ରୋଚକ ମୋଡ଼ରେ ବିଶ୍ୱକପ ଲଢ଼େଇ।ଅଷ୍ଟ୍ରେଲିଆ ଠାରୁ ଆୟୋଜକ ଇଂଲଣ୍ଡ ହାରିବା ଓ ନ୍ୟୁଜିଲାଣ୍ଡକୁ ପାକିସ୍ତାନ ମାତ ଦେବା ପରେ ସେମି ଫାଇନାଲ୍ ଗଣିତ ଏବେ ଗଡ଼ବଡ଼।ଅଷ୍ଟ୍ରେଲିଆ ସେମି ଫାଇନାଲରେ ପହଞ୍ଚି ସାରିଛି।ନ୍ୟୁଜିଲାଣ୍ଡ ଓ ଭାରତ ସେମିରେ ସ୍ଥାନ ପକ୍କା କରିବା ଏକ ପ୍ରକାର ନିଶ୍ଚିତ।ଚର୍ଚ୍ଚା ଚତୁର୍ଥ ଦଳ ଭାବରେ କାହାକୁ ମିଳିବ ବିଶ୍ୱକପ ସେମି ଫାଇନାଲ୍ ଟିକେଟ।ଏହି ସ୍ଥାନ ପାଇଁ ଇଂଲଣ୍ଡ ଓ ପାକିସ୍ତାନ ଭିତରେ ଲଢ଼େଇ ଜୋରଦାର ହୋଇପାରେ।ପ୍ରଥମରୁ ଭଲ ପ୍ରଦର୍ଶନ କରି ଆସିଥିବା ଇଂଲଣ୍ଡ ବାହିନୀ ଶେଷ ଆଡକୁ ହାରୁଛି।ସେପଟେ ପ୍ରଥମରୁ ହାରିଥିବା ପାକିସ୍ତାନ ଶେଷ ଆଡକୁ ଲଗାତାର ବିଜୟୀ ହୋଇ ସେମି ଫାଇନାଲ୍ ରେସରେ ନିଜକୁ ସାମିଲ କରିଛି।ଚର୍ଚ୍ଚା ହେଉଛି,୨୦୧୧ ବିଶ୍ୱକପ ଭଳି ୨୦୧୯ରେ ଭାରତ-ପାକିସ୍ତାନ ସେମି ଫାଇନାଲ୍ ଲଢ଼େଇରେ ମୁହାଁମୁହିଁ ହୋଇ ପାରନ୍ତି।

ଟିମ୍ ଇଣ୍ଡିଆ ଲକ୍ଷ୍ୟ ଟପ୍ ପୋଜିସନ୍
ବିଶ୍ୱକପରେ ଭାରତ ଏପର‌ର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳିଛି।ଦକ୍ଷିଣ ଆଫ୍ରିକା,ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଆଫଗାନିସ୍ତାକୁ ଧୂଳି ଚଟେଇଛି ଟିମ୍‌ ଇଣ୍ଡିଆ। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବର୍ଷା ଯୋଗୁ ପଏଣ୍ଟ ଭାଗ ହୋଇଥିଲା।୪ଟି ବିଜୟ ସହ ୯ ପଏଣ୍ଟ ପାଇଛି ଭାରତ। ଆଜି(ଗୁରୁବାର)ଓ୍ୱେଷ୍ଟଇଣ୍ଡିଜ ସହ ଓ ଆଗକୁ ଇଂଲଣ୍ଡ, ବାଂଲାଦେଶ ଓ ଶ୍ରୀଲଙ୍କା ସହ ଲଢ଼େଇ ରହିଛି।ଏଥିରୁ ଅତି କମରେ ଦୁଇଟି ମ୍ୟାଚ୍‌  ଜିତିଲେ ଭାରତର ପଏଣ୍ଟ ସଂଖ୍ୟା ୧୩ରେ ପହଞ୍ଚିବ।ଶେଷ ୪ଟି ମ୍ୟାରୁ ଗୋଟିଏ ହାରିଲେ ବି ଦଳକୁ ମିଳିବ ୧୫ ପଏଣ୍ଟ। ସେମିରେ ପହଞ୍ଚିବାରେ କୌଣସି ଅସୁବିଧା ରହିବ ନାହିଁ।

ପାକିସ୍ତାନ ଡାର୍କ ହର୍ସ
ବିଶ୍ୱକପରେ ବର୍ତ୍ତମାନ ଡାର୍କ ହର୍ସ ଭାବେ ଉଭା ହୋଇଛି ପାକିସ୍ତାନ। ୧୯୯୨ ବିଶ୍ୱକପ ଟିମ୍ ଭଳି ଖେଳୁଛି।ପ୍ରଥମେ ପରାଜୟ, ତାପରେ ବିଜୟ ଧାରାରେ ବଢୁଛି।ଗତକାଲି ନ୍ୟୁଜିଲାଣ୍ଡକୁ ମାତ ଦେଇଛି। ବର୍ତ୍ତମାନ ସୁଦ୍ଧା ୭ଟି ମ୍ୟାରୁ ୩ଟି ବିଜୟ ସହ ପାକିସ୍ତାନ ହାତେଇଛି ୭ ପଏଣ୍ଟ।ବାକି ଅଛି ଆଫଗାନିସ୍ତାନ ଓ ବାଂଲାଦେଶ ବିପକ୍ଷରେ ମ୍ୟାଚ୍। ଦୁଇଟିଯାକ ମ୍ୟାଚଜିତିଲେ ପାକିସ୍ତାନର ମୋଟ୍ ପଏଣ୍ଟ ହେବ ୧୧।ଗୋଟିଏ ବି ଜିତିଲେ ସେମି ଯିବା ଆଶା ଉଜ୍ଜୀବିତ ରହିବ।ଏହି ସମୀକରଣ ନିର୍ଭର କରୁଛି ଇଂଲଣ୍ଡର ପ୍ରଦର୍ଶନ ଉପରେ। ଆୟୋଜକ ଇଂଲଣ୍ଡ ୮ ପଏଣ୍ଟ ସହ ତାଲିକାରେ ଚାରି ନମ୍ବରରେ ଅଛି। ବାକି ଅଛି ଭାରତ ଓ ନ୍ୟୁଜିଲାଣ୍ଡ ସହ ମୁକାବିଲା।ସବୁ ମ୍ୟାଚ୍ ଜିତିଲେ ଇଂଲଣ୍ଡ ଦଳକୁ ମୋଟ୍ ୧୨ ପଏଣ୍ଟ ମିଳିବ।ଏମିତି ହେଲେ ଇଂଲଣ୍ଡ ସେମି ଫାଇନାଲ୍ ଯିବା ନିଶ୍ଚିତ।ଗୋଟିଏ ମ୍ୟାଚ୍ ହାରିଲେ ସେମି ଫାଇନାଲ୍ ରେସରୁ ବାଦ ପଡ଼ିବା ଆଶଙ୍କା ବି ରହିଛି। ଯାହାର ଫାଇଦା ନେବ ପାକିସ୍ତାନ।

ଭାରତ-ପାକିସ୍ତାନ ସେମି ଫାଇନାଲ୍‌ !
ଏଯାଏଁ ବିଶ୍ୱକପରେ ଅପରାଜୟ ଟିମ୍ ଇଣ୍ଡିଆ।୫ଟି ମ୍ୟାଚରୁ ୯ ପଏଣ୍ଟ ମିଳିଛି। ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଜିତିଲେ ଫଏଣ୍ଟ ସଂଖ୍ୟା ୧୧ ଛୁଇଁବ।ପରେ ଇଂଲଣ୍ଡ, ବାଂଲାଦେଶ ଓ ଶ୍ରୀଲଙ୍କାକୁ ହରାଇଲେ ପଏଣ୍ଟ ତାଲିକାର ଟପ୍ ପୋଜିସନରେ(୧୭ ପଏଣ୍ଟ) ରହିବ।ଏମିତି ହେଲେ ସେମି ଫାଇନାଲରେ ଇଣ୍ଡୋ-ପାକିସ୍ତାନ ଲଢ଼େଇ ହେବ। ଇଂଲଣ୍ଡ ବାକି ଥିବା ଦୁଇଟି ମ୍ୟାଚରୁ ଗୋଟିଏ ହାରିଲେ ଏବଂ ପାକିସ୍ତାନ ଆଗାମୀ ଦୁଇଟି ମ୍ୟାଚ ଜିତିଲେ ଚତୁର୍ଥ ଦଳ ଭାବରେ ସେମିରେ ପହଞ୍ଚିବ ପାକିସ୍ତାନ। ଗ୍ରୁପ ପର୍ଯ୍ୟାୟାର ଚାରି ନମ୍ବରରେ ରହିବ।ଗ୍ରୁପ ପର୍ଯ୍ୟାୟାର ଅପରାଜୟ ରହିଲେ ପଏଣ୍ଟ ଟେବୁଲର ଶୀର୍ଷରେ ରହିବ ଭାରତ। ନିୟମ ଅନୁସାରେ ଭାରତର ସେମି ଫାଇନାଲ୍ ମ୍ୟାଚ୍ ପଏଣ୍ଟ ତାଲିକାର ଚାରି ନମ୍ବରରେ ଥିବା ଦଳ (ଯଦି ପାକିସ୍ତାନ ଯାଏ)ସହ ହେବ।ଗତ ୨୦୧୧ ବିଶ୍ୱକପରେ ଭାରତ ସେମି ଫାଇନାଲ ଲଢ଼େଇରେ ପାକିସ୍ତାନକୁ ହରାଇଥିଲା।ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ୨୮ ବର୍ଷ ପରେ ବିଶ୍ୱବିଜେତା ହେବାର ସ୍ୱପ୍ନ ସାକାର କରିଥିଲା।ଏବେ ୧୯୮୩ର ସ୍ୱର୍ଣ୍ଣିମ ସଫଳତାକୁ ପୁଣି ଥରେ କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ ଗ୍ରାଉଣ୍ଡରେ ଦୋହରାଇବା ଲକ୍ଷ୍ୟରେ ମେନ୍ ଇନ୍ ବ୍ଲୁ।