ଧାମନଗର ଉପନିର୍ବାଚନ ଫଳାଫଳ ନଭେମ୍ବର ୬ ରେ ପ୍ରକାଶ ପାଇବ। ଧାମନଗର ଉପନିର୍ବାଚନ ପରେ ଏବେ ପଦ୍ମପୁର ଉପନିର୍ବାଚନ ମୁହାଁ ହୋଇଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏ ଦୁଇ ଉପନିର୍ବାଚନ ଉପରେ ସବୁ ଦଳ ଫୋକସ୍ କରିଛନ୍ତି। ୟାରି ଭିତର ପଦ୍ମପୁର ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି।

ପଦ୍ମପୁର ଦେଖିବ ଉପନିର୍ବାଚନ
ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଅକ୍ଟୋବର ୨ରେ ଦେହାନ୍ତ ହୋଇଥିଲା। ସେବେଠୁ ପଦ୍ମପୁର ବିଧାନସଭା ଆସନ ଖାଲି ପଡ଼ିଛି। ସେଥିପାଇଁ ଏଠାରେ ଉପନିର୍ବାଚନ ହେବ। ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଏନେଇ ନଭେମ୍ବର ୧୦ ତାରିଖରେ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୧୭ ରହିଛି। ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ନଭେମ୍ବର ୨୧ ରଖଯାଇଛି। ଡିସେମ୍ବର ୫ରେ ଭୋଟିଂ ହେବା ପରେ ୮ ତାରିଖରେ ଭୋଟ୍ ଗଣତି ହେବ।

ପ୍ରଦୀପ ପୁରୋହିତ,ପୂର୍ବତନ ବିଧାୟକ

କ’ଣ ରହିବ ପଦ୍ମପୁର ଷ୍ଟ୍ରାଟେଜି
ପଦ୍ମପୁରରେ ଜନମତ ପ୍ରାୟତଃ ପୂର୍ବତନ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ସପକ୍ଷରେ ରହିଛି। ସେ ବରଗଡ଼ ଜିଲ୍ଲା ପଦ୍ମପୁରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।୧୯୯୦ରୁ୨୦୦୦ ଯାଏଁ ସେ ଜନତା ଦଳ ଟିକେଟ୍‌ରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୦ ଏବଂ ୨୦୦୯ରେ ବିଜେଡି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୯ରେ ବିଜୟୀ ହୋଇ ବିଧାନସଭାକୁ ଆସିବା ପରେ ସେ ବିଜେଡି ସରକାରରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ୨୦୧୪ରେ ସେ ପରାଜୟର ସ୍ୱାଦ ଚାଖିଥିଲେ। ବିଜେପି ପ୍ରାର୍ଥି ପ୍ରଦୀପ ପୁରୋହିତ ୬୮,୯୪୨ ଭୋଟ ପାଇଥିଲା ବେଳେ ତାଙ୍କୁ ୬୪,୪୨୯ଭୋଟ ମିଳିଥିଲା। ବିଜେପି କିନ୍ତୁ ଏ ବିଜୟର ଧାରା ବଜାୟ ରଖିପାରି ନଥିଲା ।୨୦୧୯ ନିର୍ବାଚନରେ ପୁଣି ବିଜେଡ଼ି ପ୍ରାର୍ଥି ବିଜୟ ରଂଜନ ସିଂହ ବରିହା ବାଜି ମାରିଥିଲେ। ତାଙ୍କୁ ୮୩,୨୨୯ ଭୋଟ୍ ମିଳିଇଲା ବେଳେ ବିଜେପି ପ୍ରାର୍ଥି ପ୍ରଦୀପ ପୁରୋହିତଙ୍କୁ ୭୭,୫୬୫ ଭୋଟ ମିଳିଥିଲା। ପଦ୍ମପୁରକୁ ନେଇ କୋଉ ଦଳ କାହାକୁ ପ୍ରାର୍ଥି କରିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ବିଜେଡ଼ି ସେଠାରେ ଅନୁକମ୍ପା କାର୍ଡ ଖେଳିପାରେ ବୋଲି ଅନୁମାନ କରାଯଉଥିଲା ବେଳେ ବିଜେପି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ କଂଗ୍ରେସ ସତ୍ୟ ଭୂଷଣ ସାହୁଙ୍କୁ  ପ୍ରାର୍ଥି କରିପାରେ ବୋଲି ଅନୁମାନ କରାଯାଉଛି। ପଦ୍ମପୁର ପଲିଟିକ୍ସରେ ପଲିଟିକାଲ ପାର୍ଟୀର ଷ୍ଟ୍ରାଟେଜି ଉପରେ ଏବେ ସମସ୍ତଙ୍କ ନଜର।