ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବ୍ରଜରାଜନଗର ବିଧାନସଭା ଆସନ ଖାଲି ପଡ଼ିଛି। ଗତ ଡିସେମ୍ବର ୩୦ରେ କିଶୋର ମହାନ୍ତିଙ୍କ ପରଲୋକ ହୋଇଥିଲା। ନିୟମ ଅନୁସାରେ ୬ ମାସ ଭିତରେ ହେବ ଉପନିର୍ବାଚନ। କିଶୋର ମହାନ୍ତି ବିଜେଡି ଟିକେଟ୍‌ରେ ଏଠାରୁ ଜିତିଥିଲେ। ଏଣୁ ଦଳ ଉପନିର୍ବାଚନ ପାଇଁ ଏଠାରୁ କାହାକୁ ପ୍ରାର୍ଥୀ କରିବ,ତାକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି।ବିଜେଡିର ନିର୍ବାଚନ ଷ୍ଟ୍ରାଟେଜିକୁ ତର୍ଜମା କଲେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପରିବାର ସଦସ୍ୟଙ୍କୁ ବିଜେଡି ପ୍ରାର୍ଥି କରିବାର ସମ୍ଭାବନା ରହିଛି। କିନ୍ତୁ ବ୍ରଜରାଜନଗରର ରାଜନୈତୀକ ହାଲଚାଲକୁ ଅନୁଧ୍ୟାନ କଲେ ଏନେଇ କୌଣସି ନିଶ୍ଚିନ୍ତତା ନଥିବା ମଧ୍ୟ ଆଲୋଚନା ହେଉଛି।

ସ୍ୱର୍ଗତ କିଶୋର ମହାନ୍ତି

କାହକୁ ମିଳିବ ଟିକେଟ୍
ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଦିବଂଗତ ବିଧାୟକ କିଶୋରଙ୍କ ପତ୍ନୀ ଅଳକା ମହାନ୍ତି ଏଠାରୁ ଟିକେଟ୍‌ ପାଇବାର ସମ୍ଭାବନା ଅଧିକ। ସମବେଦନା ସାଉଁଟିବାକୁ ଏଭଳି ମାଷ୍ଟରଷ୍ଟ୍ରୋକ୍ ଖେଳିପାରେ ବିଜେଡି ।ଏମିତିରେ ବି ଦେଖିବାକୁ ଗଲେ ବିଭିନ୍ନ ସମୟରେ ହୋଇଆସିଥିବା ଉପନିର୍ବାଚନ ସମୟରେ ଆସନ ହାତେଇବାକୁ ଦିବଂଗତ ନେତାଙ୍କ ପରିବାର ସଦସ୍ୟଙ୍କୁ ପ୍ରାର୍ଥି କରିଛି ବିଜେଡି । ପିପିଲି ବିଧାୟକ ପ୍ରଦୀପ ମହାରଥିଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ରୁଦ୍ର ମହାରଥି ତଥା ଅନ୍ୟ ନେତାଙ୍କ ଦେହାନ୍ତ ବେଳେ ପରିବାରବାଦର ଚାଳ୍ ଖେଳିଛି ବିଜେଡି। କିନ୍ତୁ ବ୍ରଜରାଜନଗରରେ ରାଜନୀତିକ ଘଟଣା ଗୁଡ଼ିକୁ ଅନୁଧ୍ୟାନ କଲେ ଲାଗୁଛି ଏଠାରୁ ଟିକେଟ୍ ପାଇବାକୁ ଆଶା ବାନ୍ଧିଛନ୍ତି ଦୀପାଳି ଦାସ। ସେ ହେଉଛନ୍ତି ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ।
କିଶୋରଙ୍କ ପରିବାରର ରାଜନୈତୀକ ସ୍ୱାସ୍ଥ୍ୟ ବିଗିଡେଇବେ କି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ?
ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନେକ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଦୀପାଳିଙ୍କୁ ଦେଖିଲା ପରେ କିଶୋରଙ୍କ ପତ୍ନଈଙ୍କ ଟିକେଟକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଲଖନପୁରରେ ମହିଳା ଦିବସ କାର୍ଯ୍ୟକ୍ରମ ସହିତ ଏକ ଆମ୍ବୁଲାନ୍ସ ଲୋକାର୍ପଣ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଚର୍ଚ୍ଚା ହେଉଛି ବ୍ରଜରାନଗର ଅଞ୍ଚଳରେ ପରିଚିତ ହେବା ପାଇଁ ଫିଲ୍ଡ ୱାର୍କରେ ଲାଗି ପଡ଼ିଛନ୍ତି କି  ଦୀପାଳି। ଅନ୍ୟପକ୍ଷରେ ପୌର ନିର୍ବାଚନ ସମୟରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ଉପ-ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା କହି ସାରିଛନ୍ତି।ଦଳ ଟିକେଟ୍‌ ଦେଲେ ସେ ପ୍ରତ୍ୟକ୍ଷ ରାଜନୀତିକୁ ଆସିବେ।ଅଳକା ଓ ଦୀପାଳିଙ୍କୁ ନେଇ କେବଳ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉ ନାହିଁ, ବିଜେଡି କର୍ମୀଙ୍କ ମଧ୍ୟରେ ମଧ୍ୟ ଆଲୋଚନା ହେଉଛି। କିଶୋରଙ୍କ ଅନୁଗତମାନେ ଅଳକାଙ୍କୁ ଟିକେଟ୍‌ ଦିଆଯାଉ ବୋଲି ମତ ରଖୁଥିବା ବେଳେ ଆଉ ଏକ ଗୋଷ୍ଠୀ ଦୀପାଳିଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛି। ଆଗାମୀ ଉପନିର୍ବାଚନରେ କିଏ ପ୍ରାର୍ଥୀ ସାଜିବ ତାହା କେବଳ ନବୀନଙ୍କ ମୋହର ହିଁ ସ୍ପଷ୍ଟ କରିବ।