ନ୍ୟୁଜ୍/ ପଲିଟିକ୍ସ

ସୁରକ୍ଷା କର୍ମୀଙ୍କ କଥା ମାନିଥିଲେ, ହତ୍ୟାରୁ ବର୍ତ୍ତିଥାନ୍ତେ ରାଜୀବ

୧୯୯୧ମସିହା ମେ’ ୨୧, ଦିନ ଥିଲ ମଙ୍ଗଳବାର। ମାତ୍ର ଭାରତୀୟ ରାଜନୀତି ଓ ଗାନ୍ଧି ପରିବାର ପାଇଁ ଏହା ଥିଲା ଅମଙ୍ଗଳ ସୂଚକ। ଲୋକସଭା ନିର୍ବାଚନରେ କଂଗ୍ରେସକୁ ବିଜୟୀ କରାଇବାକୁ ପ୍ରଚାର ମୋର୍ଚ୍ଚା ସମ୍ଭାଳି ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି। ବିଭିନ୍ନ ରାଜ୍ୟର ନିର୍ବାଚନୀ ସଭାରେ ପହଞ୍ଚି ଉଦବୋଧନ ଦେଉଥିଲେ ରାଜୀବ। ମାତ୍ର ରାଜୀବଙ୍କୁ ଜଣାନଥିଲା ତାଙ୍କ ମୃତ୍ୟୁ ପାଇଁ ଚାଲିଥିବା ଷଡଯନ୍ତ୍ର।

ଶେଷ ଓଡ଼ିଶା ଯାତ୍ରା
୧୯୯୧ର ମେ’ ୨୦ ସନ୍ଧ୍ୟା ୫ଟା ୧୫ ରେ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧି ଏୟାରପୋର୍ଟରୁ  ନିଜେ ବିମାନ ଉଡାଇ ଭୁବନେଶ୍ୱର ବାହାରିଥିଲେ ରାଜୀବ। ପାଗ ମେଘୁଆ ଯୋଗୁ ରାତି ପ୍ରାୟ ୮.୩୦ରେ ଓଡ଼ିଶାର ରାଜଧାନୀରେ ପହଞ୍ଚିଥିଲେ। କର୍ମକର୍ତ୍ତାଙ୍କ ସହ ବୈଠକ ଏବଂ ପର ଦିନ ଅବିଭକ୍ତ କୋରାପୁଟ ଜିଲ୍ଲାର ଗୁଣୁପୁର ଠାରେ ସଭା ସାରି ବିଶାଖା ପାଟଣା ଦେଇ ତାମିଲନାଡୁର ଚେନାଇ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହାପରେ ଶ୍ରୀପେରମୁଦୁର ନିର୍ବାଚନୀ ସଭାସ୍ଥଳୀ ନିକଟରେ ପହଞ୍ଚିଥିଲେ।

ମୃତ୍ୟୁର ରାଜିନାମା
ସେପଟେ ରାଜୀବଙ୍କ ହତ୍ୟା ପାଇଁ ନଳିନୀ ଘରେ ଚାଲିଥିଲା ଷଡଯନ୍ତ୍ର। ମାଷ୍ଟର ମାଇଣ୍ଡ ଶିବରାସନ୍, ଶୁଭା, ହରିବାବୁ ରାଜୀବଙ୍କ ହତ୍ୟାର ପ୍ରସ୍ତୁତ କରିଥିଲେ ରଣନୀତି। ପ୍ଳାନିଂ ଅନୁଯାୟୀ ଦେହ ଖରାପର ଆଳ ଦେଖାଇ ଫଟୋଗ୍ରାଫର୍ ହରିବାବୁ ମେ’ ୨୧ରେ ଛୁଟି ନେଇଥିଲା। ପ୍ରାୟ ଦିନ ୩ ଟାରେ ନଳୀନି, ଶୁଭା ଓ ଶିବରାସନ ମନ୍ଦିର ଯାଇଥିଲେ। ସେଠାରୁ ଗୋଟାଏ ଲମ୍ବା ହାର କିଣି ହରିବାବୁଙ୍କୁ ସାଙ୍ଗରେ ନେଇ ସମସ୍ତେ ବସରେ ଚଢ଼ିଥିଲେ। ଯାହାର ଠିକଣା ଥିଲା ରାଜୀବଙ୍କ ଶେଷ ସଭା।

ରାଜୀବଙ୍କ ହତ୍ୟାରେ ସମ୍ପୃକ୍ତ ଅପରାଧୀ

ରକ୍ତରେ ଭିଜିଲା ରେଡ୍ କାର୍ପେଟ୍
ସମୟ ପ୍ରାୟ ରାତି୧୦, ଗହଳି ଭିତରୁ ହଠାତ୍ ଶ୍ରୀପେରୁମୁଦୁର ସଭାର ମୁଖ୍ୟ ଆୟୋଜକଙ୍କ କେଇ ପଦ ଶବ୍ଦ ସଭାକୁ ସ୍ଥିର କରିଦେଲା। ମାଇକ୍ ଛଡେଇ ନେଇ ସେ ରାଜୀବ ଗାନ୍ଧିଙ୍କ ପହଞ୍ଚିବା ଖବର ଦେଲା ପରେ ଜନତାଙ୍କ ମଧ୍ୟରେ ଶିହରଣ ଖେଳିଗଲା। ଶଙ୍କର ଗଣେଶଙ୍କ ସଙ୍ଗୀତ କାର୍ଯ୍ୟକ୍ରମରେ ବିରତି ଟାଣି ପ୍ରସ୍ତୁତି ପର୍ବ ଆରମ୍ଭ ହୋଇସାରିଥିଲା। ପ୍ରବେଶ ଗେଟରେ ଥିବା ରେଡ୍ କାର୍ପେଟରେ ରାଜୀବଙ୍କୁ ସ୍ୱାଗତ କରିବାକୁ ଏକ ଟିମ୍ ପ୍ରସ୍ତୁତ ହୋଇସାରିଥିଲ। ପ୍ରୋଗ୍ରାମ୍ ସିଡ୍ୟୁଲ୍  ଅନୁଯାୟୀ ରାଜୀବଙ୍କ ସ୍ୱାଗତ ସମର୍ଦ୍ଧନାରେ ଗାୟକ ଲତା କର୍ଣ୍ଣଲ ଓ ତାଙ୍କ ଝିଅ କୋକିଲା ଏକ ହିନ୍ଦୀ ସଙ୍ଗୀତ ଗାଇଥିଲେ।
ଧିରେ ଧିରେ ମଞ୍ଚ ଆଡକୁ ବଢ଼ୁଥିଲେ ରାଜୀବ। ମଞ୍ଚରୁ ମାତ୍ର ୫ ମିଟର ଦୁରରେ ଲୁଚି ରହିଥିଲା ତାଙ୍କର ମୃତ୍ୟୁ। ସାମ୍ବାଦିକର ପରିଚୟ ଦେଇ ହରିବାବୁ କ୍ୟାମେରା ଦ୍ୱାରା ଖୁବ୍ ଚମତ୍କାର ଭାବେ ଫଟୋ ଉତ୍ତୋଳନ କରୁଥିଲା। ମଞ୍ଚ ପାଖରେ ଛଦ୍ମବେଶରେ ସବୁକିଛି ଅନୁଧ୍ୟାନ କରୁଥିଲା ଶିବରାସନ୍। ହଠାତ ରାଜୀବଙ୍କ ନିକଟକୁ ଆଗେଇ ଆସିଲା ଜଣେ କଳା ରଙ୍ଗର ଝିଅ। ହାତରେ ଥିଲା ବଡ ଚନ୍ଦନ ମାଳ। ସେହି ଝିଅଙ୍କୁ ଅଟକେଇବାକୁ ପୋଲିସ ଅଧିକାରୀ ଅନୁସୟା ଚେଷ୍ଟା କଲେ। ତେବେ ରାଜୀବଙ୍କ ଅନୁମତି ପାଇ ସେହି ଝିଅ ମଞ୍ଚ ନିକଟରେ ପହଞ୍ଚିଲା। ରାଜୀବଙ୍କ ବେକରେ ଚନ୍ଦନ ମାଳଟିକୁ ପିନ୍ଧାଇ ମୁଣ୍ଡ ତଳକୁ ନଇଁବା ମାତ୍ରେ  ଏକ ବିସ୍ଫୋରକ ଶବ୍ଦ ସମସ୍ତଙ୍କୁ ତାଜୁବ୍ କରିଥିଲା। ଧୂଆଁଳିଆ ପରିବେଶ ଧିରେ ଧିରେ ପରିଷ୍କାର ହେବା ପରେ ରାଜୀବଙ୍କ ମୃତଦେହ  ମିଳିଥିଲା । ରାଜୀବଙ୍କ ଶେଷ ସଭାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

You Might Also Like

No Comments

Leave a Reply