୭ ବର୍ଷରେ ଆରମ୍ଭ ହୋଇଥିଲା ନାଚ,୮୩ ରେ ଗାଇଲେ ଶେଷ ଅନ୍ତାକ୍ଷରୀ

ବିଶିଷ୍ଠ କଥକ ନୃତ୍ୟଗୁରୁ ବିରଜୁ ମହାରାଜ ଦେହାନ୍ତ ସମଗ୍ର ଭାରତବାସୀଙ୍କୁ ଦୁଃଖିତ କରିଛି ।ପଣ୍ଡିତ ବିର୍ଜୁ ମହାରାଜ ଏକାଧାରରେ ଗୁରୁ, ନୃତ୍ୟଶିଳ୍ପୀ, କୋରିଓଗ୍ରାଫର୍, ଗାୟକ ଓ ସଂଗୀତକାର ଥିଲେ। ବିର୍ଜୁ ମହାରାଜ ତବଲା ବଜାଇବାକୁ ଭଲ ପାଉଥିଲେ। ଏହାସହ କବିତା ଲେଖିବା ଓ ଚିତ୍ର ଆଙ୍କିବାକୁ ମଧ୍ୟ ଭଲ ପାଉଥିଲେ। ବିର୍ଜୁ ମହାରାଜ କିଛି ଦିନ ପୂର୍ବରୁ କିଡନୀ ରୋଗରେ ପୀଡିତ ହୋଇଥିଲେ।ତାଙ୍କର ଡାଇଲିସିସ୍ କରାଯାଇଥିଲା।ଏହାପରେ ସେ ସୁସ୍ଥ ଥିବା ବେଳେ ତାଙ୍କର ହଠାତ୍ ମୃତ୍ୟୁକୁ ପରିବାର ଲୋକେ ତଥା ତାଙ୍କ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁନାହାନ୍ତି।ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।ମୃତ୍ୟୁ ବେଳକୁ ବିର୍ଜୁ ମହାରାଜଙ୍କୁ ୮୩ ବର୍ଷ ହେଇଥିଲା।

କେମିତି କଥକର କଥାକାର ସାଜିଥିଲେ ବିରଜୁ ମହାରାଜ?
ବିର୍ଜୁ ମହାରାଜ ଅର୍ଥାତ୍ ବ୍ରଜମୋହନ ମିଶ୍ର ୧୯୩୮ ମସିହା ଫେବୃଆରୀ ୪ରେ ଲକ୍ଷ୍ମୌରେ ଜନ୍ମ ଗ୍ରହଣ କରିଥିଲେ।ପ୍ରଥମ ଥର ପଣ୍ଡିତ ବିରଜୁ ମହାରାଜ ତାଙ୍କୁ ମାତ୍ର ସାତ ବର୍ଷ ହୋଇଥିବା ସମୟରେ କଥକ ନୃତ୍ୟପ୍ରତି ଆକୃଷ୍ଟ ହୋଇଥିଲେ।ତାଙ୍କ ପିତା ଆଚାନ୍ ମହାରାଜଙ୍କ ପ୍ରେରଣାରେ ସେ ତାଲିମ ପ୍ରାପ୍ତ ହୋଇଥିଲେ।ତାଲିମପ୍ରାପ୍ତ କଥକ ନୃତ୍ୟଶିଳ୍ପୀଙ୍କ ପରିବାରରୁ ଆସି ବିର୍ଜୁ ମହାରାଜଙ୍କୁ ତାଙ୍କର ଦୁଇ ମାମୁଁ ଶମ୍ଭୁ ମହାରାଜ ଏବଂ ଲାଚୁ ମହାରାଜ ମଧ୍ୟ ତାଙ୍କୁ ତାଲିମ ଦେଇଥିଲେ। ଖବର ଅନୁଯାୟୀ ବିରଜୁ ମହାରାଜ ୧୩ ବର୍ଷ ବୟସରେ କଥକଙ୍କୁ ଶିକ୍ଷା ଦେବା ଆରମ୍ଭ କରିଥିଲେ। ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବିର୍ଜୁ ମହାରାଜ ଗତକାଲି ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ନିଜ ନାତି ସହ ଅନ୍ତାକ୍ଷରୀ ଖେଳୁଥିଲେ। ଏହି ସମୟରେ ସେ ହଠାତ୍ ବେହୋସ ହୋଇଗଲେ। ପରିବାର ପକ୍ଷରୁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କଥକ ନୃତ୍ୟ ପାଇଁ ବିର୍ଜୁ ମହାରାଜଙ୍କୁ ୧୯୮୩ ମସିହାରେ ପଦ୍ମ ବିଭୂଷଣ ସମ୍ମାନ ମିଳିଥିଲା। ବିର୍ଜୁ ମହାରାଜ ଅନେକ ବଲିଉଡ୍ ଫିଲ୍ମରେ କୋରିଓଗ୍ରାଫି କରିଥିଲେ। ଉମରାଓ ଜାନ, ଦେଢ଼ ଇଶକିଆ ଓ ବାଜିରାଓ ମସ୍ତାନୀଙ୍କ ସମେତ ଅନେକ ବଲିଉଡ ଚଳଚ୍ଚିତ୍ରରେ ସେ କୋରିଓଗ୍ରାଫି କରିଥିଲେ।ବିର୍ଜୁ ମହାରାଜଙ୍କୁ ପଦ୍ମ ବିଭୂଷଣ ସମ୍ମାନ ବାଦ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ କାଳି ଦାଶ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା। ୨୦୧୨ ମସିହାରେ ‘ବିଶ୍ୱରୁପମ୍’ ଫିଲ୍ମର କୋରିଓଗ୍ରାଫି ପାଇଁ ବିର୍ଜୁ ମହାରାଜଙ୍କୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।ତାଙ୍କର ଦେହାନ୍ତରେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।
ଏ ଷ୍ଟୋରୀ ଲେଖିଛନ୍ତି-ଦେବେନ୍ଦ୍ର ନାୟକ
Connect With Us