ମେ’ ୧୨ରେ ରାଜ୍ୟର ଦୁଇ ମନ୍ତ୍ରୀ ଏବଂ ବାଚସ୍ପତି ଇସ୍ତଫା ଦେଲା ପରେ ନୂତନ ମନ୍ତ୍ରୀ ମଣ୍ଡଳ ଗଠନ କରାଯାଇଛି। ମନ୍ତ୍ରୀ ସମୀର ରଞ୍ଜନ ଦାସ,ଶ୍ରୀକାନ୍ତ ସାହୁ ଏବଂ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଲା ପରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଅସ୍ଥାୟୀ ଭାବେ ପ୍ରମିଳା ମଲ୍ଲିକଙ୍କୁ ମନ୍ତ୍ରୀପଦ ଦିଆଯାଇଥିଲା।  ମନ୍ତ୍ରୀପଦକୁ ନେଇ ଅନେକ ନାଁ ଚର୍ଚ୍ଚାକୁ  ମଧ୍ୟ ଆସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନୂଆ  ଟିମରେ ପୁଣି ଥରେ ବିକ୍ରମ କେଶରୀ ଆରୁଖଙ୍କୁ ସ୍ଥାନ ଦେଇଛନ୍ତି। କ୍ୟାବିନେଟ ମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଏବଂ ଶାରଦା ନାୟକ ସ୍ଥାନ ପାଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ଫେରିଲା ମନ୍ତ୍ରୀପଦ
କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିକ୍ରମ କେଶରୀ ଆରୁଖ। ବିକ୍ରମ କେଶରୀ ଆରୁଖଙ୍କ ରାଜନୈତିକ କ୍ୟାରିୟରରେ ସେ ଭଞ୍ଜନଗରରୁ କ୍ରମାଗତ ୬ ଥର ବିଧାୟକ ହୋଇଛନ୍ତି। ୧୯୯୫ରେ ଜନତା ଦଳ ଟିକେଟରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୦. ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ବିଧାୟକ ହୋଇଛନ୍ତି।

ପୂର୍ବତନ ବାଚସ୍ପତିରୁ ଅର୍ଥମନ୍ତ୍ରୀ
ସଂସଦୀୟ ବ୍ୟାପାର, ସୂଚନା ଓ ଲୋକସଂପର୍କ, ଜଙ୍ଗଲ ଓ ପରିବେଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ବିକ୍ରମ ଆରୁଖ ଦାୟିତ୍ୱ ତୁଲାଇଛନ୍ତି। ଜୁନ ୨୦୨୨ରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲା ବେଳେ  ମେ’ ୧୨, ୨୦୨୩ରେ ବାଚସ୍ପତି ପଦରୁ ସେ ଇସ୍ତଫା ଦେଇଥିଲେ।ବାଚସ୍ପତି ଆସନ ଛାଡ଼ିଲା ପରେ ତାଙ୍କୁ ପୁଣିଥରେ ମନ୍ତ୍ରୀପଦ ମିଳିଛି। ଅର୍ଥମନ୍ତ୍ରୀ ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ସୁଦାମ ମାର୍ଣ୍ଡିଙ୍କୁ ଗଣଶିକ୍ଷା ବିଭାଗର ମନ୍ତ୍ରୀ କରାଯାଇଥିଲା ବେଳେ ଶାରଦା ନାୟକଙ୍କୁ ଶ୍ରମ ବିଭାଗ ମିଳିଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା