ଛାତ୍ରଛାତ୍ରୀ ଧରିବେ ହକିଷ୍ଟିକ,ସ୍କୁଲରେ ହେବ ହକି କ୍ଲବ

ଦେଶର ଲୋକପ୍ରିୟ ଖେଳ ହକି ପାଇଁ ରାଜ୍ୟ ପାଇଛି ନିଆରା ପରିଚୟ। କେବଳ ରାଜ୍ୟର ସୀମା ଭିତରେ ଏ ସଫଳତା ସୀମିତ ହୋଇ ରହିନାହିଁ। ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ହକି ପାଇଁ ଓଡ଼ିଶାର ସୁନାମ ବଢ଼ିଛି। କ୍ରୀଡା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପାଇଁ ହକି ୱାର୍ଲ୍ଡକପ୍ ଆୟୋଜନ କରି ପ୍ରଶଂସା ସାଉଁଟିବା ସହ ୨୦୨୩ ରେ ଦ୍ୱୀତିୟ ଥର ପାଇଁ ରାଜ୍ୟରେ ହକି ବିଶ୍ୱକପ୍ ଆୟୋଜନ ହେବାକୁ ଯାଉଛି। ଭାରତୀୟ ହକି ଟିମ୍ ର ପୂର୍ବତନ ଅଧିନାୟକ ଦୀଲ୍ଳିପ୍ ତୀର୍କିଙ୍କ ଜନ୍ମସ୍ଥାନ ତଥା ହକିର ଏନ୍ତୁଡିଶାଳା କୁହାଯାଉଥିବା ସୁନ୍ଦରଗଡରେ କେବଳ ସୀମିତ ନ ରହି ରାଜ୍ୟବ୍ୟାପୀ ପ୍ରତିଭାର ଅନ୍ୱେଷଣ ଚାଲିଛି। ହକି କ୍ଷେତ୍ରରେ ଓଡିଶାର ଯାତ୍ରାକୁ ଦିଗନ୍ତ ବିସ୍ତାରୀ କରିବାକୁ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବିଶ୍ୱକପ୍ ହକି ମ୍ୟାଚ ଆୟୋଜନ କରିବା ସହ ଏହାର ଭିତ୍ତିଭୂମି ବିକାଶ ପାଇଁସମସ୍ତ ସ୍କୁଲରେ ହକି କ୍ଲବ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରାଉରକେଲାରେ ଆନ୍ତର୍ଜାତୀୟ ହକି ଷ୍ଡାଡିୟମ୍,ସବୁ ସ୍କୁଲରେ ହକି କ୍ଲବ୍
ହକି କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଛନ୍ତି। ହକିର ବିକାଶ ପାଇଁ ସରକାର ରାଉରକେଲାରେ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ କରୁଛନ୍ତି। ଏଥି ସହିତ‘ହକି କ୍ଲବ’ ଗଠନ କରାଯାଇ ସବୁ ସ୍କୁଲରେ ହକି ଖେଳାଯିବା ନେଇ ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି। ପ୍ରଥମେ ସମସ୍ତ ସଦର ମହକୁମାରେ ଥିବା ସ୍କୁଲଗୁଡ଼ିକରେ ଏହି କ୍ଲବ ଗଠନ କରାଯାଇ ପରେ ରାଜ୍ୟର ସମସ୍ତ ସ୍କୁଲକୁ ସମ୍ପ୍ରସାରିତ କରାଯିବ। ପ୍ରତି ସ୍କୁଲରେ ୩୦ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ଏହି କ୍ଲବ ଗଠନ କରାଯିବ। ଜଣେ ଲେଖାଏଁ ହକି ପିଇଟି ମଧ୍ୟ ନିଯୁକ୍ତ କରାଯିବ। ଆବଶ୍ୟକ କିଟ୍ ସହ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବ। ଏଥିପାଇଁ ଓଡ଼ିଶା ହକି ମହାସଂଘ ମଧ୍ୟ ରାଜ୍ୟ କ୍ରୀଡ଼ା ବିଭାଗ ସହ ସାମିଲ ହୋଇ କାର୍ଯ୍ୟ କରିବ। ଏଥିରେ ଓଡ଼ିଶା ହକି ପ୍ରମୋସନ କାଉନସିଲକୁ ମଧ୍ୟ ସାମିଲ ପାଇଁ ଯୋଜନା କରାଯାଇଛି।ରାଜ୍ୟ ସରକାର ଏବେ ପ୍ରତ୍ୟେକ ଜିଲ୍ଲାରେ ବହମୁଖୀ ଷ୍ଟାଡ଼ିୟମ ନିର୍ମାଣ କରିବା ସହ ହକିର ଅଧିକ ପ୍ରଚାର ପ୍ରସାର ନିମନ୍ତେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି।
Connect With Us