ମେ’ ୧୨ ରେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ହୋଇଥିଲା ବଡ଼ ଧରଣର ହଟଚମକ। ଇସ୍ତଫା ଦେଇଥିଲେ ରାଜ୍ୟର ଦୁଇ ମନ୍ତ୍ରୀ ସମୀର ରଞ୍ଜନ ଦାସ,ଶ୍ରୀକାନ୍ତ ସାହୁ ଏବଂ ବାଚସ୍ପତି ବିକ୍ରମ କେଶରୀ ଆରୁଖ। ସେବେଠୁ ବାଚସ୍ପତି ଆସନ ଖାଲି ପଡ଼ିଥିବା ବେଳେ ଦୁଇ ମନ୍ତ୍ରୀ ଛାଡ଼ିଥିବା ବିଭାଗ ସମ୍ଭାଳିଛନ୍ତି ପ୍ରମିଳା ମଲ୍ଲିକ। ପୂର୍ବରୁ ନବକିଶୋର ଦାସ ନେଇଥିବା ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ସମ୍ଭାଳିଛନ୍ତି ନିରଞ୍ଜନ ପୁଜାରୀ। ମୋଟ ଉପରେ ଦେଖିବାକୁ ଗଲେ ବାଚସ୍ପତିଙ୍କ ସହିତ ତିନି ପ୍ରମୁଖ ବିଭାଗର ମନ୍ତ୍ରୀପଦ ଖାଲି ପଡ଼ିଛି । ମେ ୨୨’ ରେ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ମୁଖ୍ୟ ଶାସନ ସଚୀବଙ୍କ ପକ୍ଷରୁ ସୁଚନା ଦିଆଯାଇଛି। କୌଣଷି ନାଁକୁ ନେଇ ସ୍ପଷ୍ଟୀକରଣ ଆସି ନଥିବାରୁ କାହା ଉପରେ ନବୀନ ପଟ୍ଟନାୟକଙ୍କ ଶୁଭଦୃଷ୍ଟି ପଡ଼ିବ ତାକୁ ନେଇ ଢେର ଚର୍ଚ୍ଚା।
କିଏ ହେବେ ବାଚସ୍ପତି?
ମେ ୧୨ ରୁ ଖାଲି ପଡ଼ିଛି ବାଚସ୍ପତି ଆସନ। ୨୦୨୨ ଜୁନ୍ ୫ ରେ ସୂର୍ଯ୍ୟନାରାୟଣ ପାତ୍ର ଦେଇଥିଲେ ଇସ୍ତଫା। ମନ୍ତ୍ରୀମଣ୍ଡଳର ନବୀକରଣ ପରେ ବାଚସ୍ପତି ଆସନରେ ବସିଥିଲେ ବିକ୍ରମ କେଶରୀ ଆରୁଖ। ମାତ୍ର ସେ ଇସ୍ତଫା ଦେଲାପରେ ଦଳ କାହାକୁ ଏ ଆସନରେ ବସେଇବ ତାକୁ ନେଇ ଅନେକ ଚର୍ଚ୍ଚା। ବରିଷ୍ଠତା ଦୃଷ୍ଟିରୁ ଅମର ଶତପଥି,ପ୍ରଫୁଲ୍ଲ ସାମଲ ଓ ଦେବୀ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର୍ ହେଉଛି। ମହିଳା କାର୍ଡ ଖେଳିଲେ ହୁଏତ ପ୍ରମିଳା ମଲ୍ଲିକ ଏ ଆସନରେ ବସି ପାରନ୍ତି।
ବାପାଙ୍କ ସ୍ଥାନ ନେବେ କି ଝିଅ?
୨୦୨୨ ଜୁନ୍ ୫ରେ ଓଡ଼ିଶା ମନ୍ତ୍ରିମଣ୍ଡଳର ହୋଇଥିଲା ପୁନର୍ଗଠନ। ପୁନର୍ଗଠିତ ମନ୍ତ୍ରୀ ମଣ୍ଡଳରେ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୮ ଜଣ ରାଷ୍ଟ୍ରମନ୍ତ୍ରୀ ସ୍ଥାନ ପାଇଥିଲେ। ମନ୍ତ୍ରୀମଣ୍ଡଳର ସଦସ୍ୟ ସଂଖ୍ୟା ଥିଲା ୨୧। ନବ ଦାସଙ୍କ ମଅତ୍ୟୁ ପରେ ନିରଞ୍ଜନ ପୁଜାରୀ ସେ ବିଭାଗ ସମ୍ଭାଳୁଥିଲା ବେଳେ ମେ ୧୨ ରେ ସମୀର ଓ ଶ୍ରୀକାନ୍ତଙ୍କ ଇସ୍ତଫା ପରେ ୪ ଟି ବିଭାଗର ମନ୍ତ୍ରୀ କାହାକୁ ମିଳିବ ଏହାକୁ ନେଇ ପାୱାର କରିଡର ଓ ବିଜେଡି ଅନ୍ଦରମହଲରେ ଜୋରଦାର ଚର୍ଚ୍ଚା। ଚର୍ଚ୍ଚା ଅନୁସାରେ ନବ ନିର୍ବାଚିତା ବିଧାୟିକା ଦୀପାଳି ଦାସଙ୍କୁ ମନ୍ତ୍ରୀ ପଦ ମିଳିପାରେ।ବାପାଙ୍କ ରେକର୍ଡ ଭାଙ୍ଗି ବଡ଼ ବ୍ୟବଧାନରେ ଜିତି ଥିବରୁ ତାଙ୍କୁ ସିଟ ମିଳିପାରେ ବୋଲି ଚର୍ଚ୍ଚା।
ଝାରସୁଗୁଡା ନିର୍ବାଚନରେ ଦଳ ପାଇଁ ଖଟିଥିବା କିଛି ପ୍ରମୁଖ ନେତାଙ୍କୁ ପୁରସ୍କାର ଆକାରରେ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଝାରସୁଗୁଡା ପର୍ଯ୍ୟବେକ୍ଷକ ସାରଦା ନାୟକ, ପଶ୍ଚିମ ଓଡିଶାର ଟାଣୁଆ ସଂଗଠକ ସୁଶାନ୍ତ ସିଂହଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ସେହିପରି ଗଂଜାମ ଜିଲ୍ଲାରୁ ଏକାଧିକ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା। ବିଧାୟିକ ଲତିକା ପ୍ରଧାନ, ବାଚସ୍ପତି ପଦ ଛାଡିଥିବା ବିକ୍ରମ କେଶରୀ ଆରୁଖ ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୁରୁତ୍ୱ ମିଳିପାରେ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା