ଏବେ ନୁହେଁ ସମ୍ବଲପୁର-ରାଉରକେଲା ମହାନଗର ନିଗମ ନିର୍ବାଚନ

ରାଜଧାନୀର ପ୍ରଥମ ନାଗରିକ ଜଣେ ମହିଳା ହେବାକୁ ଯାଉଥିବାର ସ୍ପଷ୍ଟ ହୋଇଛି।କାରଣ ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଭୁବନେଶ୍ୱର ମହାନଗର ନିଗମର ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଅବଶ୍ୟ ମହାନଗର ନିଗମ ପ୍ରତିଷ୍ଠା ହେବା ଦିନ ଠାରୁ ଅଣସଂରକ୍ଷିତ ହୋଇ ଆସୁଥିବା ମେୟର ପଦ, ପ୍ରଥମ ଥର ପାଇଁ ମହିଳାଙ୍କ ସଂରକ୍ଷିତ ରହିବ।ଯଦି କୌଣସି ବିରୋଧ ନଆସେ, କେବଳ ଭୁବନେଶ୍ୱର ନୁହେଁ, ଦକ୍ଷିଣ ଓଡ଼ିଶାର ହେଡକ୍ୱାଟର ବ୍ରହ୍ମପୁର ମହାନଗର ନିଗମର ମେୟର ପଦ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। କିନ୍ତୁ କଟକ ମହାନଗର ନିଗମର ମେୟର ପଦକୁ ଅଣସଂରକ୍ଷିତ ରଖାଯାଇ ଲଢ଼େଇ ମୈଦାନକୁ ବ୍ୟାପକ କରାଯାଇଛି।

ପଛରେ ରହିଗଲା ପଶ୍ଚିମ ଓଡ଼ିଶା
ଅନ୍ୟପକ୍ଷରେ ରାଜ୍ୟରେ ଥିବା 5ଟି ମହାନଗର ନିଗମ ମଧ୍ୟରୁ ସମ୍ବଲପୁର ଏବଂ ରାଉରକେଲା ମେୟର ପଦକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ପଶ୍ଚିମ ଓଡ଼ିଶାର ଏହି ୨ଟି ମହାନଗର ନିଗମ ନିର୍ବାଚନ କେବେ ହେବ ସେ ନେଇ କିଛି ସ୍ପଷ୍ଟତା ନାହିଁ। ଲାଗୁଛି ଆଞ୍ଚଳିକ ବୈଷ୍ଣବବାଦର ଶିକାର ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼ାଇ କମିଟି ଦେଇଥିବା ରିପୋର୍ଟ କାର୍ଯ୍ୟକାରୀ କରାଇବାରେ ବିଫଳ ହୋଇଛନ୍ତି ସରକାର। ନଚେତ୍ ଉପକୂଳ ଓଡ଼ିଶାର ୩ଟି ମହାନଗର ନିଗମର ମେୟର ପଦର ସଂରକ୍ଷଣ ନେଇ ପ୍ରକ୍ରିୟା ଆରମ୍ଭ ହେଲା।ଅଥଚ କୋର୍ଟରେ ମାମଲା ରହିଛି କହି ସମ୍ବଲପୁର ଏବଂ ରାଉରକେଲା ମହାନଗର ନିଗମ ନିର୍ବାଚନକୁ ଝୁଲାଇ ରଖାଗଲା
ମହାନଗର ନିଗମକୁ ୯ ଚାଲିଲା, ସମ୍ବଲପୁରବାସୀ ପାଇଲେ ନାହିଁ ମେୟର
ସମ୍ବଲପୁର ପୌର ପରିଷଦ ବୁର୍ଲା ଏବଂ ହୀରାକୁଦ ଏନଏସିକୁ ନେଇ ମହାନଗର ନିଗମ ଗଠିତ ହେଲା। ୧୫ ନଭେମ୍ବର ୨୦୧୩ରେ ସମ୍ବଲପୁର ମହାନଗର ନିଗମର ମାନ୍ୟତା ପାଇଲା। ଆଶା କରାଯାଉଥିଲା ପଶ୍ଚିମ ଓଡ଼ିଶାର ହେଡକ୍ୱାଟର ସମ୍ବଲପୁର ମହାନଗର ନିଗମ, ୨୦୧୪ରେ ନିଜର ପ୍ରଥମ ମେୟର ପାଇବ। କିନ୍ତୁ ୪୧ଟି ଓ୍ୱାର୍ଡକୁ ନେଇ ଗଠିତ ସମ୍ବଲପୁର ମହାନଗର ନିଗମ ପ୍ରତିଷ୍ଠାକୁ ୮ ବର୍ଷ ବିତିଲାଣି,କିନ୍ତୁ ଓ୍ୱାର୍ଡ ସଂରକ୍ଷଣ ବିବାଦ ତୁଟୁନି।ବାସ୍ତବରେ ଓ୍ୱାର୍ଡ ସଂରକ୍ଷଣକୁ ନେଇ ବିବାଦ ନା BJDର ସ୍ଥିତି ଭଲ ନାହିଁ ? ଅବଶ୍ୟ BJD କହିପାରେ ଯେ ଓ୍ୱାର୍ଡ ସଂରକ୍ଷଣ ମାମଲା ଏବେ ହାଇକୋର୍ଟରେ ବିଚାରଧିନ ରହିଛି।

ସେପେଟେ ୩୩ଟି ଓ୍ୱାର୍ଡକୁ ନେଇ ୧୪ ନଭେମ୍ବର ୨୦୧୪ରେ ହେଲା ଗଠିତ ରାଉରକେଲା ମହାନଗର ନିଗମ।କିନ୍ତୁ ରାଉରକେଲା ମହାନଗର ନିଗମରେ କାହିଁକି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ମିଶାଗଲା ବୋଲି କହି ମାମଲା କୋର୍ଟକୁ ଗଲା। ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଭୟ କରୁଥିବା BJDକୁ କୋର୍ଟ-କଚେରୀ ମାମଲା ଖୁବ ସୁହାଉଛି। ସେଥିପାଇଁ ମହାନଗର ନିଗମ ପ୍ରତିଷ୍ଠାକୁ ୭ବର୍ଷ ବିତିଥିଲେ ମଧ୍ୟ BJD ସରକାର ରାଉରକେଲା ମହାନଗର ନିଗମକୁ ନେଇ ଚାଲିଥିବା କେସର ଫଇସଲା ଆଣିବାରେ ଉଦ୍ୟମ କଲା ପରି ଲାଗୁନାହିଁ।
ତେବେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଆଭିମୁଖ୍ୟ ସ୍ପଷ୍ଟ କରୁନଥିବା ରାଜ୍ୟ ସରକାର; ଏବେ ରାଉରକେଲା ଏବଂ ସମ୍ବଲପୁର ମହାନଗର ନିଗମକୁ ଝୁଲାଇ ରଖିବାର କାରଣ ପରାଜୟର ଭୟ ନା BJDରେ ଅର୍ନ୍ତଦ୍ୱନ୍ଦ୍ୱ ?
ଏ ଷ୍ଟୋରୀକୁ ଲେଖିଛନ୍ତି-ଦେବେନ୍ଦ୍ର ନାୟକ
Connect With Us