‘ଭୋକର ଭୂଗୋଳ ଏବେ ଭାତହାଣ୍ଡି’ ’ନଗଡ଼ାରେ ଅପପୁଷ୍ଟିକୁ ନାଁ’ ‘ସୁଚକାଙ୍କରେ ଆଗକୁ ବଢୁଛି ଓଡ଼ିଶା’ ଏଭଳି ଖବର ସବୁ ଓଡ଼ିଶାର ସଫଳତା ଦର୍ଶାଉଥିଲା ବେଳେ ଏସବୁକୁ କାଉଣ୍ଟର କରିଛି ନିତି ଆୟୋଗ ରିପୋର୍ଟ। ରାଜ୍ୟ ସରକାର ଗତ ପାଞ୍ଚ ବର୍ଷ ଭିତରେ ଓଡ଼ିଶାର ଗରିବି କମିବା କଥା କହୁଥିଲାବେଳେ ଏ କଥାକୁ ଚ୍ୟାଲେଞ୍ଜ କରୁଛି ନିତି ଆୟୋଗ। ଦେଶରେ ଦାରିଦ୍ର୍ୟ କମୁଥିବା ନେଇ ରିପୋର୍ଟ ଆସିଥିଲା ବେଳେ ପଛରେ ପଡ଼ିଛି ଓଡ଼ିଶା। ଦେଶର ଦାରିଦ୍ର୍ୟ ହାର ୧୪.୯୬ ଥିଲାବେଳେ ରାଜ୍ୟର ଦାରିଦ୍ର୍ୟ ହାର ରହିଛି ୧୫.୬୮। ଦେଶରେ ୧୩.୫ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଥିଲା ବେଳେ ଓଡ଼ିଶାରୁ ୬୨ ଲକ୍ଷ ୬୨ ହଜାର ୮୫୨ ଜଣ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି।
ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲା ମାଲକାନଗିରି ସବୁଠୁ ଗରିବ ଜିଲ୍ଲା ହୋଇଥିବା ତଥ୍ୟରେ ପ୍ରକାଶ ପାଇଛି। ମାଲକାନଗିରିର ଗରିବ ହାର ୪୫.୦୧ ରହିଥିଲା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ରାୟଗଡ଼ା। ରାୟଗଡ଼ା ଜିଲ୍ଲାର ଦାରିଦ୍ର୍ୟ ହାର ୩୪.୦୪ ଥିଲାବେଳେ କୋରାପୁଟର ୩୩.୫୪ ଏବଂ ନବରଙ୍ଗପୁରର ଦାରିଦ୍ର୍ୟ ହାର ରହିଛି ୩୩.୪୫। ସରକାର ଆଦିବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଥିବା କଥା କହୁଥିଲା ବେଳେ ରିପୋର୍ଟ କିନ୍ତୁ ଦେଉଛି ଭିନ୍ନ ତଥ୍ୟ। ଗରିବି ଜିଲ୍ଲାରେ ଆଗରେ ରହିଛି ଆଦିବାସୀ ବହୁଳ ଜିଲ୍ଲାର ନାଁ।
ରାଷ୍ଟ୍ରପତିଙ୍କ ଜିଲ୍ଲା ମୟୁରଭଞ୍ଜର ଦାରିଦ୍ର୍ୟ ହାର ରହିଛି ୩୦.୫୭। ନିତି ଆୟୋଗ ରିପୋର୍ଟ ଯେଉ ସତ ବଖାଣୁଛି ସେ ଅନୁସାରେ ଆଦିବାସୀ ବହୁଳ ଅଞ୍ଚଳରୁ ଦାରିଦ୍ର୍ୟ ଦୁରୀକରଣରେ ବିଶେଷ ସଫଳତା ହାସଲ କରିପାରି ନାହିଁ। ଆଦିବାସୀ ବହୁଳ ଅଞ୍ଚଳରେ ଦାରିଦ୍ର୍ୟ ଅଧିକ ରହିଥିଲା ବେଳେ ଅନ୍ୟ ଅଞ୍ଚଳରେ ଏହାର ମାତ୍ରା କମ୍। ଜଗତସିଂହପୁର, ଖୋର୍ଦ୍ଧା,କଟକ, ଗଞ୍ଜାମ,ନୟାଗଡ଼,ଝାରସୁଗୁଡ଼ା,ସୋନପୁର,କେନ୍ଦ୍ରାପଡ଼ା,ବଲାଙ୍ଗୀର,ଏବଂ ସମ୍ବଲପୁରରେ ଦାରିଦ୍ର୍ୟ ହାର ୧୦ ପ୍ରତିଶତରୁ କମ୍ ରହିଛି। ମାଲକାନଗିରି ରାଜ୍ୟର ସବୁଠୁ ଗରିବ ଜିଲ୍ଲା ହୋଇଥିଲା ବେଳେ ପୁରିକୁ ସବୁଠୁ ଉନ୍ନତ ଜିଲ୍ଲାର ମାନ୍ୟତା ଦେଇଛି ନିତି ଆୟୋଗ ରିପୋର୍ଟ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା