Samadurata & Naveen

ଭୁବନେଶ୍ୱର: ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ଗତକାଲି(ମଙ୍ଗଳବାର) ଦିଲ୍ଲୀରେ ବିଜେଡି ବକ୍ଷୋଭ କଲା। ବିମୁଦ୍ରୀକରଣ ଏବଂ ଜିଏସଟିରେ କେନ୍ଦ୍ର ସରକାରଙ୍କୁ ଖୋଲା ସମର୍ଥନ ଦେଇଥିବା ବିଜେଡି, ମୋଦି ସରକାରଙ୍କ ବିରୋଧରେ ଦିଲ୍ଲୀରେ ପ୍ରଥମ ବିକ୍ଷୋଭ କଲା। ଆଶା କରାଯାଉଥିଲା କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ରାଷ୍ଟ୍ରପତିଙ୍କୁ ଭେଟୁଥିବା ନବୀନ ପଟ୍ଟନାୟକ, ବିଜେପି ଲାଗି କଣ୍ଟା ସାଜିବେ। କିନ୍ତୁ ଦିଲ୍ଲୀରୁ ଭୁବନେଶ୍ୱର ପହଞ୍ଚିବା ପରେ ନବୀନଙ୍କ ମିଡିଆ ପ୍ରତିକ୍ରିୟା ବିଜେପିକୁ ଖୁସି କରିଦେଇଛି। କଂଗ୍ରେସ ନେତୃତ୍ୱରେ ମହାଗଠବନ୍ଧନରେ ବିଜେଡି ସାମିଲ ହେବ ନାହିଁ ବୋଲି କହି ବିଜେପିକୁ ବଳ ଦେଇଛନ୍ତି ନବୀନ। ଯଦିଓ ବିଜେପି ନେତୃତ୍ୱାଧିନ ଏନଡିଏରେ ବିଜେଡି ସାମିଲ ହେବେ ନାହିଁ ବୋଲି ନବୀନ କହିଛନ୍ତି, କିନ୍ତୁ ମୋଦି ବିରୋଧି ମହାଗଠବନ୍ଧନକୁ ଦୁର୍ବଳ କରି ଦେଇଛନ୍ତି।
ନବୀନ-କେସିଆରଙ୍କ ଗେମ୍ ପ୍ଲାନ
ସମଦୂରତା ଆଢ଼ୁଆଳରେ ବିଜେପି-କଂଗ୍ରେସ ଠାରୁ ନବୀନ ନିଜକୁ ସୁରକ୍ଷା ବଳୟରେ ରଖିଛନ୍ତି। ମହାମେଣ୍ଟରେ ସାମିଲ ହେବା ନେଇ ନବୀନ ନା’ କରିଦେଇଛନ୍ତି। “ବିଜେଡି ମହାମେଣ୍ଟର ଅଂଶ ନୁହେଁ, କଂଗ୍ରେସ ଓ ବିଜେପି ଠାରୁ ଆମେ ସମଦୂରତା ବଜାୟ ରଖିଛୁ, ବିଜେଡି ତାର ସମଦୂରତାରେ କାଏମ ରହିଛି”ବୋଲି ନବୀନ କହିଛନ୍ତି। ଅବଶ୍ୟ ଗତ ଡିସେମ୍ବର ୨୪ରେ ମୋଦିଙ୍କ ଖୋର୍ଦ୍ଧା ଗସ୍ତ ଆଗରୁ ନବୀନ, ମହାଗଠବନ୍ଧନକୁ ଝଟକା ଦେଇଥିଲେ। ଡିସେମ୍ବର ୨୩ରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ନବୀନ ନିବାସରେ ରହିବା ବିଜେପି ପାଇଁ ଥିଲା ଗୁଡ୍ ନ୍ୟୁଜ୍। କାରଣ ଚନ୍ଦ୍ରଶେଖର ରାଓ ଏବଂ ନବୀନ ପଟ୍ଟନାୟକ ଜାତୀୟ ସ୍ତରରେ ତୃତୀୟ ବିକଳ୍ପ ଲାଗି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କଲେ। ଆଉ ମମତା ବାନାର୍ଜୀଙ୍କ ସହ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ,ତୃତୀୟ ବିକଳ୍ପକୁ ମଜଭୁତ କରିବାକୁ ଯଥେଷ୍ଟ ବାର୍ତ୍ତା ଦେଇଥିଲା। ଫଳରେ ଖୋର୍ଦ୍ଧା-ବାରିପଦା ସମାବେଶରେ ମୋଦିଙ୍କ ନବୀନ ବିରୋଧି ସ୍ୱର ନରମ ହୋଇଯାଇଥିଲା।

ପଞ୍ଚଦଶ ଅର୍ଥ କମିଶନଙ୍କ ସହ ମୁଖ୍ୟମନ୍ତ୍ରୀ

ମେ ଫେୟାରରୁ ନବୀନଙ୍କ ୨ଟି ବାର୍ତ୍ତା
ଅପରପକ୍ଷରେ ମହାଗଠବନ୍ଧନକୁ ବଳ ଦେଉନଥିବା ନବୀନ, ଓଡ଼ିଶାରେ ନିଜ ସ୍ଥିତି ରଖା ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଭୁବନେଶ୍ୱର ଯେଉଁ ମେ ଫେୟାର ହୋଟେଲରୁ ମହାଗଠବନ୍ଧନରେ ବିଜେଡି ସାମିଲ ହେବ ନାହିଁ ବୋଲି ଗଣମାଧ୍ୟମକୁ ନବୀନ ପ୍ରତିକ୍ରିୟା ଦେଲେ, ସେହି ହୋଟେଲର କନଫରେନ୍ସ ହଲରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିଲେ। କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁ ରେଲବାଇ, ଜାତୀୟ ରାଜପଥ,ବ୍ୟାଙ୍କି ଏବଂ ଟେଲିଫୋନ୍ ସେବାରେ ଓଡ଼ିଶା ପଛରେ ପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ ପଞ୍ଚଦଶ ଅର୍ଥ କମିଶନ ଏନ.କେ. ସିଂଙ୍କୁ ନିକଟରେ ଅଭିଯୋଗ କଲେ। ପ୍ରାକୃତିକ ବିପର୍ଯ୍ୟୟ ଏବଂ କେନ୍ଦ୍ରୀୟ ଅବହେଳା ଲାଗି ଓଡ଼ିଶାକୁ ସୂତନ୍ତ୍ର ରାଜ୍ୟର ମାନ୍ୟତା ମିଳୁ ବୋଲି ମୁଖ୍ୟମନ୍ତ୍ରୀ ଅର୍ଥ କମିଶନଙ୍କ ନିକଟରେ ଦାବି କରିଛନ୍ତି। ସ୍ଥିତିକୁ ଗୋଳମାଳିଆ କରି ଦେଉଥିବା ନବୀନ, ବୋଧହୁଏ କେନ୍ଦ୍ର ଉପରେ ଗରମ, କିନ୍ତୁ ମୋଦିଙ୍କ ବିରୋଧି ସହ ହାତ ମିଳାଇ ଅମିତ ଶାହଙ୍କୁ ରଗାଇବାକୁ ଚାହୁଁନାହାଁନ୍ତି!
ଏଥିସହ ପଢ଼ନ୍ତୁ
କୋହଲି, ଭିଭିଆନ୍ ରିଚାର୍ଡସଙ୍କ ଭଳି ୬ ଜଣ ସଫଳ କ୍ୟାପଟେନ୍, ଅଷ୍ଟ୍ରେଲିଆ ମାଟିରେ ଜିତିଛନ୍ତି ଟେଷ୍ଟ ସିରିଜ୍