BJD-BJP-Alliance

ପାକିସ୍ତାନର ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାଯୁସେନାର ଆକ୍ରମଣ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଛି।ଯାହାର ଝଲକ ଆଗାମୀ ନିର୍ବାଚନରେ ନିଶ୍ଚିତ ଦେଖିବାକୁ ମିଳିବ। ତଥାପି ଲୋକସଭା ନିର୍ବାଚନ ଆଗରୁ ଏନଡିଏ’ର ସହଯୋଗୀଙ୍କୁ ମନାଇବାରେ ବିଜେପି ସଫଳ ହେଲା ପରି ଲାଗୁଛି। ମହାରାଷ୍ଟ୍ରର ଅବୁଝା ସାଥି ଶିବସେନାକୁ ଏନଡିଏରେ ବାନ୍ଧି ରଖିପାରିଲା ବିଜେପି। ଉତ୍ତରପ୍ରେଦେଶର ମେଣ୍ଟ ଦୁର୍ବଳ ହେବା ଆଗରୁ ନାରାଜ ଥିବା ଆପନା ଦଳ ଏବଂ ସୁହେଲଦେବଙ୍କ ଭାରତୀୟ ସମାଜ ପାର୍ଟି ପାଖରେ ପହଞ୍ଚି ଯାଇଛନ୍ତି ବିଜେପି ନେତାଏ। ଆଉ ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ସ(ଏନଡିଏ)ର କଳେବର ବୃଦ୍ଧି କରିବା ଲାଗି AIADMK ସହ ମେଣ୍ଟ ଘୋଷଣା କରିଛି ବିଜେପି। ୨୦୧୯ନିର୍ବାଚନ ପାଇଁ ତାମିଲନାଡୁର ଶାସକ ଦଳ AIADMKର ବିଜେପି ଜୁନିଅର ପାର୍ଟନର ହେବାକୁ ରାଜି ହୋଇଛି।

ନିର୍ବାଚନ ପରେ YSRTRS ସହ!
ଅନ୍ୟପଟେ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ କେତେକ ଦଳ ସହ ବିଜେପି ମେଣ୍ଟ କରିବା ଯୋଜନାରେ ରହିଛି। TDP ଏନଡିଏ ଛାଡ଼ିବା ପରେ ଆନ୍ଧ୍ରପ୍ରଦେଶରେ ନୂଆ ସହଯୋଗୀ ସନ୍ଧାନରେ ରହିଛି ବିଜେପି। TDPର ବିକଳ୍ପ ଭାବେ ଜଗନଙ୍କ YSR କଂଗ୍ରେସ ଉପରେ ନଜର ରଖିଛି ବିଜେପି।ହେଲେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପରି ସମ୍ବେଦନଶୀଳ ପ୍ରସଙ୍ଗରେ ଭୋଟରଙ୍କୁ ଆକୃଷ୍ଟ କରୁଥିବା YSR କଂଗ୍ରେସ ସହ ବିଜେପି ନିର୍ବାଚନ ପରେ ମେଣ୍ଟ କରିପାରେ।କାରଣ ନିର୍ବାଚନ ଆଗରୁ ମେଣ୍ଟ ହେଲେ ଉଭୟ ଦଳକୁ ଫାଇଦା ମିଳି ନପାରେ। ତେଣୁ ମେ’ରେ ନିର୍ବାଚନ ଫଳଫଳ ଆସିବା ପରେ YSR କଂଗ୍ରେସ ଏନଡିଏର ସହଯୋଗୀ ହେବ ବୋଲି ଚର୍ଚ୍ଚା ଜୋରଦାର ହେଉଛି।

ମୋଦି-ଜଗନ

ସେହିପରି ମୁସଲିମ୍ ପ୍ରଭାବିତ ତେଲେଙ୍ଗାନାକୁ ଲିଡ୍ କରୁଥିବା TRS ନିର୍ବାଚନ ପୂର୍ବରୁ ବିଜେପି ସହ ସମ୍ପର୍କ ରଖିବାକୁ ଚାହୁଁନାହିଁ। କଂଗ୍ରେସ ଏବଂ ମହଗଠବନ୍ଧନରୁ ଦୂରେଇ ରହୁଥିବା କେ.ଚନ୍ଦ୍ରଶେଖର ରାଓଙ୍କ TRS ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ଏନଡିଏ ଗ୍ରୁପରେ ସାମିଲ ହୋଇପାରେ।

କେସିଆର-ମୋଦି

ମୋଦି-ଶାହଙ୍କ ଫୋକସରେ ଓଡ଼ିଶା
ତେବେ ରୋଚକ ସ୍ଥିତିରେ ଓଡ଼ିଶା। ଆଗାମୀ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜୁ ଜନତା ଦଳକୁ କଡ଼ା ଟକ୍କର ଦେବ ବିଜେପି।ଏପରିକି ମେ’ର ଫଳାଫଳ ଓଡ଼ିଶାରେ ବିଜେପିକୁ ବଡ଼ ଫାଇଦା ଦେବ ବୋଲି ଅନେକ ସର୍ଭେ ରିପୋର୍ଟ କହୁଛି। ତେବେ ୧୯୯୮ଲୋକସଭା ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ କରିଥିଲେ। ନୂଆ ଦଳ ବିଜେଡି ଲାଗି ଆର୍ଥିକ ସହାୟତା ମଧ୍ୟ ପ୍ରମୋଦ ମହାଜନଙ୍କ ଠାରୁ ମିଳୁଥିଲା। ୧୨ଟି ଏବଂ ୯ଟି ଲୋକସଭା ଆସନରେ ବିଜେଡି-ବିଜେପି ଲଢୁଥିଲେ।ତେବେ ସ୍ୱାମୀ ଳକ୍ଷ୍ମାଣନନ୍ଦ ସ୍ୱରସ୍ୱତୀଙ୍କ ହତ୍ୟା ଓ ପରବର୍ତ୍ତି ଦଙ୍ଗା ଯୋଗୁ ୮ମାର୍ଚ୍ଚ ୨୦୦୯ରେ ବିଜେଡି-ବିଜେପି ମେଣ୍ଟରେ ପୂର୍ଣ୍ଣଛେଦ ପଡ଼ିଥିଲା।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଓଡ଼ିଶାକୁ ୧୦ଥର ଆସିଲେଣି। ନିଜ ସରକାର ୨ବର୍ଷ ପୂର୍ତ୍ତି ପାଳନ ବାଲେଶ୍ୱରରେ ଏବଂ ୪ର୍ଥ ବର୍ଷ ପୂର୍ତ୍ତି କଟକରେ ମନାଇ ଥିଲେ ମୋଦି। ସେହିଭଳି ସଂଗଠନ ସୁଦୃଢ଼ କରିବାକୁ ବିଜେପି ଅଧ୍ୟକ୍ଷ ଅମିତ ଶାହ ୧୧ଥର ଓଡ଼ିଶା ଆସିଲେଣି। ରାଜ୍ୟର ୩୬ହଜାର ବୁଥ୍ ମଜଭୁତ କରିବାକୁ ଶାହ, ବିଜେପିର ପ୍ରାଥମିକ ସଦସ୍ୟତା ମଧ୍ୟ ଓଡ଼ିଶାରୁ ଗ୍ରହଣ କରିଛନ୍ତି। ଯାହାର ଫାଇଦା ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ମିଳିଥିଲା। ୨୦୧୪ ନିର୍ବାଚନରେ  ୧୮% ଭୋଟ୍ ପାଇଥିବା ବିଜେପି,ପଞ୍ଚାୟତ ନିର୍ବାଚନରେ ୩୩% ଭୋଟ୍ ପାଇଲା।ଏହାପରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା।

Narendra Modi-Shah
ମୋଦି-ଶାହ

ଉତ୍ତରର କ୍ଷତି ପୂର୍ବରୁ ଭରଣା
ଅନ୍ୟପଟେ ୨୦୧୪ନିର୍ବାଚନ ବେଳେ ଦେଶରେ ମୋଦି ହାଓ୍ୱା ବୋହୁଥିବା ବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଯାଦୁ ଦେଖିବାକୁ ମିଳିଥିଲା।କିନ୍ତୁ ମୋଦି-ଶାହଙ୍କ ୨୧ଥର ଓଡ଼ିଶା ଗସ୍ତ ଯୋଗୁ ବିଜେପି ଖୁବ ମଜଭୁତ ହୋଇଛି। ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନଙ୍କ ବିକଳ୍ପ ଭାବେ ଗ୍ରହଣୀୟ ହୋଇଛନ୍ତି। ସେଥିପାଇଁ ଲୋକସଭା ନିର୍ବାଚନ ଆଗରୁ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ନାହିଁ। ହେଲେ ଉତ୍ତର ଭାରତର କ୍ଷତି ଓଡ଼ିଶା ଏବଂ ପଶ୍ଚିମବଙ୍ଗରୁ ଭରଣା କରିବା ଲକ୍ଷ୍ୟରେ ଥିବା ମୋଦି-ଶାହ,ବିଜେଡି ସହ ମେଣ୍ଟ କରିବାକୁ କୁଣ୍ଠା କରିବେ ନାହିଁ। କାରଣ ବିମୁଦ୍ରୀକରଣ ଓ ଜିଏସଟି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡିର ମିଳିଛି ସମର୍ଥନ। ସେହିପରି ରାଷ୍ଟ୍ରପତି ଓ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ଭୋଟ୍ ମିଳିଥିଲା। ସବୁଠୁ ବଡ଼ କଥା ମୋଦି ବିରୋଧି ମହାଗଠବନ୍ଧନ ଠାରୁ ନିଜକୁ ନବୀନ ଦୂରେଇ ରଖିଛନ୍ତି।ଅନୁମାନ କରାଯାଉଛି ଲୋକସଭା ନିର୍ବାଚନର ଫଳାଫଳ ମେ’ ମାସରେ ଆସିବା ପରେ କେନ୍ଦ୍ରରେ ସରକାର ଗଠନ କରିବା ପାଇଁ ବିଜେଡି ସହ ବିଜେପି ମେଣ୍ଟ କରିପାରେ।

ନୀତି-ଯୋଜନା ସମାନ
ବଲାଙ୍ଗିରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରୁ ଏହି କଥା ଆହୁରି ସ୍ପଷ୍ଟ ହେବାକୁ ବସିଛି। କାରଣ ରାଜ୍ୟ ବିଜେପି ନେତାଙ୍କ ଇଚ୍ଛା ମୁତାବକ ମୁଖ୍ୟମନ୍ତ୍ରୀ କିମ୍ୱା ରାଜ୍ୟ ସରକାରଙ୍କ ବିରୋଧରେ ବିଶେଷ କିଛି ବର୍ଷିବାକୁ ଉଚିତ ମଣିଲେନି ମୋଦି। ସେପଟେ ମୋଦିଙ୍କ ଜନପ୍ରିୟ କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ଯୋଜନା ଭଳି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ନବୀନଙ୍କ ‘କାଳିଆ’ ଯୋଜନା ଭଳି କେନ୍ଦ୍ର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା। ଏସବୁକୁ ଅନୁଧ୍ୟାନ କଲେ ଗୋଟିଏ କଥା ସୁନିଶ୍ଚିତ ଯେ ବିଜେଡି ସରକାର ଏବଂ କେନ୍ଦ୍ରର ବିଜେପି ସରକାରଙ୍କ ବିଚାରଧାରା ଏକାଭଳି। ଏବେ ମେ’କୁ ଅପେକ୍ଷା, ଭିଭିପାଟର ଫଳାଫଳରୁ ହିଁ ହେବ ନିର୍ଣ୍ଣାୟକ ନିଷ୍ପତ୍ତି।