ଓଡ଼ିଶାର ଆଗାମୀ ମୁଖ୍ୟ ଶାସନ ସଚିବ ପଦକୁ ନେଇ ଅନୁମାନର ଅଙ୍କକଶା ଆରମ୍ଭ ହୋଇସାରିଛି। ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ଥିବା ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଅଗଷ୍ଟ ମାସରେ ଶେଷ ହେଉଛି ।ଫେବଅୟାରୀ 28 ରେ ତାଙ୍କର ଅବସର ପରେ କାର୍ଯ୍ୟକାଳ ୬ ମାସ ବଢିଥିଲା ଯାହା ଅଗଷ୍ଟରେ ସରୁଛି। ଏବେ ଚର୍ଚ୍ଚା ପରବର୍ତ୍ତୀ ମୁଖ୍ୟ ଶାସନ ପଦ ହାତେଇବାକୁ ଜୋରଦାର ଲବି ଚାଲିଛି । ଲବି ଲିଷ୍ଟରେ ପ୍ରଦୀପ ଜେନା ଓ ପ୍ରଦୀପ୍ତ ମହାପାତ୍ରଙ୍କ ଭଳି ବରିଷ୍ଠ ଓଡ଼ିଆ ଆଇଏଏସ ଅଫିସରଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି।
ମନ ଜିଣିବେ କି ଅଣଓଡ଼ିଆ
ସୁରେଶଙ୍କ ପରେ ମୁଖ୍ୟ ଶାସନ ସଚିବ ପଦବୀରେ ଅଣଓଡ଼ିଆ ଅଫିସର ବସିବା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ। ଯେହେତୁ ଅନେକ କ୍ଷେତ୍ରରେ ଏପରି ଘଟିବାର ନଜିର ରହିଛି। ପୋଲିସ ଡିଜି ପଦରେ ଜଣେ ଅଣଓଡ଼ିଆ ରହିସାରିଛନ୍ତି। ତେଣୁ ମୁଖ୍ୟ ଶାସନ ସଚିବ ବି ଜଣେ ଅଣଓଡ଼ିଆ ହୋଇପାରନ୍ତି। କିଛି ବରିଷ୍ଠ ଆଇଏଏସ ଅଫିସର ମୁଖ୍ୟ ଶାସନ ସଚିବ ପଦବୀ ପାଇଁ ଚାପ ସୃଷ୍ଟି କରିବାକୁ ଛୁଟିରେ ରହୁଥିବା ଶୁଣାଯାଉଛି। ରାଜକୁମାର ଶର୍ମାଙ୍କ କାର୍ଯ୍ୟକାଳ କମ୍ ଦିନ ଥିବାରୁ ତାଙ୍କ କଥାକୁ ଏଡ଼ାଇ ଦିଆଯାଇପାରେ।ଅଣ ଓଡ଼ିଆ ଅଫିସରଙ୍କ ଭିତରେ ମୋନା ଶର୍ମା,ଜି. ଭି.ଭେନୁଗୋପାଲ ଓ ରାଜେଶ ବର୍ମାଙ୍କ ନାଁ ରହିଥିବା ଚର୍ଚ୍ଚା ହେଉଛି।
ଚାଲିଛି ଆନୁଗତ୍ୟର ମୁଲ୍ୟାଙ୍କନ
ଶାସନ ସଚିବର ଲବି ଭିତରେ ଆଇଏଏସ ଅଫିସର ସଞ୍ଜୀବ ଚୋପ୍ରାଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ନବୀନ ସରକାର ଏବେ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି। ସୁରେଶ ମହାପାତ୍ରଙ୍କ ଭଳି ଆନୁଗତ୍ୟ ଦେଖାଉଥିବା ଅଫିସର ସନ୍ଧାନ ହେଉଛି। ଖୋଜିବା ପ୍ରକ୍ରିୟା ଜାରି ରହିଛି। ଏପେଟ ଲବିରେ ଥିବା ଅଫିସରଙ୍କ ଆନୁଗତ୍ୟ ପରୀକ୍ଷା ବି ଚାଲିଛି। ଯଦି ସେମାନଙ୍କ ମଧ୍ୟରୁ କେହି ସଫଳ ହୋଇଗଲେ, ତେବେ ଆଗକୁ ନୂଆ ମୁଖ୍ୟ ଶାସନ ସଚିବ ପଦବୀରେ ବସିବେ ବୋଲି ରାଜନୈତୀକ ଚର୍ଚ୍ଚା ଜାରୀ ରହିଛି।
ବଢ଼ିବ କି ସୁରେଶଙ୍କ କାର୍ଯ୍ୟକାଳ
ଆଶାୟୀଙ୍କ ଲମ୍ବା ତାଲିକା ସତ୍ୱେ ଭରଷା ଲିଷ୍ଟରେ ସୁରେଶ ମହାପାତ୍ରଙ୍କ ନାଁ ରହିଥାଇପାରେ। ସୁରେଶ ମହାପାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ସବୁ କାମ ସରକାରଙ୍କ ନିର୍ଦ୍ଦେଶରେ କରୁଛନ୍ତି। ସେ ସରକାରଙ୍କ ଏକାନ୍ତ ଅନୁଗତ ସାଜି ଫାଇଦା ବି ପାଇଛନ୍ତି। ଗତ ଫେବୃଆରୀରେ ତାଙ୍କ କାର୍ଯ୍ୟକାଳ ସରିଥିବା ବେଳେ ତାଙ୍କୁ ଆଉ ୬ ମାସ ମୁଖ୍ୟ ଶାସନ ସଚିବ ପଦବୀରେ ସରକାର ବସାଇଛନ୍ତି। ତେଣୁ ତାଙ୍କର ଆନୁଗତ୍ୟ ହେତୁ କାର୍ଯ୍ୟକାଳ ବଅଦ୍ଧି ହୋଇପାରେ ବୋଲି ଚାପା ଗୁଞ୍ଜରଣ ସୃଷ୍ଟି ହେଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା