ଭାରତୀୟ ରାଜନୀତିରେ ଝିଅ ଇନ୍ଦିରାଙ୍କୁ ଥଇଥାନ କରିବାକୁ ନେହରୁ ଯେଉଁ ଫ୍ୟାମିଲି ପଲିଟିକ୍ସର ଗଛ ଲଗାଇଥିଲେ, ତାହା ଏବେ ମହାଦ୍ରୁମରେ ପରିଣତ ହୋଇଛି। ସାରା ଦେଶରେ ପଲିଟିକ୍ସ ଏବେ Family Rights ଭାବେ ଦେଖାଯାଉଛି। ଆମ ଓଡ଼ିଶା ମଧ୍ୟ ସେଥିରୁ ବାଦ ପଡିନାହିଁ। ନେହରୁଙ୍କ ପଟ୍ଟଶିଷ୍ୟ ବିଜୁ ପଟ୍ଟନାୟକଙ୍କ ପରିବାର ହାତରେ ଏବେ ଓଡ଼ିଶା। ବିଜୁ ବାବୁଙ୍କ ପୁଅ ନବୀନ ପଟ୍ଟନାୟକ, ଲଗାତର ୫ଥର ମୁଖ୍ୟମନ୍ତ୍ରୀ ହେଲେଣି। ବିଜୁ ପଟ୍ଟନାୟକଙ୍କ ପରି ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ଏବେ ଓଡ଼ିଶା ପଲିଟିକ୍ସରେ ସକ୍ରିୟ ଅଛନ୍ତି। କିନ୍ତୁ ନେହରୁ ପରିବାର ଯେପରି ଭାରତୀୟ ରାଜନୀତିରେ ଅଦ୍ୱିତୀୟ, ଠିକ୍ ସେହିପରି ଓଡ଼ିଶାରେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ପରିବାର Most Powerful, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ସବୁ, ଏବେ ବିଜୁ ବାବୁଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭରଶୀଳ।
ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁଅ ଭର୍ତ୍ତୃହରି ବାବୁଙ୍କ କଥା ଦେଖାଯାଉ। କଟକ ଲୋକସଭା ଆସନରୁ ଲଗାତର ୬ଥର ଜିଣୁଥିବା ଭର୍ତ୍ତୃହରି ମହତାବ ବିଜେଡି ହାୱାରେ ହିଁ ବିଜୟୀ ହୁଅନ୍ତି। ଯଦିଓ ଲୋକସଭା ଡିବେଟରେ ଭର୍ତ୍ତୃହରିଙ୍କ କଥା ସାଂସଦମାନେ ଶୁଣିଥାନ୍ତି, କିନ୍ତୁ କଟକ ଭୋଟଙ୍କର ଆସ୍ଥାଭାଜନ ହେବା ପାଇଁ ଭର୍ତ୍ତୃହରି ନିର୍ଭର କରନ୍ତି ଶଙ୍ଖ ଚିହ୍ନ ଉପରେ। କାରଣ ଜୀବନରେ କେବେ ନିର୍ବାଚନ ଜିଣି ନଥିବା ଭର୍ତ୍ତୃହରିଙ୍କୁ, ପଲିଟିକାଲ୍ ବ୍ରେକ୍ ଦେଇଥିଲେ ନବୀନ ପଟ୍ଟନାୟକ। ୧୯୯୮ରୁ ଲଗାତାର୍ ୬ଥର କଟକ ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଛନ୍ତି ଭର୍ତ୍ତୃହରି। ଓଡ଼ିଶା ନିର୍ମାଣର ବିନ୍ଧାଣୀ ହରେକୃଷ୍ଣ ମହତାବଙ୍କ ଅବଦାନ ଅପେକ୍ଷା, ନବୀନଙ୍କ ସମର୍ଥନ ହିଁ ଭର୍ତ୍ତୃହରିଙ୍କୁ କରାଉଛି ଲୋକସଭାର ସଦସ୍ୟ।
ବିଜୁ ବାବୁଙ୍କ ଘନିଷ୍ଠ ବନ୍ଧୁ ନୀଳମଣି ରାଉତରାୟ ଯଦିଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ ନୀଳମଣି ରାଉତରାୟଙ୍କ ପୁଅ ଏବଂ ନାତିଙ୍କ ଭବିଷ୍ୟତ ଉଜ୍ୱଳ ହେଲା ନବୀନ ପଟ୍ଟନାୟକଙ୍କ ସମର୍ଥନରେ। ଭଦ୍ରକ ଜିଲ୍ଲା ବାସୁଦେବପୁର ଆସନରୁ ନୀଳମଣି ରାଉରତରାୟଙ୍କ ପୁଅ ସ୍ୱର୍ଗତ ବିଜୟଶ୍ରୀ ଶଙ୍ଖ ଚିହ୍ନରେ ଲଗାତର ୪ଥର ଜିଣି ମନ୍ତ୍ରୀ ହେଉଥିଲେ। ଏବେ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ, ବାସୁଦେବପୁର ଆସନକୁ ପ୍ରତିନିଧିତ୍ୱ କରୁଛନ୍ତି।
ତେବେ ଉପକୂଳରୁ ମଧ୍ୟ ଓଡ଼ିଶାକୁ ଆସିଲା ବେଳକୁ ନବୀନ ପଟ୍ଟନାୟକଙ୍କ କରିସ୍ମା ତ ରହିଛି। କିନ୍ତୁ ରାଜ୍ୟ ରାଜନୀତିରେ ଏକଦା ପାଓ୍ୱାରଫୁଲ୍ ଥିବା ମଧ୍ୟ ଓଡ଼ିଶାର ପଲିଟିକାଲ୍ ଫ୍ୟାମିଲିକୁ ନବୀନ ଗୁରୁତ୍ୱ ଦେଉନାହାଁନ୍ତି। ସେଥିପାଇଁ ଢେଙ୍କାନାଳର ଶତପଥି ପରିବାର ଏବେ କ୍ଷମତା ଠାରୁ ଦୂରରେ। ନବୀନ ପଟ୍ଟନାୟକଙ୍କ ଭରସା ତୁଟିବାରୁ ୨୦୧୯ ନିର୍ବାଚନ ଲଢ଼ି ପାରିଲେ ନାହିଁ, ଚାରି ଚାରି ଥରର ଲୋକସଭା ସାଂସଦ ତଥାଗତ ସତପଥି। ଓଡ଼ିଆ ଖବର କାଗଜ ଧରିତ୍ରୀର ସଂପାଦକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୁଅ ତଥାଗତଙ୍କର ରହିଛି ସ୍ୱତନ୍ତ୍ର ଇମେଜ୍। ହେଲେ ଭୋଟ୍ ରାଜନୀତିକୁ ପ୍ରଭାବିତ କଲାଭଳି ଦକ୍ଷତା ତଥାଗତଙ୍କ ନିକଟରେ ନାହିଁ। ଶତପଥୀ ପରିବାରର ଅଭେଦ୍ୟ ଦୁର୍ଗ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରରେ ଜିତିବା ପାଇଁ ଆଜି ବି ତଥାଗତ ଏକାକୀ ସକ୍ଷମ ନୁହଁନ୍ତି।
୧୯୯୦ରେ ନନ୍ଦିନୀ ଶତପଥୀ ପ୍ରଦେଶ କଂଗ୍ରେସ ସଭାପତି ଥିବା ସତ୍ତ୍ୱେ, ଜନତା ଦଳ ଟିକେଟରେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ ପୁଅ ତଥାଗତ। ୧୯୯୦ରେ ତଥାଗତଙ୍କୁ ବିଧାନସଭାକୁ ଏଣ୍ଟ୍ରି ଦେଇଥିଲେ ବିଜୁ ବାବୁ। ୧୯୯୮ରେ ତଥାଗତଙ୍କୁ ଲୋକସଭାକୁ ଏଣ୍ଟ୍ରି ପାସ୍ ଦେଲେ ନବୀନ। ଆଉ ଏବେ ବି ନିର୍ବାଚନ ଜିଣିବା ପାଇଁ ନବୀନଙ୍କ ଉପରେ ଭରସା କରୁଛନ୍ତି ତଥାଗତ।
କେବଳ ଓଡ଼ିଶା ନୁହେଁ,ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ଥଙ୍କ ନାତୁଣୀ ଜ୍ୱାଇଁ ପିନାକୀ ମିଶ୍ରଙ୍କ କଥା ମଧ୍ୟ ସମାନ। ପୂର୍ବତନ ରାଜ୍ୟପାଳ ଲୋକନାଥ ମିଶ୍ରଙ୍କ ପୁଅ ପିନାକୀ, ନବୀନଙ୍କ ଶରଣରେ। ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓଙ୍କ ଖାସ ଥିବା ପିନାକୀ, ୨୦୦୯ ନିର୍ବାଚନ ଆଗରୁ କଂଗ୍ରେସ ଛାଡି ପ୍ୟାରୀ ମହାପାତ୍ରଙ୍କ ଜରିଆରେ ଶଙ୍ଖନାଦ କଲେ। ଯଦିଓ କଂଗ୍ରେସ ଟିକେଟରେ ୧୯୯୬ରେ ଲୋକସଭାକୁ ଯାଇଥିଲେ ପିନାକୀ,କିନ୍ତୁ ପରବର୍ତ୍ତୀ ସମୟରେ ପରାଜିତ ହେଲେ। ସେଥିପାଇଁ ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ପିନାକୀ ମିଶ୍ର, ପୁରୀ ଭୋଟରଙ୍କ ଆସ୍ଥାଭାଜନ ହେବା ପାଇଁ ନବୀନଙ୍କ ଗୁଣଗାନ କଲେ। ନବୀନଙ୍କ ସମର୍ଥନରେ ପୁରୀରୁ ଲଗାତର ତିନି ଥର ଜିତିଲେଣି ପିନାକୀ।
ନବୀନଙ୍କ ବିନା ଏହି ୪ ନାମୀ ରାଜନୈତିକ ପରିବାର କାହିଁକି ସମ୍ପୂର୍ଣ୍ଣ ବିଜୁ ଜନତା ଦଳର ଅବସ୍ଥା ଯେ ବିଗ୍ ଜିରୋ,ଏକଥା ଧାମନଗର ଉପ-ନିର୍ବାଚନର ଫଳାଫଳ ସ୍ପଷ୍ଟ କରିଛି। ଧାମନଗର ପ୍ରଚାରରୁ ନବୀନ ନିଜକୁ ଦୂରେଇ ରଖିବା ଫଳରେ ବିଜେଡିର ଅବସ୍ଥା କଣ ହୋଇଥିଲା, ତାହା ଅଛପା ନାହିଁ। ଅବଶ୍ୟ ଗତ ନିର୍ବାଚନରେ ଶଙ୍ଖ ଚିହ୍ନରେ ଲଢ଼ି ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଆର.ଏନ୍.ସିଂହଦେଓଙ୍କର ୨ ନାତି ବଲାଙ୍ଗିର ବିଧାନସଭା ଏବଂ ଲୋକସଭା ଆସନରୁ ପରାଜିତ ହୋଇଛନ୍ତି। କିନ୍ତୁ ସେମାନଙ୍କ ହାରିବା ପଛରେ ମଧ୍ୟ ବିଜେଡି ସଭାପତିଙ୍କ ହାତ ରହିଥିବା କୁହାଯାଉଛି। ତେଣୁ ଏତିକି କୁହାଯାଇ ପାରିବ ବିଜେଡି ହେଉଛି ୱାନ୍ ମ୍ୟାନ୍ ଆର୍ମି। ଶଙ୍ଖ ଚିହ୍ନ ଦଳର ସଭାପତି-ନବୀନ ପଟ୍ଟନାୟକ ହେଉଛନ୍ତି ସର୍ବେସର୍ବା।
ଏ ଷ୍ଟୋରୀ ଲେଖିଛନ୍ତି-ବିଜୟ କେତନ ବରାଳ