ନ୍ୟୁଜ୍

ନୂଆଁ ଧାନ କେ ନୂଆଁ ମନ

Nuakhai

ସମ୍ବଲପୁର: ଅଗ୍ରପୂଜ୍ୟଙ୍କୁ ଆବାହନରୁ ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଉ ଗଣେଶ ପୂଜା ପରଦିନ ପଡିଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଭାଦ୍ରପଦ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୁଏ ନୂଆଁଖାଇ । ଏଥିପାଇଁ ଆଜି(ଶୁକ୍ରବାର) ଇଷ୍ଟ ଦେବଦେବୀଙ୍କୁ ନବାନ୍ନ ଅର୍ପଣ କରାଯାଇ ନୂଆଁଖାଇ ପାଳନ କରାଯାଇଛି । ସମ୍ବଲପୁରର ଅଧିଷ୍ଟାତ୍ରୀ ମା’ ସମଲେଶ୍ୱରୀଙ୍କ ଠାରେ ସକାଳ ୮ଟା ୧୦ମିନିଟରୁ ୮ଟା ୪୦ ମିନିଟ୍ ମଧ୍ୟରେ ନୂଆ ଧାନର ନବାନ୍ନ ଭୋଗ ଲାଗି ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି ।

କୃଷିଭିତ୍ତିକ ପର୍ବ ନୂଆଁଖାଇ ପାଇଁ ସବୁଠି ଆନନ୍ଦ ଉଲ୍ଲାସ । ଗାଁ ଠାରୁ ସହର ସମସ୍ତେ ଧୂମଧାମରେ ପାଳନ କରୁଛନ୍ତି ନୂଆଁଖାଇ ପର୍ବକୁ। ପରିବାରର ସମସ୍ତ ସଦସ୍ୟ ଏକ ହୋଇଛନ୍ତି ନିଜ ଜନ୍ମମାଟିରେ ନୂଆଁଖାଇ ଅବସରରେ । ମାଟି ମଣିଷର ସଂପର୍କକୁ ଆହୁରି ନିବିଡ କରିବା ପାଇଁ ଏହି ପର୍ବର ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି । ସକାଳୁ ପରିବାରର ସଦସ୍ୟ ଗାଈଗୋରୁଙ୍କୁ ଗାଧୋଇ ଦେଇ ପୂର୍ବରୁ ପ୍ରସ୍ତୁତି ଅନୁଯାୟୀ ନିଜର ନିତ୍ୟ କର୍ମସାରି ନୂଆବସ୍ତ୍ର ପରିଧାନ କରି ପୂଜା ସାମଗ୍ରୀ ଧରି ବାହରି ପଡନ୍ତି ଧାନ ବିଲକୁ । ଖରା ବର୍ଷା ଶୀତ କାକରରେ ସବୁବେଳେ ମାଟି ସହ ସଂଘର୍ଷ କରୁଥିବା ଚାଷୀ ଧାନ ବିଲକୁ ଦେଖି ଖୁସି ହୋଇ ଯାଇଥାଏ । ଧାନ କେଣ୍ଡା ପବନ ସ୍ପର୍ଶରେ ଲହଡି ମାରି ନୂଆଁଖାଇ ପର୍ବକୁ ସ୍ୱାଗତ କରୁଥାଏ । ଆନନ୍ଦରେ ଚାଷୀ ମାଟି ମା’କୁ ଧୂପ ଦୀପ ନୈବେଦ୍ୟ ଅର୍ପଣ କରି ଧାନକେଣ୍ଡାଟିଏ ଆଣିଥାଏ । ଆଉ ସେହି ଧାନର ଚାଉଳକୁ ଗୁଡ ମିଶାଇ ନିଜର ଅଧଷ୍ଠାତ୍ରୀ ଦେବୀଙ୍କୁ ଭୋଗ ଲାଗି ଅର୍ପଣ କରିଥାଏ । ତାସହିତ ଘରେ ରୋଷେଇ ହୋଇଥିବା ନାନା ପ୍ରକାରର ସୁସ୍ୱାଦୁ ଖାଦ୍ୟ ଦେବଦେବୀଙ୍କୁ ଭୋଗ ଲାଗି ହେଇଥାଏ । ଘରର ମହିଳାମାନେ ମିଳିମିଶି ରୋଷେଇ କରିବା ସହ ପିଠା ପଣା ଇତ୍ୟାଦି ପସ୍ତୁତିରେ ମାତି ପଡି ଥାଆନ୍ତି ।

ଜିଇଁ ଜାଗିଥିଲେ ବରଷେ
ଘରର ବୟସ୍କ ବ୍ୟକ୍ତିମାନେ ନିଜର ଦେବଦେବୀଙ୍କ ପାଖରେ ଲାଗି ହୋଇଥିବା ଭୋଗକୁ ସମସ୍ତଙ୍କ ହାତକୁ ବଢାଇ ଦେଇଥାଉନ୍ତି । ପରେ ସମସ୍ତେ ଏକାଠି ମିଶି ନୂଆଁଖାଇ ଥାଆନ୍ତି । ଭିନ୍ନ ଜାତିର ଲୋକମାନେ ଭିନ୍ନ ଭିନ୍ନ ପତ୍ରରେ ନୂଆ ଖାଇବାର ପରମ୍ପରା ମଧ୍ୟ ରହିଛି । ପରେ ସାନମାନେ ବଡମାନଙ୍କୁ ଜୁହାର କରି ଆଶୀର୍ବାଦ ନେଇଥାନ୍ତି । ବଡମାନେ ରାଗଋଷାକୁ ଭୁଲି ଆଶୀର୍ବାଦ ଦେଇଥାନ୍ତି । ପରେ ଗାଁରେ ଜମିଥାଏ ଖେଳ କୁଦର ଆସର ।

NUAKHAI PHOTOମହିଳାମାନେ କଉଡି ଖେଳ,ପସାଡି ଖେଳୁ ଥିବାବେଳେ ପିଲାମାନେ କବାଡି, ଝିଅମାନେ ପୁଚି, ଖୋକୋ,ରସି ଡିଆଁ ଆଦି ଖେଳ ଖେଳି ନିଜର ସମୟକୁ ବେଶ ଉତ୍ସାହରେ କାଟି ଥାନ୍ତି । ପରେ ଗାଁରେ ହୋଇଥାଏ ଜୁହାର-ଭେଟ ପର୍ବ ସହ ଭେଟଘାଟର ଆସର ସମ୍ବଲପୁରୀ ନୃତ୍ୟଗୀତ ବାଦ୍ୟର ତାଳେ ତାଳେ ସମସ୍ତେ ହୋଇପଡିଥାନ୍ତି ମସଗୁଲ । ଏହେଉଛି ନୂଆଁଖାଇ ପର୍ବର ସ୍ୱତନ୍ତ୍ରତା । ତେବେ ପଶ୍ଚିମ ଓଡ଼ିଶାରେ ଗୋଟିଏ ଦିନ ନୁହେଁ, ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ନୂଆଁଖାଇ ପାଳନ କରାଯାଇଥାଏ । ଆଉ ବେଶ କିଛି ଦିନ ଧରି ଆୟୋଜିତ ହୁଏ ନୂଆଁଖାଇ ଓ ଜୁହାର ଭେଟ । ଆଉ ଏହା ଭାଇଚାରର ଅନନ୍ୟ ନିଦର୍ଶନ ଦେଇଥାଏ ।

You Might Also Like

No Comments

Leave a Reply