ଆସନ୍ତା ୩୦ତାରିଖରୁ ଆରମ୍ଭ ହେଉଛି କ୍ରିକେଟର ମହାକୁମ୍ଭ ବିଶ୍ୱକପ୍।ବିଶ୍ୱକପର ୧୨ତମ ସଂସ୍କରଣ ଇଂଲଣ୍ଡରେ ଖେଳାଯିବ।ଟାଇଟଲ ପାଇଁ ଲଢ଼ିବେ ୧୦ଟି ଟିମ୍।ନୂଆ ଫର୍ମାଟରେ ଖେଳାଯିବ ବିଶ୍ୱକପ୍।ପ୍ରତିଟି ଟିମ୍ ସମସ୍ତଙ୍କ ସହ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ।ଶ୍ରେଷ୍ଠ ୪ଟି ଟିମ୍ ଖେଳିବେ ସେମିଫାଇନାଲ୍।କିନ୍ତୁ ଏବର୍ଷ ବିଶ୍ୱକପ୍ ବହୁ ଚର୍ଚ୍ଚିତ ଓ ତାରକା କ୍ରିକେଟରଙ୍କୁ ମିସ୍ କରିବ।ସେମାନେ ଏବେ ମୈଦାନ ବାହାରେ।କାରଣ ଅବସର ନେଇ ସାରିଛନ୍ତି।କିନ୍ତୁ ଗତ ବିଶ୍ୱକପରେ ଦର୍ଶକଙ୍କ ମନ ଜିଣିଥିଲେ ସେମାନେ।
ମାଇକେଲ୍ କ୍ଲାର୍କ (ଅଷ୍ଟ୍ରେଲିଆ)
ଅଷ୍ଟ୍ରେଲିଆକୁ ବିଶ୍ୱବିଜୟୀ କରାଇଥିବା ଚତୁର୍ଥ କ୍ୟାପଟେନ୍ ମାଇକେଲ୍ କ୍ଲାର୍କ।ତାଙ୍କ ନେତୃତ୍ୱରେ ଗତ ବିଶ୍ୱକପରେ ଚାମ୍ପିଅନ୍ ହୋଇଥିଲା କଙ୍ଗାରୁ ବାହିନୀ। ଅଷ୍ଟ୍ରେଲିଆ ପକ୍ଷରୁ କ୍ଲାର୍କ ୨୪୫ ଦିନିକିଆ ଖେଳି ହାସଲ କରିଛନ୍ତି ୭୮୯୧ ରନ୍। ବୋଲିଂ କରି ନେଇଛନ୍ତି ୫୭ଟି ଓ୍ଵିକେଟ୍।କ୍ଲାର୍କ ୨୦୦୭,୨୦୧୧ ଓ ୨୦୧୫ ବିଶ୍ୱକପ୍ ଟିମର ସଦସ୍ୟ ଥିଲେ। ବିଶ୍ୱକପରେ ଖେଳିଥିବା ୨୫ଟି ମ୍ୟାଚରୁ କ୍ଲାର୍କ ୬୩ ଆଭରେଜ୍ରେ ହାସଲ କରିଛନ୍ତି ୮୮୮ ରନ୍।ଚଳିତ ବିଶ୍ୱକପରେ କ୍ଲାର୍କଙ୍କୁ ମନେ ପକାଇବେ ଅଷ୍ଟ୍ରେଲିଆର କ୍ରିକେଟ୍ ଫ୍ୟାନ୍ସ।
କୁମାର ସାଙ୍ଗାକାରା (ଶ୍ରୀଲଙ୍କା)
ଅଧିନାୟକ ଭାବରେ ଶ୍ରୀଲଙ୍କାକୁ ୨୦୧୧ବିଶ୍ୱକପ ଫାଇନାଲକୁ ନେଇଥିଲେ କୁମାର ସାଙ୍ଗାକାରା।କିନ୍ତୁ ବିଶ୍ୱବିଜେତା କରାଇ ପାରିନଥିଲେ। ରନର୍ସ ଅପ୍ରେ ବି ଦର୍ଶକଙ୍କ ଦିଲ୍ ଜିତିଥିଲେ ସାଙ୍ଗାକାରା।୨୦୧୫ ବିଶ୍ୱକପ୍ ସେମିଫାଇନାଲରୁ ଶ୍ରୀଲଙ୍କା ଟିମ୍ ବିଦା ହେବା ପରେ କ୍ରିକେଟକୁ ଅଲବିଦା କହିଥିଲେ ଏହି ସିଂହଳୀ ଓ୍ଵିକେଟ କିପର ବ୍ୟାଟ୍ସମ୍ୟାନ୍।୪୦୪ ମ୍ୟାଚ୍ରେ ସେ ହାସଲ କରିଛନ୍ତି ୧୪ ହଜାର ୨୩୪ ରନ୍।ସାଙ୍ଗାକାରା ଖେଳିଛନ୍ତି ମୋଟ୍ ୩୭ଟି ବିଶ୍ୱକପ୍ ମ୍ୟାଚ୍।୩୫ଟି ଇନିଂସରୁ ୧୫୩୨ ରନ୍ ସଂଗ୍ରହ କରିଛନ୍ତି।
ବ୍ରେଣ୍ଡନ୍ ମ୍ୟାକକୁଲମ୍ (ନ୍ୟୁଜିଲାଣ୍ଡ)
ବିସ୍ଫୋରକ ବ୍ରେଣ୍ଡନ ମ୍ୟାକକୁଲମ୍।ଯେପର୍ଯ୍ୟନ୍ତ ଖେଳୁ ଥାଆନ୍ତି ବୋଲରଙ୍କୁ ନୟାନ୍ତ କରନ୍ତି।୨୦୧୫ ବିଶ୍ୱକପ୍ରେ ବ୍ରେଣ୍ଡନ୍ ମ୍ୟାକକୁଲମଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଫାଇନାଲରେ ଏଣ୍ଟ୍ରି ମାରିଥିଲା।ପ୍ରଥମ ଥର ବିଶ୍ୱବିଜେତା ହେବାର ସୌଭାଗ୍ୟ ପାଇଥିଲେ ବି ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା କିଓ୍ଵି ଦଳ। ଓ୍ଵିକେଟ କିପର ବ୍ୟାଟ୍ସମ୍ୟାନ ମ୍ୟାକକୁଲମ୍ ୨୬୦ ମ୍ୟାଚ୍ ଖେଳି ୬୦୮୩ ରନ୍ କରିଛନ୍ତି।୨୦୦୩ରୁ ୨୦୧୫ ଯାଏଁ ୪ଟି ବିଶ୍ୱକପରେ ସେ ଖେଳିଛନ୍ତି ୩୪ଟି ମ୍ୟାଚ୍।୩୩.୭୨ଆଭରେଜରେ ୭୪୨ରନ୍ କରିଛନ୍ତି।ନ୍ୟୁଜିଲାଣ୍ଡ କ୍ରିକେଟ୍ ଫ୍ୟାନ୍ ମ୍ୟାକକୁଲମଙ୍କ ଧମାକାଦାର ଇନିଂସକୁ ଏଥର ବହୁତ ମନେ ପକାଇବେ।
ଏ.ବି.ଡିଭିଲିୟର୍ସ (ଦକ୍ଷିଣ ଆଫ୍ରିକା)
ମିଷ୍ଟର ୩୬୦ ନାଁରେ ଜଣାଶୁଣା ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏ.ବି.ଡିଭିଲିୟର୍ସ ଗତବର୍ଷ ସନ୍ୟାସ ନେଇଛନ୍ତି। କ୍ୟାରିୟରରେ ୨୨୮ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ୫୩.୫୦ ଆଭରେଜ୍ରେ ପିଟିଛନ୍ତି ୯୫୭୭ ରନ୍।ଏଥିରେ ରହିଛି ୨୫ଟି ଶତକ ଓ ୫୩ ଅର୍ଦ୍ଧଶତକ। ବିଶ୍ୱକପ୍ରେ ସେ ୨୩ଟି ମ୍ୟାଚ୍ ଖେଳି,ସଂଗ୍ରହ କରିଛନ୍ତି ୧୨୦୭ ରନ୍।ବିଶ୍ୱକପରେ ୪ଟି ଶତକ ଓ ୬ଟି ଅର୍ଦ୍ଧଶତକ ତାଙ୍କ ନାଁରେ ରହିଛି।ଡିଭିଲିୟର୍ସ ଏହି ବିଶ୍ୱକପରେ ନ ଖେଳିବା କେବଳ ଦକ୍ଷିଣ ଆଫ୍ରିକା ନୁହେଁ ପୂରା ବିଶ୍ୱର କ୍ରିକେଟ ଫ୍ୟାନଙ୍କୁ ନିରାଶ କରିବ।
ମାହେଲା ଜୟବର୍ଦ୍ଧନେ (ଶ୍ରୀଲଙ୍କା)
ପାଖାପାଖି ଦୁଇ ଦଶନ୍ଧି ଧରି ଶ୍ରୀଲଙ୍କା ପାଇଁ କ୍ରିକେଟ ଖେଳିଛନ୍ତି ମାହେଲା ଜୟବର୍ଦ୍ଧନେ।୪୪୮ ଓ୍ଵାନ୍ ଡେ ମ୍ୟାଚରୁ ୩୩.୩୭ ଆଭରେଜରେ ୧୨ହଜାର ୩୫୦ ରନ୍ ସଂଗ୍ରହ କରିଥିଲେ।ଏହା ଭିତରେ ରହିଛି ୧୯ଶତକ,୭୭ ଅର୍ଦ୍ଧଶତକ। ବିଶ୍ୱକପ୍ ଇତିହାସରେ ୪୦ଟି ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି ମାହେଲା ଜୟବର୍ଦ୍ଧନେ।ତାଙ୍କ ବ୍ୟାଟରୁ ବାହାରିଛି ୧୧୦୦ ରନ୍। ବିଶ୍ୱକପରେ ୪ଟି ଲେଖାଏଁ ଶତକ ଓ ଅର୍ଦ୍ଧଶତକର ସେ ଅଧିକାରୀ।୧୯୯୯ରୁ ୨୦୧୫ ଯାଏଁ ବିଶ୍ୱକପ୍ର ସମସ୍ତ ସଂସ୍କରଣରେ ଖେଳିଥିଲେ ଜୟବର୍ଦ୍ଧନେ।