୨୦୨୨ ଜୁନ୍ ୫ରେ ଓଡ଼ିଶା ମନ୍ତ୍ରିମଣ୍ଡଳର ହୋଇଥିଲା ପୁନର୍ଗଠନ। ପୁନର୍ଗଠିତ ମନ୍ତ୍ରୀ ମଣ୍ଡଳରେ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୮ ଜଣ ରାଷ୍ଟ୍ରମନ୍ତ୍ରୀ ସ୍ଥାନ ପାଇଥିଲେ। ମନ୍ତ୍ରୀମଣ୍ଡଳର ସଦସ୍ୟ ସଂଖ୍ୟା ଥିଲା ୨୧। ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ସଦସ୍ୟ ସଂଖ୍ୟା କମିଥିବା ବେଳେ ଶୁକ୍ରବାର ଇସ୍ତଫା ଦେଇଛନ୍ତି ରାଜ୍ୟର ଦୁଇ ମନ୍ତ୍ରୀ ସମୀର ରଞ୍ଜନ ଦାସ,ଶ୍ରୀକାନ୍ତ ସାହୁ ଏବଂ ବାଚସ୍ପତି ବିକ୍ରମ କେଶରୀ ଆରୁଖ। ନବ ଦାସଙ୍କ ସ୍ଥାନରେ ନିରଞ୍ଜନ ପୁଜାରୀଙ୍କୁ ଦାୟିତ୍ୱ ଦେଇଥିଲା ବେଳେ ବର୍ତ୍ତମାନ ବାଚସ୍ପତି ପଦ ଏବଂ ଖାଲି ପଡ଼ିଥିବା ୪ ଟି ବିଭାଗର ମନ୍ତ୍ରୀ ଭାବେ ସରକାର କାହାକୁ ଭରସା କରିବେ ତାହା ଏକ ବଡ଼ ପ୍ରଶ୍ନବାଚୀ।
ନାହାନ୍ତି ମୁଖ୍ୟମନ୍ତ୍ରୀ,ଇସ୍ତଫା ଦେଲେ ମନ୍ତ୍ରୀ
ଶୁକ୍ରବାର ବାଚସ୍ପତିଙ୍କ ସମେତ ରାଜ୍ୟର ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀମଣ୍ଡଳକୁ ନେଇ କିଛି ହଲଚଲ ହେବାଭଳି ପରିସ୍ଥିତି ନଥିବା ବେଳେ ଏଭଳି ତରବରିଆ ନିଷ୍ପତ୍ତି ଭିନ୍ନ କିଛି ଇସାରା କରୁଛି। ମୁଖ୍ୟମନ୍ତ୍ରୀ ଗସ୍ତରେ ଥିଲାବେଳେ ମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗକୁ ରାଜନୈତିକ ସମିକ୍ଷକ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଇସ୍ତଫା ଦେବାର କାରଣକୁ ଏମାନେ ବ୍ୟକ୍ତିଗତ କହୁଥିବା ବେଳେ ରାଜନୈତିକ ଗନ୍ଧ ସ୍ପଷ୍ଟ ବାରି ହେଉଛି। ଆଗକୁ ସାଧାରଣ ନିର୍ବାଚନ ଥିଲାବେଳେ ବିବାଦୀୟ ମନ୍ତ୍ରୀଙ୍କ ସ୍ଥାନରେ ନୂଆ ଚହେରା ଆସିବାର ଚର୍ଚ୍ଚାକୁ ଏଡ଼ାଇ ଦିଆ ଯାଇ ନ ପାରେ। ପୂର୍ବରୁ ଜିଲ୍ଲା ପରିଷଦ ଜୋନ୍ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଏବଂ ଜିଲ୍ଲା ପରିଷଦ ଜୋନ୍ ନିର୍ବାଚନରେ ବିଜେପି ପ୍ରାର୍ଥି ଜିତିବା ସମୀରଙ୍କୁ ବିଜେଡ଼ିର ଆଡ଼ ନଜରକୁ ଆଣି ଥାଇପାରେ। ସେହିଭଳି ମନ୍ତ୍ରୀ ଶ୍ରୀକାନ୍ତଙ୍କ ନାଁରେ ଦଳୀୟ ମହିଳା କର୍ମୀ ଅଭିଯୋଗ ଆଣିଥିବାରୁ ସେ ମଧ୍ୟ ରେଡ଼ ଜୋନରେ ଥାଇପାରନ୍ତି।
କିଏ ହେବେ ବାଚସ୍ପତି ?
୨୦୨୨ ଜୁନ୍ ୫ ରେ ସୂର୍ଯ୍ୟନାରାୟଣ ପାତ୍ର ଦେଇଥିଲେ ଇସ୍ତଫା। ମନ୍ତ୍ରୀମଣ୍ଡଳର ନବୀକରଣ ପରେ ବାଚସ୍ପତି ଆସନରେ ବସିଥିଲେ ବିକ୍ରମ କେଶରୀ ଆରୁଖ। ମାତ୍ର ସେ ହଠାତ ଇସ୍ତଫା ଦେଲାପରେ ଦଳ କାହାକୁ ଏ ଆସନରେ ବସେଇବ ତାକୁ ନେଇ ଅନେକ ଚର୍ଚ୍ଚା। ବରିଷ୍ଠତା ଦୃଷ୍ଟିରୁ ଅମର ଶତପଥି ଓ ଦେବୀ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର୍ ହେଉଛି। ମହିଳା କାର୍ଡ ଖେଳିଲେ ହୁଏତ ପ୍ରମିଳା ମଲ୍ଲିକ ଏ ଆସନରେ ବସି ପାରନ୍ତି।
ଗଞ୍ଜାମ ସଙ୍ଗଠନ ସଜାଡ଼ିବେ କି ବିକ୍ରମ କେଶରୀ ?
ଗଞ୍ଜାମରେ ଏବେ ସଙ୍ଗଠନ ଚିନ୍ତା ଢେର୍। ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ସୁର୍ଯ୍ୟନାରାୟଣ ପାତ୍ରଙ୍କ ସ୍ୱାସ୍ଥାବସ୍ଥା ଠିକ୍ ନାହିଁ। ଶ୍ରୀକାନ୍ତ ବିବାଦୀୟ ହେଲା ପରେ ଆସ୍ଥା କମ୍ ରହିଛି। ଗଞ୍ଜାମର ସ୍ଥିତକୁ ନେଇ ବିଜେଡ଼ି ଚିନ୍ତାରେ ଥିଲାବେଳେ ବିକ୍ରମ କେଶରୀଙ୍କ ଉପରେ ଅଧିକ ଆସ୍ଥା ରଖିଥିବା ଅନୁମାନ କରାଯାଉଛି।
ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ବହିସ୍କାର କଲାପରେ ବିଜେଡିର ସଙ୍ଗଠନ ବୁଝିବାକୁ ବରିଷ୍ଠ ନେତାଙ୍କ ଅଭାବ ପରିଲକ୍ଷିତ ହେଉଛି। ଏ ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ସଙ୍ଗଠନ ସଜାଡ଼ିବାକୁ ବାଚସ୍ପତି ଇସ୍ତଫା ଦେଇ ଥାଇ ପାରନ୍ତି ବୋଲି ଚର୍ଚ୍ଚା।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା