ଓଡ଼ିଆ ଭାଷା ୨ ହଜାର ବର୍ଷରୁ ବେଶି ଏବଂ ଓଡ଼ିଆ ସାହିତ୍ୟ ପାଞ୍ଚଶହ ବର୍ଷରୁ ଅଧିକ ଅବଧି ଅତିକ୍ରମ କରିସାରିଛି। ଏହାର ଅର୍ଥ ସାମୂହିକ ଭାବରେ ଆମ ଭାଷାର ସାହିତ୍ୟ କେବଠୁ ପ୍ରାପ୍ତ ହୋଇସାରିଛି ତା’ର ପୌଗଣ୍ଡ, ତା’ର ପୌରୁଷ, ତା’ର ଐତିହ୍ୟର ଐଶ୍ୱର୍ଯ୍ୟ। ଅଥଚ ତା’ର ଏହି ବିଶାଳ ବୁନିଆଦିର ବର୍ତ୍ତମାନ ଅବସ୍ଥା ଏକ ଦୟନୀୟ ଦୁରବସ୍ଥାରେ ପରିଣତ ହୋଇଛି। ବିଶେଷତଃ ଶିକ୍ଷା କ୍ଷେତ୍ରରେ ମାତୃଭାଷା ବିଷୟରେ ଛାତ୍ରଛାତ୍ରୀଙ୍କ ନିମ୍ନମାନର ପ୍ରଦର୍ଶନ ଆମ ଭାଷାଭିତ୍ତିକ ମୂଳଦୁଆର ଭୁଷୁଡିବା ଅବସ୍ଥାର ଅୟମାରମ୍ଭ ଦର୍ଶାଉଛି। ଗୁଣାତ୍କକ ଶିକ୍ଷା ଲାଗି ସରକାର ଅନେକ ପଦକ୍ଷେପ ନେଉଥିଲେ ବି ବାସ୍ତବରେ ଏହା ପ୍ରତିଫଳିତ ହେଉନଥିବା ଅନୁମାନ  କରାଯାଉଛି। ସଦ୍ୟ ପ୍ରକାଶିତ National Achievement Survey ରିପୋର୍ଟ ଆଧାରରେ ଅନ୍ୟ ରାଜ୍ୟରେ ମାତୃଭାଷାରେ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରୁଥିଲା ବେଳେ ଓଡିଶାରେ ମାତୃଭାଷାରେ ଛାତ୍ରଛାତ୍ରୀ ଉନ୍ନତ ମାନର ପ୍ରଦର୍ଶନ କରିପାରୁନଥିବା ଚିନ୍ତାର କାରଣ ପାଲଟିଛି।

ଓଡିଶା ବିଶ୍ୱବିଦ୍ୟାଳୟ ପାଇଁ ସରକାର  ତତ୍ପର,ମାତ୍ର ବିଦ୍ୟାଳୟ ସ୍ତରରୁ ମାତୃଭାଷାରେ ଦୁର୍ବଳ ଛାତ୍ରଛାତ୍ରୀ
ରାଜ୍ୟ ସରକାର ମାତୃଭାଷାର ବିକାଶ ଲାଗି ଅନେକ ପଦକ୍ଷେପ ନେଉଛନ୍ତି। ଏପରିକି ପୁରୀ ସତ୍ୟବାଦୀରେ ଓଡ଼ିଶାର ସର୍ବପ୍ରଥମ ଭାଷାଭିତ୍ତିକ ବିଶ୍ୱବିଦ୍ୟାଳୟର ପରିକଳ୍ପନା ମଧ୍ୟ କରାଯାଇଛି। ମାତ୍ର ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀଙ୍କ ମାତୃଭାଷା ପ୍ରତି ବିମୁଖତା ଚିନ୍ତାର କାରଣ ପାଲଟିଛି। 5ଟି କାର୍ଯ୍ୟକ୍ରମ ଜରୀଆରେ ଯଦିଓ ବିଦ୍ୟାଳୟର ରୂପାନ୍ତରୀକରଣ କରାଯାଉଛି ତଥାପି ଶିକ୍ଷାର ଗୁଣାତ୍ମକ ବିକାଶ ଆଜି ଅପହଞ୍ଚ। ଏବେ ବି ଅନେକ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି। ମାତୃଭାଷା ପ୍ରତି ପିଲାଙ୍କ ଆଗ୍ରହ କମିବା ପଛରେ ଭିତ୍ତିଭୁମିରେ ତୃଟି ପରିଲକ୍ଷିତ ହେଉଛି। ଓଡିଆ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ୍ ଓ ଇଞ୍ଜିନିୟରିଂରେ ୧୦ ପ୍ରତିଶତ ଆସନ ସଂରକ୍ଷଣ ଠାରୁ ଆରମ୍ଭ କରି ଦଶମ ପରିକ୍ଷାରେ ଓଡ଼ିଆରେ ଭଲ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ପ୍ରୋତ୍ସାହନ କରା ଯାଇଥିଲେ ସୁଦ୍ଧା ସଫଳ ହେଉନି ଉଦ୍ଧେଶ୍ୟ ।ମାତୃଭାଷା ପ୍ରତି ପିଲାଙ୍କର ଆଗ୍ରହ ହ୍ରାସ ପାଉଛି।ଜାତୀୟ ସ୍ତରରେ ମାତୃଭାଷାରେ ପିଲା ଦୁର୍ବଳ ପ୍ରଦର୍ଶନ କରିଥିଲା ବେଳେ ଓଡିଶାର ସ୍ଥିତି ଦୟନୀୟ ରହିଛି। ଜାତୀୟ ସ୍ତରରେ ମାତୃଭାଷାରେ ମାତ୍ର ୪୧ ପ୍ରତିଶତ ପିଲା ଭଲ ପ୍ରଦର୍ଶନ କରିଛନ୍ତି। ସହରାଞ୍ଚଳରେ ଏହି ପ୍ରତିଶତ ୪୧ପ୍ରତିଶତ ଥିଲାବେଳେ ଗ୍ରାମାଞ୍ଚଳରେ ଏହି ପ୍ରତିଶତ ୩୮ କୁ ହ୍ରାସ ପାଇଛି।ମାତୃଭାଷାରେ ଛାତ୍ରଛାତ୍ରୀଙ୍କ ଏଭଳି ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ।ବିପଦରେ ଓଡିଆ ଭାଷା,ଭିତ୍ତିଭୁମିର ବିକାଶ ନାଁରେ ସରକାର ଚୁପ୍
୧୯୩୬ ରେ ପ୍ରଥମ କରି ଭାଷାକୁ ଆଧାର କରି ଆମ ରାଜ୍ୟର ସୃଷ୍ଟି ହୋଇଥିଲା। ଓଡ଼ିଶା ହେଉଛି ବିଶ୍ୱର ସର୍ବପ୍ରଥମ ଭାଷାଭିତ୍ତିକ ରାଜ୍ୟ। ରାଜ୍ୟ ଗଠନକୁ ୪ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଆଜିବି ସେ ଉଦ୍ଦେଶ୍ୟ ଅପହଞ୍ଚ। ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଭାଷା ପ୍ରତି ବିମୁଖତା। ଉଚ୍ଚଶିକ୍ଷା ପାଇଁ ମଧ୍ୟ ଆମ ଛାତ୍ରଛାତ୍ରୀ ମାତୃଭାଷା ଅପେକ୍ଷା ଇଂରାଜୀ ଭାଷାକୁ ବେଶି ପସନ୍ଦ କରୁଛନ୍ତି। ସରକାରୀ କାର୍ଯ୍ୟକ୍ରମରେ ଇଂରାଜୀରେ ଭାଷଣ ଦିଆଯାଉଛି। ପ୍ରଶାସନିକ ପରୀକ୍ଷାରେ ଏପର୍ଯ୍ୟନ୍ତ ଓଡିଶାରୁ କୌଣଷି ଛାତ୍ରଛାତ୍ରୀ ଓଡ଼ିଆ ଭାଷାକୁ ମାଧ୍ୟମ ରଖି ସଫଳତା ପାଇନଥିବା କ୍ଷୋଭର ବିଷୟ। ମହାବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନରେ ପିଲାଙ୍କୁ ଇଂରାଜୀରେ ଶିକ୍ଷାଦାନ କରାଯାଉଛି। ମଧ୍ୟାହ୍ନ ଭୋଜନଠୁ ଆରମ୍ଭ କରି ବିଭିନ୍ନ ଯୋଜନା ପିଲାଙ୍କୁ ବିଦ୍ୟାଳୟ ଅଭିମୁଖି କରୁଥିଲେ ସୁଦ୍ଧା ଭାଷା ଅଭିମୁଖି କରିପାରିନି। ଏପରି ସ୍ଥଳେ ଭିତ୍ତିଭୁମି ଅଭାବରୁ NCTE କେତେକ ବିଏଡ୍ କଲେଜକୁ ପ୍ରତ୍ୟାହାର କରିବା ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସିଥିଲା।ଶିକ୍ଷକ ତିଆରି କରୁଥିବା ଅନୁଷ୍ଠାନରେ ରୋକ୍,ବ୍ୟାପକ ଶିକ୍ଷକ ନିଯୁକ୍ତିରେ ଅବହେଳା ତୃଣ ମୂଳ ସ୍ତରରୁ ହିଁ ଶିକ୍ଷାବ୍ୟବସ୍ଥାକୁ ଦୂର୍ବଳ କରୁଛି ।ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏ ପ୍ରତି ବିଶେଷ ଆଗ୍ରହୀ ନଥିବା ବୁଦ୍ଧିଜୀବି ମତ ରଖନ୍ତି। National Achievement Survey ରିପୋର୍ଟକୁ ଗୁରୁତର ସହ ନେଇ ରାଜ୍ୟ ସରକାର,ବିଦ୍ୟାଳୟ କର୍ତ୍ତୁପକ୍ଷ,ଅଭିଭାବକ ଓ ଛାତ୍ରଛାତ୍ରୀ ସଜାଗ ରହି ମାତୃଭାଷା ପ୍ରତି ଚିନ୍ତାଶୀଳ ହେବା ଉଚିତ୍।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା