ଦୁବାଇରୁ ଆସିବ ନିବେଶ:ସମୃଦ୍ଧ ହେବ ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ପରେ ଏକ ବଡ ଖବର ସାମ୍ନାକୁ ଆସିଛି। ନବୀନ ପଟ୍ଟନାୟକ ତାଙ୍କ ଗସ୍ତ ସମୟରେ ବହୁ ପୁଞ୍ଜିନିବେଶକଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଓଡିଶାରେ ପାଖାପାଖି ୨୨ ହଜାର କୋଟିର ପୁଞ୍ଜିନିବେଶ ପାଇଁ ଦୁବାଇର ନିବେଶକ ପ୍ରତିଶ୍ରୃତି ଦେଇଛନ୍ତି। ଦୁବାଇ ଓ କୁଏତ ପରି ମଧ୍ୟପ୍ରାଚ୍ୟର ଦେଶମାନେ ଓଡିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ବିଶେଷକରି ଖଣିଜଶିଳ୍ପ, ହୋଟେଲ ଶିଳ୍ପ, ୟୁରିଆ ପ୍ଲାଣ୍ଟରେ ନିବେଶ ପାଇଁ ଆଗ୍ରହ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ତରଫରୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାର ପ୍ରତିଶ୍ରୃତି ଦେଇଛନ୍ତି। ଏହାଫଳରେ ୧୯ ହଜାରରୁ ଅଧିକ ଲୋକ ନିଯୁକ୍ତି ପାଇବାର ସୁଯୋଗ ସୃଷ୍ଟି ହେବ।

ଓଡ଼ିଶା ଆସିଛନ୍ତି ଦୁବାଇ କମ୍ପାନୀ
ପ୍ରଥମଥର ପାଇଁ ଓଡ଼ିଶାକୁ ଅନେକ ଦୁବାଇ ପୁଞ୍ଜି ନିବେଶକ ଆସୁଛନ୍ତି। ନିବେଶମାନଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ଆକୃଷ୍ଟ କରିବାକୁ ଦୁବାଇରେ ଏହି ମିଟର ଆୟୋଜନ କରିଥିଲେ ଓଡ଼ିଶା ସରକାର। ଯଦି ପ୍ରକୃତରେ ଏହି ନିବେଶ ପ୍ରତିଶ୍ରୁତି ଫଳପ୍ରଦ ହୁଏ, ତେବେ ଓଡ଼ିଶାରେ ବ୍ୟାପକ ଆର୍ଥିକ ଉନ୍ନତି ସହ ବ୍ୟାପକ ରୋଜଗାରର ସୁଯୋଗ ସୃଷ୍ଟି ହେବ। ଲୁଲୁ ଫାଇନାନ୍ସିଆଲ ଗ୍ରୁପ ଆଣ୍ଡ ଟ୍ୱେଂଟି ୧୪ ହୋଲଡିଂ ୧୫ ଶହ କୋଟିର ନିବେଶ ପାଇଁ ପ୍ରସ୍ତାବ ଦେଇଛି। ଏହା ସହିତ ଦୁବାଇର ଶୋଭା ରିୟାଲିଟି କମ୍ପାନୀ ୫ ହଜାର କୋଟି ନିବେଶ କରିବାକୁ ଲକ୍ଷ୍ୟ ରଖିଛି। ଖଣିଜ ପଦାର୍ଥ ଏବଂ ହୋଟେଲ ଶିଳ୍ପରେ ଏହି କମ୍ପାନୀ ପୁଞ୍ଜି ନିବେଶ କରିବ। କୁଏତର ଏନବିଟିସି ଗ୍ରୁପ ୫ ହଜାର କୋଟି ନିବେଶ କରି ଏକ ଆମୋନିଆ ୟୁରିଆ ପ୍ଲାଣ୍ଟ ନିର୍ମାଣ ପାଇଁ ପାଇଁ ପ୍ରସ୍ତାବ ଦେଇଛି। ଡିପି ୱାଲର୍ଡ ଆଣ୍ଡ ହିନ୍ଦୁସ୍ତାନ ପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ବନ୍ଦର ନିର୍ମାଣ ଓ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ବାବଦରେ ୮ ହଜାର କୋଟି ନିବେଶ କରିବ। ଏହା ସହିତ ତବରିଦ ଗ୍ରୁପ ଆଇସିଟି କ୍ୟାମ୍ପସ ଭୁବନେଶ୍ୱରରେ ୧ ହଜାର କୋଟିର ନିବେଶ କରିବା ସହ ସରାଫ ଗ୍ରୁପ୍ ଓଡ଼ିଶାର ଲଜିଷ୍ଟିକ ସେକ୍ଟରରେ ୭୫୦ କୋଟି ନିବେଶ ପାଇଁ ଲକ୍ଷ୍ୟ ରଖିଛି।ଏହା ମାଧ୍ୟମରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବା ସହ ରାଜ୍ୟର ଆର୍ଥିକ ସ୍ଥିତି ସମୃଦ୍ଧ ହୋଇପାରେ ବୋଲି ଅନୁମାନ କରାଯାଉଛି।
Connect With Us