ପାଳିତ ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ। ସ୍ଵାସ୍ଥ୍ୟକୁ ନେଇ ଚାଲିଛି ସଚେତନତାର ବାର୍ତ୍ତା। ସର୍ବେ ଭବନ୍ତୁ ସୁଖିନଃ ନାରାରେ ପାରି ହେଉଛି ବିଶ୍ୱ। କିନ୍ତୁ,ଏବେବି ପ୍ରଶ୍ନବାଚୀରେ ଓଡ଼ିଶାର ସ୍ୱାସ୍ଥ୍ୟ ଅବସ୍ଥା। ଯଦିଓ ପୂର୍ବ ତୁଳନାରେ ଡାକ୍ତରଖାନା ଅଧିକ ପ୍ରତିଷ୍ଠା ହେଉଛି କିନ୍ତୁ ସ୍ଵାସ୍ଥ୍ୟ ଭିତ୍ତିଭୂମିର ସ୍ଥିତି ଏବେ ବି ସଙ୍ଗୀନ। ଚିନ୍ତା ବଢାଉଛି ଡାକ୍ତର ମରୁଡି ଓ ଆବଶ୍ୟକୀୟ ଉପକରଣର ଅଭାବ। ଅନେକ ଜିଲ୍ଲାରେ ଆବଶ୍ୟକତାଠାରୁ ଖୁବ୍ କମ୍ ଡ଼ାକ୍ତର ନିଯୁକ୍ତ ହୋଇଛନ୍ତି।
ଡାକ୍ତର ତିଆରିରେ ଓଡ଼ିଶା ପଛରେ
ଡାକ୍ତର ତିଆରିରେ ପଛରେ ପଡ଼ିଛି ଓଡ଼ିଶା। ୧,୦୮୦ ଲୋକଙ୍କ ପାଇଁ ଜଣେ ଡାକ୍ତରଙ୍କ ଆବଶ୍ୟକ ଥିଲାବେଳେ, ଓଡିଶାରେ ୨,୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ନିଯୁକ୍ତ ହୋଇଛନ୍ତି ଜଣେ ଡାକ୍ତର। ଓଡ଼ିଶା ପାଇଁ ୪୬,୦୦୦ ଡାକ୍ତର ଆବଶ୍ୟକ ଥିଲାବେଳେ, ସରକାରୀ ଏବଂ ଘରୋଇ ସ୍ତରରେ ନିଯୁକ୍ତ ହୋଇଛନ୍ତି ମାତ୍ର ୧୭,୦୦୦ ଡାକ୍ତର। ଡ଼ାକ୍ତରୀ ଶିକ୍ଷକଙ୍କ ପଦବୀ ବି ଖାଲି ପଡିଛି। ଫଳରେ ଅଧ୍ୟାପନା,ଗବେଷଣା ପରୀକ୍ଷା ପରିଚାଳନା ସହ ରୋଗୀସେବା ମଧ୍ୟ ବାଧାପ୍ରାପ୍ତ ହେଉଛି। ୨୦୧୨ ରେ ପ୍ରତିଷ୍ଠା ହୋଇ ସ୍ୱାସ୍ଥ୍ୟ ସେବାରେ ପ୍ରଥମ ପସନ୍ଦ ପାଲଟିଥିବା AIIMS ରେ ଡ଼ାକ୍ତର,ନର୍ସ, ଫାର୍ମାସିଷ୍ଟଙ୍କ ସମେତ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୧୯୦୦ ପଦବୀ।
ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ନିଜେ ମତ ରଖିଛନ୍ତି ଯେ ରାଜ୍ୟରେ ବିଭିନ୍ନ ଜିଲ୍ଲା ସହିତ କ୍ୟାପିଟାଲ ହସ୍ପିଟାଲ,ରାଉଲକେଲାର RGH, ଜେଲ ହସ୍ପିଟାଲ ସମେତ ମେଡିକାଲ କଲେଜରେ ପାଖାପାଖି ୫୬.୬୫% ଡାକ୍ତର ପଦବି ଖାଲି ପଡ଼ିଛି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ୧୦,୭୭୪ ଥିବାବେଳେ ୬୧୦୪ ଡ଼ାକ୍ତର ପଦବୀ ଖାଲି। ୯୧୫ ଲାବ ଟେକନିସିଆନ୍,୨୧୬୫ ଆଟେଣ୍ଡାଣ୍ଟ ,୫୦୧୪ ଷ୍ଟାଫ ନର୍ସ ପଦ ଖାଲି ପଡ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳୁଥିଲା ବେଳେ ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ସ୍ବାସ୍ଥ୍ୟସେବାକୁ ନେଇ ରାଜ୍ୟର ବିକଳ ଚିତ୍ର ପ୍ରକୃତ ସତ ବଖାଣୁଛି।