ବିଦ୍ୟୁତ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ। ଶକ୍ତି ବିଭାଗର ତଥ୍ୟ କହୁଛି ଗତ ଉତ୍କଳ ଦିବସରୁ ସେପ୍ଟମ୍ବର ପହିଲା ଭିତରେ ଓଡ଼ିଶାରେ ଦୈନିକ ବିଦ୍ୟୁତ ଚାହିଦା ଥିଲା ୪,୦୭୪ ମେଗାୱାଟ୍। କିନ୍ତୁ ଦୈନିକ ଉତ୍ପାଦନ ହେଉଥିଲା ୪୩୨୪ ମେଗାୱାଟ୍। ମାନେ ପ୍ରତିଦିନ ୨୫୦ ମେଗାଓ୍ୱାଟ୍ ବିଦ୍ୟୁତ ଅଧିକ ଉତ୍ପାଦନ ହେଲା। ସେଥିପାଇଁ ତ ପଡ଼ୋଶୀ ରାଜ୍ୟକୁ ବଳକା ବିଦ୍ୟୁତ ବିକ୍ରି ଚାଲିଲା। ସେହି ସ୍ଥିତି ଏବେର ଶୀତୁଆ ଋତୁରେ ମଧ୍ୟ। ଖୁସି କରିଦେଲା ଭଳି ତଥ୍ୟକୁ ଦେଖିଲେ ଯିଏ କେହି ଭାବିବେ, ଓଡ଼ିଶାରେ ପାଓ୍ୱାର କଟ୍ ହେଉନଥିବ! ଲୋ-ଭୋଲଟେଜର ସମସ୍ୟା ନଥିବ! କିନ୍ତୁ ବାସ୍ତବତା ଠିକ୍ ଓଲଟା।
ବିଦ୍ୟୁତ ସେବାରେ ସଂସ୍କାର ଆଣିବା ପାଇଁ ନବେ ଦଶକରେ ଓଡ଼ିଶା ଇଲେକ୍ଟ୍ରିସିଟ୍ ବୋର୍ଡ, OSEBର ଘରୋଇ କରଣ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ହେଲେ ବାପା ବିଜୁଙ୍କ ସ୍ୱପ୍ନକୁ, ପୁଅ ନବୀନ ପଟ୍ଟନାୟକଙ୍କ ସରକାରରେ ଅଧୁରା ରଖି ଦେଇଛି! ଏବେ ବି ଓଡ଼ିଶାର ୧୩,୪୦୦ ପଡ଼ାବାସୀ ଇଲେକ୍ଟ୍ରିସିଟ୍ କ’ଣ ଜାଣନ୍ତି ନାହିଁ। ନା’ ସେ ଗାଁ ଗୁଡିକରେ ବଲବ୍ ଜଳୁଛି, ନା ଘୁରୁଛି ଫ୍ୟାନ୍! ଯଦି ଏତେ ଗାଁକୁ ବିଦ୍ୟୁତ ସଂଯୋଗ ହେଇପାରିନି ତା’ହଲେ ବିଦ୍ୟୁତ ଉତ୍ପାଦନରେ ଓଡ଼ିଶା, ବଳକା ରାଜ୍ୟ ହେଲା କେମିତି ? ନିଜେ ନିଅଁଣ୍ଟିଆରେ ରହି, ଅନ୍ୟକୁ ବିକ୍ରି କରିବା କେଉଁ ପ୍ରକାରର ମାନସିକତା!
ପଛରେ ଉପକୂଳ, ପଶ୍ଚିମ ଓଡ଼ିଶା ସ୍ଥିତ ଭଲ
ବିଦ୍ୟୁତ ସଂଯୋଗୀ କରଣର ସ୍ଥିତି ଏମିତି ଯେ ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ବିଭନ୍ନ ଗାଁ ଅନ୍ଧାରରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ମୟୁରଭଞ୍ଜର, ୨,୫୬୧ ଗାଁ ଡିବି-ଲଣ୍ଠନ ଭରସାରେ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର ୧୫୭ଟି ପଡ଼ା ଗାଁରେ ବିଦ୍ୟୁତ ସଂଯୋଗ ହୋଇପାରିନି। ଏପରିକି ଅନୁଗୋଳ ଜିଲ୍ଲାରେ NTPC ସ୍ଥାପନ ହେବା ଫଳରେ ସାରା ଓଡ଼ିଶା ଏବଂ ରାଜ୍ୟ ବାହାରକୁ ବିଦ୍ୟୁତ ଯୋଗାଣ ହୋଇପାରୁଛି। କିନ୍ତୁ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ୯୫୧ ଗାଁ ଲୋକେ ରହୁଛନ୍ତି ଅନ୍ଧାରରେ।
ତେବେ ପୂର୍ବ ଓଡ଼ିଶା ଅପେକ୍ଷା ପଶ୍ଚିମ ଓଡିଶାର ସ୍ଥିତି ଭଲ ରହିଛି। ଉପକୂଳ ଓଡ଼ିଶାର ୩,୪୬୭ ଗାଁ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଥିଲା ବେଳେ ପଶ୍ଚିମ ଓଡ଼ିଶାର ମାତ୍ର ୩୮୮ଟି ଗାଁକୁ ବିଦ୍ୟୁତ ସଂଯୋଗ କରାଯିବ। ତେବେ ଝାରସୁଗୁଡ଼ା ଜିଲ୍ଲାବାସୀ ହିଁ କେବଳ ଓଡ଼ିଶାର ବିଦ୍ୟୁତ ସେବା ଭଲ ବୋଲି ସାର୍ଟିଫିକେଟ୍ ଦେଉଛି। ୧୯ଟି ପଡ଼ା ଗାଁରେ ବିଦ୍ୟୁତ ସେବା ପହଞ୍ଚିଗଲେ, ବିଦ୍ୟୁତ ଯୋଗାଣ ଶତ ପ୍ରତିଶତ ସଫଳ ବୋଲି ଝାରସୁଗୁଡ଼ା ସାର୍ଟିଫିକେଟ୍ ପାଇଯିବ।ଅବଶ୍ୟ ବଡ଼ ଟାର୍ଗେଟ ସ୍ଥିର କରିବାରେ ମାହିର୍ ଶକ୍ତି ବିଭାଗ କହୁଛି, ବିଜୁ ଗ୍ରାମ ଜ୍ୟୋତି ଯୋଜନାରେ ୨୦୨୩ ସୁଦ୍ଧା ଓଡ଼ିଶାର ସବୁ ଗାଁରୁ ଅନ୍ଧାର ହଟିଯିବ।