BJDରେ ଅଛନ୍ତି ତ କେନ୍ଦ୍ରାପଡ଼ା ସାଂସଦ? ପ୍ରଚାର କରୁଛନ୍ତି ବର୍ଷା,ଅନୁଭବଙ୍କ ନାହିଁ ଦେଖା!

ଭାରତୀୟ ରାଜନୀତିରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ସ୍ଥାନ ସ୍ୱତନ୍ତ୍ର। ବିଜୁ ପଟ୍ଟନାୟକଙ୍କ ଗଡ଼ ଭାବେ ପରିଚିତ କେନ୍ଦ୍ରପଡ଼ା ଲୋକସଭା ଆସନର ରହିଛି ଗୌରବମୟ ଇତିହାସ। ଜବାହରଲାଲ ନେହରୁଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ, କେନ୍ଦ୍ରାପଡ଼ାର ପ୍ରଥମ ସାଂସଦ ନିତ୍ୟାନନ୍ଦ କାନୁନଗୋ। ସେହିପରି ଲୋକସଭାର ବାଚସ୍ପତି ହୋଇଥିବା ଏକମାତ୍ର ଓଡ଼ିଆ, ରବି ରାୟ ମଧ୍ୟ କେନ୍ଦ୍ରପଡ଼ାକୁ ପ୍ରତିନିଧିତ୍ୱ କରିଛନ୍ତି। କେନ୍ଦ୍ରପଡ଼ାରୁ ଲଗାତର ୩ ଥର ଜିତି, ବିଜୁ ପଟ୍ଟନାୟକ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ସୁରେନ୍ଦ୍ର ଦ୍ୱିବେଦୀ, ସୁରେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ଜେନା ଏବଂ ବୈଜୟନ୍ତ ପଣ୍ଡାଙ୍କ ପରି ପରିଟିକାଲ ହେଭିଓ୍ୱେଟ୍, କେନ୍ଦ୍ରାପଡ଼ାରୁ ବିଜୟୀ ହୋଇଥିଲେ।

ମାତ୍ର ୨୦୧୯ରେ ଅନୁଭବ ମହାନ୍ତିଙ୍କ ପରି ସିନେ-ତାରକା, ସାଂସଦ ହେବା ଠାରୁ କେନ୍ଦ୍ରାପଡ଼ାର ପଲଟିକାଲ୍ ପାଓ୍ୱାର ହ୍ରାସ ପାଇବାରେ ଲାଗିଛି। ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ଅନୁଭବଙ୍କୁ, ବିଜୁ ଜନତା ଦଳ ମଧ୍ୟ ବୟକଟ୍ କରୁଛି। କେବଳ କେନ୍ଦ୍ରାପଡ଼ା ରାଜନୀତିରୁ ନୁହେଁ, ଧାମନଗର ଉପ-ନିର୍ବାଚନରେ ପ୍ରଚାର କରିବାକୁ ଅନୁଭବଙ୍କୁ ଡକାଗଲା ନାହିଁ। ଅନ୍ୟପକ୍ଷରେ ବିଜୁ ଜନତା ଦଳର କୌଣସି ପଦରେ ନଥାଇ ମଧ୍ୟ ଅନୁଭବଙ୍କ ପତ୍ନୀ-ବର୍ଷା ପ୍ରିୟଦର୍ଶିନୀ, ଧାମନଗରରେ ରୋଡ’-ସୋ କରିଛନ୍ତି । ୨ଥରର ସାଂସଦ ଅନୁଭବ, ବିଜୁ ଜନତା ଦଳ ପାଇଁ ଅଲୋଡ଼ା, କିନ୍ତୁ ତାଙ୍କର ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ ପ୍ରଚାର ମଇଦାନରେ ! କ’ଣ ଅନୁଭବଙ୍କୁ ବିଦା କରି ବର୍ଷା ପ୍ରିୟଦର୍ଶନୀଙ୍କୁ ଏଣ୍ଟ୍ରି ଦେବା ମୁଡରେ ଅଛି କି ବିଜୁ ଜନତା ଦଳ?

ଲୋକପ୍ରିୟତାକୁ ଆଧାର କରି ସବୁ ଦଳ ସିନେ ତାରକାଙ୍କୁ ଧାମନଗର ଉପନିର୍ବାଚନ ପ୍ରଚାର କାମରେ ଲଗାଇଲା। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କର ଭର୍ଚୁଆଲ୍ ପ୍ରଚାର ସମୟରେ ନାଚ-ଗୀତର ଆସର ମଧ୍ୟ ଜମିଥିଲା। ତେବେ ଏଣ୍ଟ୍ରଟେନମେଣ୍ଟ ଜଗତର ପଛ ଧାଡିର ଅଭିନେତା ଅରିନ୍ଦମ୍ ଏବଂ ଶିଭାନୀଙ୍କ ପରି ଆର୍ଟିଷ୍ଟଙ୍କୁ ଶାସକ ଦଳ ପ୍ରଚାର କାମରେ ଲଗାଇଲା। ଏପରିକି ବିଜୁ ଜନତା ଦଳ ସହ ଯୋଡି ହୋଇଥିବା ସିରିୟଲ୍ ଆର୍ଟିଷ୍ଟ ଏଲିନା ଏବଂ ସୋଫିଆ, ବିଜେଡି ପାଇଁ ପ୍ରଚାର କରିଛନ୍ତି। କିନ୍ତୁ ଅନୁଭବଙ୍କ ପରି ପୁପୁଲାର ଓଡ଼ିଆ ହିରୋଙ୍କୁ ଧାମନଗର ପ୍ରଚାର ଠାରୁ ଦୂରେଇ ରଖାଗଲା। ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ଅନୁଭବଙ୍କର ଅଭିନେତ୍ରୀ ସ୍ତ୍ରୀ, ବର୍ଷାଙ୍କୁ ବିଜେଡିର ରୋଡ ସୋ ରେ ଦେଖିବାକୁ ମିଳିଲା। ସ୍ୱାମୀ ଅନୁଭବଙ୍କୁ ଆଉଟ୍ କରି ସ୍ତ୍ରୀ ବର୍ଷାଙ୍କୁ ରାଜନୀତିରେ ଏଣ୍ଟ୍ରି କରାଇବା ଯୋଜନାରେ ନାହିଁ ତ ବିଜୁ ଜନତା ଦଳ ?
Connect With Us