Odisha cabinet nod to 32 proposals

ରାଜ୍ୟ କ୍ୟାବିନେଟରେ ୩୨ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ପ୍ରତି ପଞ୍ଚାୟତ ଏବଂ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ମିଶନ ଶକ୍ତି ଭବନ ନିର୍ମାଣ କରିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ ସାମଗ୍ରୀ ବିକିବାକୁ ୫ ଶହ ଟି ମିଶନ ଶକ୍ତି ବଜାର ସ୍ଥାପନ ହେବା ନେଇ ପ୍ରସ୍ତାବ ଆଗତ ହୋଇଛି। ଏଥିସହିତ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋହର ଲାଗିଛି ।ବିଶେଷତଃ ମହିଲା ସଶକ୍ତିକରଣ କ୍ଷେତ୍ରରେ ଏହା ସୁହାଇବ ବୋଲି ଚର୍ଚ୍ଚା ହେଉଛି।

  • ଆସନ୍ତା ୫ ବର୍ଷ ପାଇଁ ମିଶନ ଶକ୍ତି ଯୋଜନାରେ ୪.୯୭୩ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୨-୨୩ରୁ ୨୦୨୬-୨୭ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ୫୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିବାର ବ୍ୟବସ୍ଥା କରାଯିବ। ଏସଏଚଜିଙ୍କୁ ୧୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ମଧ୍ୟ ରହିବ।
  • ଏସଏଚଜି ମହିଳାଙ୍କୁ ଦକ୍ଷତା ବୃଦ୍ଧି ଓ ଜୀବୀକା ନିର୍ବାହ ଉପରେ ତାଲିମ ଦିଆଯିବ।ଏଥିସହ ଲ୍ୟାଣ୍ଡ ବ୍ୟାଙ୍କ୍ ସ୍କିମ୍ ନାଁରେ ନୂତନ ଯୋଜନାକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଦ୍ୱାରା ଏକ ଲକ୍ଷ ବିଶିଷ୍ଟ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
  • ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ୧୩ ମଠ ପାଇଁ ୧.୩ ଏକର ଜମି ଦେବେ ସରକାର।
  • ବାରଙ୍ଗରେ ଟାଟା ପାୱାର କମ୍ପାନୀ ଲିମିଟେଡକୁ ଲିଜରେ ଦିଆଯାଇଥିବା ଜମିକୁ ଲ୍ୟାଣ୍ଡ ବ୍ୟାଙ୍କୁକୁ ଆଣିବା ପାଇଁ ଇଡକୋର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ଜମିକୁ ନୂଆ ଶିଳ୍ପ ଓ ଭିତିଭୂମି ପ୍ରକଳ୍ପକୁ ଆକର୍ଷିତ କରିବା ନିମନ୍ତେ ବ୍ୟବହାର କରାଯାଇପାରିବ। ଏଥିପାଇଁ ଇଡୋକକୁ ୬୨କୋଟି ୮୩ଲକ୍ଷ ଆର୍ଥିକ ସହାୟତା ଦେବେ ରାଜ୍ୟ ସରକାର।
  • ରାଜ୍ୟରେ ଥିବା ୨୪ଟି ଘରୋଇ ଉଚ୍ଚ ପ୍ରାଥମିକ ସ୍କୁଲକୁ ସରକାରୀ ଅନୁଦାନ ମିଳିବ। ଉଚ୍ଚତର ବୃତିଗତ ବୈଷୟିକ ଶିକ୍ଷାଦାନ ନିମନ୍ତେ ଡ୍ରିମସକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।
  • ଜଳସମ୍ପଦର ବିଭିନ୍ନ ବିଭାଗର ବିଭିନ୍ନ ପ୍ରସ୍ତାବ ଉପରେ ବି କ୍ୟାବିନେଟ ମୋହର ବାଜିଛି। ଆଗାମୀ ପାଂଚ ବର୍ଷ ମଧ୍ୟରେ ଏକ ଲକ୍ଷ ଡିପ ବୋରୱେଲ ସ୍ଥାପନ କରିବାକୁ ସରକାର ସ୍ଥିର କରିଛନ୍ତି।
  • ପାଣ୍ଡରାରେ ଆନିକଟ ନିର୍ମାଣ ହେବ। ଏହା ଦ୍ୱାରା ଭୁବନେଶ୍ୱର ମହାନଗର ନିଗମକୁ ପର୍ଯ୍ୟାପ୍ତ ଜଳ ଉପଲବ୍ଧ ହୋଇପାରିବ ।
  • ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ଜଳଯୋଗାଣ ପାଇ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ଦେଇଛି ।
  • ଅନୁଗୁଳରେ ମେଗା ଆଲୁମିନିୟମ ପାର୍କ ପାଇଁ ଇଡକୋକୁ ୪୨୮ କୋଟି ଦେବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ।
    ଏହି ସବୁ ଯୋଜନା କାର୍ଯ୍ୟକ୍ରମର ସଫଳ ରୁପାୟନ ରାଜ୍ୟକୁ ସମୃଦ୍ଧ କରିବ ବୋଲି ଅନୁମାନ କରାଯାଉଛି।