ଭୁବନେଶ୍ୱର: ବିଶ୍ୱକପ ହକି ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପପୁଲାରିଟି ଯଥେଷ୍ଟ ବଢ଼ିଛି। ହକିର ପ୍ରଚାର-ପ୍ରସାର କହୁଛି, ଏବେ ଓଡ଼ିଶାର ରାଜନୈତିକ ଟେମ୍ପରେଚର ଯାହା, ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାରେ ନବୀନଙ୍କୁ କେହି ଅଟକାଇ ପାରିବେ ନାହିଁ। ଅପରପକ୍ଷରେ ଶୁଣିବାକୁ ମିଳୁଛି ଯେ ଓଡ଼ିଶାକୁ ନେଇ ବିଜେପି ପକ୍ଷରୁ ହୋଇଥିବା ନିଜସ୍ୱ ସର୍ଭେ ରିପୋର୍ଟ ଅମିତ ଶାହଙ୍କୁ ଚିନ୍ତିତ କରିଛି। ସେଥିପାଇଁ ବିଚକ୍ଷଣ ଶାହ, ଭୁବନେଶ୍ୱର ହେବାକୁ ଥିବା ବିଶ୍ୱକପ ହକି ଶେଷ ହେବା ଯାଏଁ ଅପେକ୍ଷା କରିବେ। ୨୮ନଭେମ୍ବରରୁ ୧୬ଡିସେମ୍ବର ଯାଏଁ ଚାଲିବାକୁ ଥିବା ହକି ଟୁର୍ଣ୍ଣାମେଣ୍ଟ ପରେ ଅମିତ ଶାହ, ଓଡ଼ିଶାକୁ ଆସିବେ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଏକାଧିକ ଜନସଭାକୁ ସମ୍ଭୋଧିତ କରିବେ।ଫୋକସରେ ୧୦ଟି ଲୋକସଭା
ଯେପରି ଗତ ସେପ୍ଟମ୍ବର୨୨ରେ ତାଳଚେର ଓ ଝାରସୁଗୁଡା ଜନସଭାରେ ନବୀନଙ୍କୁ ଆଟାକ୍ କରି ମୋଦି ବିଜେପି କର୍ମୀଙ୍କ ମନୋବଳ ବଢ଼ାଇଥିଲେ। ଠିକ୍ ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ମୋଦିଙ୍କ ଲାଗି, ଶାହ ମିଟିଂ କରିବାକୁ ପ୍ଲାନ କରିଛନ୍ତି। ଏହାସହ ନିଜେ ମଧ୍ୟ ମୋଦିଙ୍କ ସହ ତାଳ ଦେଇ ଓଡ଼ିଶାର ଅନେକ ସ୍ଥାନରେ ଜନସଭା କରିବେ। ଯଦିଓ ଏହା ଭିତରେ ନରେନ୍ଦ୍ର ମୋଦି ପୁରୀରୁ ଲଢ଼ିବେ ବୋଲି ଓଡ଼ିଶା ବିଜେପି ପକ୍ଷରୁ ପ୍ରଚାର କରାଗଲା, କିନ୍ତୁ ଶାହ ଚାହୁଁଛନ୍ତି ନିଜ ଦଳର ଭୋଟ ହାର ବଢ଼ାଇବାକୁ ହେଲେ ମୋଦିଙ୍କ ସଭା ହେବା ଜରୁରୀ। ବିଜେପି ସୂତ୍ରରୁ ଖବର ମିଳିଛି ଯେ ନିର୍ବାଚନ ହେଉଥିବା ୫ଟି ରାଜ୍ୟର ପ୍ରଚାର ଡିସେମ୍ବର ୫ରେ ଶେଷ ହେବ। ଡିସେମ୍ବର ୧୧ରେ ଫଳାଫଳ ଆସିବା ପରେ ଓଡ଼ିଶା-ପଶ୍ଚିମବଙ୍ଗକୁ ଫୋକସ୍ କରିବେ ମୋଦି-ଶାହ। ଆଉ ସେତିକି ବେଳକୁ ହକି ଟୁର୍ଣ୍ଣାମେଣ୍ଟ ଶେଷ ହେଉଥିବ। ତେବେ ମୋଦି-ଶାହଙ୍କ ଜନସଭାର ଫୋକସରେ ରହିବ ଓଡ଼ିଶାର ୧୦ଟି ଲୋକସଭା ଆସନ।
ଲଢ଼ିବେ ୩ ପ୍ରଶାସକ !
ଅନ୍ୟପଟେ ଇଣ୍ଡିଆ ଟିଭି-ସିଏନଏକ୍ସର ଓପିନିଅନ ପୋଲ ମଧ୍ୟ ଇଙ୍ଗିତ କରୁଛି ଯେ ଓଡ଼ିଶାରେ ବିଜେପିର ଅଗ୍ରଗତି ହେଉଛି,କିନ୍ତୁ ଆଜିର ସ୍ଥିତିରେ ଦଳ ୫ଟି ଲୋକସଭା ଆସନ ଜିଣିପାରିବ। ୨୫ଅକ୍ଟୋବରରୁ ନଭେମ୍ବର୧୨ ମଧ୍ୟରେ ହୋଇଥିବା ଇଣ୍ଡିଆ ଟିଭିର ସର୍ଭେ କହୁଛି ଯେ ବିଜେପି ଲୋକପ୍ରିୟତା ୨୦୧୪ନିର୍ବାଚନ ତୁଳନାରେ ୨୧.୮୮ପ୍ରତିଶତରୁ ବଢ଼ି ୨୮.୫୩ରେ ପହଞ୍ଚିଛି । କିନ୍ତୁ ବିଜେଡିର ଲୋକପ୍ରିୟତା ମାତ୍ର ୦.୭୭ ଖସି ୪୪ ପ୍ରତିଶତରେ ରହିଛି। ଯେଉଁଥିପାଇଁ ଏବେ ନିର୍ବାଚନ ହେଲେ ବିଜେଡିକୁ ୧୬ଟି ଏବଂ ବିଜେପିକୁ ୫ଟି ଆସନ ମିଳିବ। ଆଉ ୨୦୧୪ ନିର୍ବାଚନ ପରି ଓଡ଼ିଶାରେ କଂଗ୍ରେସ ଖାତା ଖୋଲି ପାରିବନାହିଁ। ସେଥିପାଇଁ ପୁରା ଓଡ଼ିଶାକୁ ଫୋକସ୍ ନକରି,ପଶ୍ଚିମ ଓଡ଼ିଶାର ୫ଟି, ଉତ୍ତର ଓଡ଼ିଶାର ୩ଟି ଏବଂ ଉକକୂଳ ଓଡ଼ିଶାର ୨ଟି ଲୋକସଭା ଆସନ ଉପରେ ବିଜେପିର ନଜର ରହିଛି। ଯାହା ଶୁଣିବାକୁ ମିଳୁଛି ଓଡ଼ିଶାରେ ୩ଜଣ ପ୍ରଶାସକଙ୍କୁ ଲୋକସଭା ନିର୍ବାଚନ ଲଢ଼ାଇବାରେ ପ୍ଲାନ କରିଛନ୍ତି ଶାହ। ସର୍ବଭାରତୀୟ ସ୍ତରର ୩ପ୍ରଶାସକଙ୍କ ମଧ୍ୟରୁ ଗୃହବିଭାଗ ସହ ସମ୍ପୃକ୍ତ ଜଣେ ପ୍ରଶାସକ ଯଥେଷ୍ଟ ଆଗରୁ ଅବସର ନେଇଛନ୍ତି। ଜଣେ ଏବେ ମଧ୍ୟ କେନ୍ଦ୍ରରେ ସଚିବ ସ୍ତରରେ କାର୍ଯ୍ୟରତ ଏବଂ ମୋଦିଙ୍କ ଅତି ବିଶ୍ୱସ୍ଥ। ମୋଦିଙ୍କ ସେହି ବ୍ଲୁ-ଆଏଡ ଅଫିସରଙ୍କ ଲାଗି ସୁରକ୍ଷିତ ଲୋକସଭା ଆସନରେ, ରାଜ୍ୟ ବାହାରୁ ଆସି ବିଜେପି ନେତାମାନେ ଦୀର୍ଘ ୪ବର୍ଷ ହେଲାଣି କାର୍ଯ୍ୟ କରୁଛନ୍ତି।
ସେଥିପାଇଁ ଶାହ ଅପେକ୍ଷା କରିଛନ୍ତି ବିଶ୍ୱକପ ହକିର ରେଟିଂ କମିବା ଯାଏଁ। ଆଉ ତା’ପରେ ଜିତିବାକୁ ଥିବା ୧୦ଟି ଲୋକସଭା ଆସନରେ ବଡ଼ ଧରଣର ଜନସଭା କରିବେ। ଏହାସହ ବିଜେଡି-କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କୁ ଦଳରେ ମିଶାଇ ମିଶନ ୨୦୧୯ ନିର୍ବାଚନ ଲାଗି କ୍ଷେତ୍ର ପ୍ରସ୍ତୁତି କରିବେ।
ଏଥିସହ ପଢ଼ନ୍ତୁ-ପଲିଟିକ୍ସରେ ଏଣ୍ଟ୍ରି ମାରିବେ ନବୀନଙ୍କ ପୁତୁରା, ଅରୁଣଙ୍କ ପାଇଁ ବିଜେଡି କଲା ହ୍ୱାଟସଅପ୍ ଗ୍ରୁପ୍