Hardik-Singh-Hockey-Player

କଠିନ ପରିଶ୍ରମ,ଏକାଗ୍ରତା ଓ ନିଷ୍ଠା ଜଣେ ବ୍ୟକ୍ତିଙ୍କୁ ସଫଳତାର ଶିଖରରେ ପହଞ୍ଚାଇଥାଏ। ସେମିତି ଜଣେ ବ୍ୟକ୍ତିତ୍ୱ ହାର୍ଦ୍ଦିକ ସିଂ। ଅନେକ ବୋଧେ ତାଙ୍କୁ ଜାଣି ନଥିବେ। ଭାରତୀୟ ହକିର ରାଇଜିଂ ଷ୍ଟାର୍‌। ଚଳିତ ହକି ବିଶ୍ୱକପ୍‌ର ଚୂଡ଼ାନ୍ତ ଦଳରେ ଅଛନ୍ତି। ଦିନେ ବଲ୍‌ ବଏ ଥିବା ହାର୍ଦ୍ଦିକ ବିଶ୍ୱକପ୍‌ ଟିକେଟର ହକଦାର ହୋଇପାରିଛନ୍ତି।
ଭାରତୀୟ ହକିର ଉଜ୍ଜ୍ୱଳ ତାରକାHardik_Singh୨୦ବର୍ଷୀୟ ହାର୍ଦ୍ଦିକ ସିଂ ଭାରତୀୟ ବିଶ୍ୱକପ୍ ହକି ଟିମର ମିଡ୍ ଫିଲଡର୍। ୫ବର୍ଷ ବୟସରେ ହାତରେ ହକି ଷ୍ଟିକ୍ ଧରି ମୈଦାନକୁ ଓହ୍ଲାଇଥିଲେ। ଏମିତି ଗୋଟିଏ ପରିବାରରେ ତାଙ୍କର ଜନ୍ମ, ଯେଉଁଠି ସମସ୍ତେ ଜଣେ ଜଣେ ହକି ଖେଳାଳି। ବାପା ଭରିନ୍ଦର ପ୍ରୀତ୍ ସିଂ ଓ ଜେଜେ ବାପା ବି ହକି ଖେଳାଳି ଥିଲେ। ଜେଜେ ବାପା ଥିଲା ପ୍ରଥମ ହକି ଗୁରୁ। ପୀଉସୀ ରାଜବୀର କୌର ବି ଥିଲେ ଭାରତୀୟ ମହିଳା ହକି ଟିମ୍‌ର ସଦସ୍ୟା। ମାମୁଁ ଯୁଗରାଜ ସିଂହ ତାଙ୍କ ଜମାନାର ନାଁକରା ଡ୍ରାଗ୍‌ ଫ୍ଲିକର୍। ହକି ଯାହାର ବଂଶ ଓ ପରମ୍ପରା ସହ ଜଡ଼ିତ ସେହି ପରିବାରରୁ ଆସି ହାର୍ଦ୍ଦିକ ବାଦ ପଡ଼ିଥାଆନ୍ତେ କେମିତି! ହାର୍ଦ୍ଦିକଙ୍କ ଘର ପଞ୍ଜାବ ଜଳନ୍ଧର ଜିଲ୍ଲା ଖୁସୁରପୁରେ। ୨୦୧୧ରେ ମାତ୍ର ୧୩ବର୍ଷ ବସୟରେ ହକି ପାଇଁ ଗାଁ ଛାଡ଼ି ଆସିଥିଲେ ମୋହାଲି ହକି ଏକାଡେମୀ। ସେଠାରେ ଶିଖିଥିଲେ ହକିର ଅ…ଆ।
ବଲ୍ ବଏରୁ ବିଶ୍ୱକପ୍ Hardik-Singh୨୦୧୩ରେ ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣରେ ମୋହାଲି ଇଣ୍ଟର ନ୍ୟାସନାଲ୍ ଷ୍ଟାଡିୟମରେ ହାର୍ଦ୍ଦିକ ଥିଲେ ଜଣେ ବଲ୍ ବଏ । ବହୁ ଜାତୀୟ ଓ ଅନ୍ତର୍ଜାତୀୟ ତାରକାଙ୍କୁ ପାଖରୁ ଦେଖୁଥିଲେ। ମନେ ମନେ ଭାବୁଥିଲେ, ସେମାନଙ୍କ ସହ କେବେ ଖେଳିବେ? ୨୦୧୫ରେ ମିଳିଲା ବଡ଼ ମ୍ୟାଚରେ ଖେଳିବାର ସୁଯୋଗ।ଢାକାରେ ଅନୁଷ୍ଠିତ ୧୮ବର୍ଷରୁ କମ୍ ଏସିଆ କପ ଦଳର ଉପଅଧିନାୟକ ହୋଇଥିଲେ। ସ୍ୱର୍ଣ୍ଣ ଜିତି ସମସ୍ତଙ୍କ ଦିଲ୍ ଜିତିଥିଲେ ହାର୍ଦ୍ଦିକ। ହକି ଇଣ୍ଡିଆ ଲିଗର ପରବର୍ତ୍ତୀ ସଂସ୍କରଣରେ ହାର୍ଦ୍ଦିକଙ୍କୁ ବେସ୍ ପ୍ରାଇସ ଠାରୁ ଢ଼େର ଅଧିକ ଟଙ୍କାରେ କିଣିଥିଲା ପଞ୍ଜାବ ଓ୍ୱାରିୟର୍ସ। ୨୦୧୬ରେ ସ୍ପେନରେ ଖେଳାଯାଇଥିବା ୨୩ବର୍ଷରୁ କମ୍ ଭାରତୀୟ ଦଳରେ ସ୍ଥାନ ମିଳିଗଲା।
ଏଥିସହ ପଢ଼ନ୍ତୁ: ଅପରାଜିତାଙ୍କ ସହ ବିଜେପିରେ ମିଶିବେ ୩ ବ୍ୟୁରୋକ୍ରାଟ୍: ହାରିନଥିବା ପାଟ୍ଟଶାଣୀଙ୍କ ସହ ଲଢ଼ିବାକୁ କଣ ରିସ୍କ ନେବେ ପୂର୍ବତନ BMC କମିଶନର?
ନେଦରଲ୍ୟାଣ୍ଡ ପଳାଇ ଯିବାକୁ ନିଷ୍ପତ୍ତିHardik-Jugaraj(ହାର୍ଦ୍ଦିକ ସିଂ ଓ ଯୁଗରାଜ ସିଂ)
୨୦୧୬ରେ ଜୁନିଅର ହକି ଓ୍ୱାର୍ଲଡ କପ୍ ଦଳରେ ସ୍ଥାନ ସୁରକ୍ଷିତ କରି ପାରିନଥିଲେ ହାର୍ଦ୍ଦିକ। ନିରୁତ୍ସାହିତ ହୋଇ ନେଦରଲ୍ୟାଣ୍ଡରେ କ୍ଲବ ହକି ଖେଳିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମାମୁଁ ଯୁଗରାଜ ସିଂଙ୍କ କେଇ ପଦ କଥାରେ ତରଳି ଯାଇଥିଲେ ହାର୍ଦ୍ଦିକ। ନେଦରଲ୍ୟାଣ୍ଡ ଯିବା କଥା ମନରୁ ପୋଛି ଆରମ୍ଭ କରିଥିଲେ ହକି ଅଭ୍ୟାସ। ବେକାର ଯାଇନଥିଲା ପରିଶ୍ରମ। ନିକଟରେ ଓମାନରେ ଶେଷ ହୋଇଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳରେ ମିଳିଲା ସୁଯୋଗ। ମାତ୍ର ୬ଟି ମ୍ୟାଚ ଖେଳିଛନ୍ତି। କିନ୍ତୁ ମିଳିଗଲା ବିଶ୍ୱକପ୍ ପାଇଁ ଟିକେଟ। ହକି ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଥିବାରୁ ହାର୍ଦ୍ଦିକ କହିଛନ୍ତି, ସ୍ୱପ୍ନ ସାକାର ହୋଇଛି। ବେଶୀ ଖୁସି ତାଙ୍କ ବାପା। କାରଣ, ବିଶ୍ୱକପ ଖେଳିବାର ତାଙ୍କର ଅଧୁରା ସ୍ୱପ୍ନକୁ ପୂରା କରିଛନ୍ତି ପୁଅ ହାର୍ଦ୍ଦିକ।
ଚକ୍ ଦେ ଇଣ୍ଡିଆIndia-World-Cup-Team(୧୮ ଜଣିଆ ଭାରତୀୟ ବିଶ୍ୱକପ୍ ଦଳ, ହକି ଇଣ୍ଡିଆ ଫଟୋ)
ଚଳିତ ମାସ ୨୮ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ। ବିଶ୍ୱକପ୍ ଟାଇଟଲ ପାଇଁ ଲଢ଼ିବେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦେଶ। ମନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତ ୨୮ ତାରିଖରେ ଅଭିଯାନ ଆରମ୍ଭ କରିବ। ଦକ୍ଷିଣ ଆଫ୍ରିକା ସହ ପ୍ରଥମ ମୁକାବିଲା। ଗ୍ରୁପ୍ ପର୍ଯ୍ୟାୟରେ ଜିତି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ। ବହୁ ଆଗରୁ ଭୁବନେଶ୍ୱର ପାଣିପାଗ ସହ ନିଜକୁ ଖାପ ଖୁଆଇଛନ୍ତି ଖେଳାଳି। କଳିଙ୍ଗ ଷ୍ଟାଡିୟମରେ ଝାଳ ବୁହାଇଛନ୍ତି। ଏବେ ଅସଲ ପରୀକ୍ଷା। ମିଡ୍ ଫିଲଡର ଭାବରେ ହାର୍ଦ୍ଦିକଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ରହିଛି। ଅବ୍ ବାରି, କୁଛ୍ କର୍ କେ ଦିଖାନା ହୈ।
ଏଥିସହ ପଢ଼ନ୍ତୁ: କ୍ରିକେଟ ମୈଦାନରୁ ପଲିଟିକାଲ୍ ପିଚ୍: ପଟୌଦୀ କ୍ଲିନ୍ ବୋଲ୍ଡ, ଇମ୍ରାନଙ୍କ ବଲେ୍ ବଲେ୍?