଦିନୀ ଶତପଥୀ ଆଠଗଡ଼ରେ ପରାଜୟ ନିଶ୍ଚୟ ଜାଣି, ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସହ ବିଚାର ବିମର୍ଶ କରି ଆଠଗଡ଼ରେ ପ୍ରାର୍ଥୀ ଦେଇନଥିଲା। ଫଳରେ କଟକରୁ ଆସି ରଣେନ୍ଦ୍ର ପ୍ରତାପ ଓରଫ ରାଜା ସ୍ୱାଇଁ କଂଗ୍ରେସର ଦୁର୍ଗ ଆଠଗଡ଼ରେ ଧସେଇ ପଶିଲେ। ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ କ୍ଲିନ୍ ଇମେଜ ଆଢ଼ୁଆଳରେ, ଜନତା ଦଳ ପ୍ରାର୍ଥୀ-ଯୁବନେତା ରାଜା ସ୍ୱାଇଁଙ୍କୁ ଆଠଗଡ଼ ଭୋଟର ବିଜୟୀ କରାଇଲେ। ସେବେଠୁ ଆଜି ପର୍ଯ୍ୟନ୍ତ ଅର୍ଥାତ ୬ଟି ନିର୍ବାଚନରେ ଆଠଗଡ଼ ଭୋଟର ରାଜା ସ୍ୱାଇଁଙ୍କୁ ବିଜୟୀ କରାଇ ଆସୁଛନ୍ତି। ପାଟିଲଙ୍କ ପାଇଁ ଉପନିର୍ବାଚନ
ଅବଶ୍ୟ ଆଇଏଏସ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କ ବିବାଦୀୟ ନିଷ୍ପତି ଯୋଗୁ ୨୦୦୯ରେ ରାଜା ସ୍ୱାଇଁଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା। ଆଉ ଆଠଗଡ଼ ମାଟିର ପୁଅ ରମେଶ ରାଉତ ନିର୍ଦ୍ଦଳୀୟ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ଆଠଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ରାଜେଶ ପ୍ରଭାକର ପାଟିଲଙ୍କ ନିଷ୍ପତିକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଥିଲେ। ଫଳରେ ରମେଶ ରାଉତଙ୍କ ବିଧାୟକ ପଦ ଅସିଦ୍ଧ ହୋଇଗଲା ଏବଂ ୨୦୧୨ରେ ଆଠଗଡ଼ ଦେଖିଲା ତୃତୀୟ ଉପନିର୍ବାଚନ। ପୁଣି କଟକର ମୂଳବାସୀନ୍ଦା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜୟୀ ହେଲେ। ଆଉ ଏବେ ବି ରାଜା ସ୍ୱାଇଁଙ୍କ କଣ୍ଟ୍ରୋଲରେ ରହିଛି ଆଠଗଡ଼।
ଏଥିସହ ପଢ଼ନ୍ତୁ–ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?