ଡିସେମ୍ବର ୨୪, ୧୯୯୯ ଭାରତ ପାଇଁ ଆଣି ଦେଇଥିଲା ଏକ ଘଡ଼ିସନ୍ଧି ମୂହୂର୍ତ୍ତ। ଅଟଳ ବିହାରୀ ବାଜପୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ କନ୍ଧାର ବିମାନ ଅପହରଣ ଘଟଣା ଦେଶକୁ ଦୋହଲାଇ ଦେଇଥିଲା। ଲୋକଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ବାଧ୍ୟ ହୋଇ ଅପହରଣକାରୀଙ୍କ ସର୍ତ୍ତରେ ରାଜି ହୋଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପୟୀ। ୩ ଅପହରଣକାରୀଙ୍କୁ ମୁକ୍ତ କରିବାକୁ ପଡ଼ିଥିଲା। ଯୋଉଥିପାଇଁ ବିରୋଧିଙ୍କ ନଜରରେ ସେ ସମାଲୋଚିତ ମଧ୍ୟ ହୋଇଥିଲେ। କନ୍ଧାର ବିମାନ ଅପହରଣର କ୍ଷେତ୍ରରେ ପ୍ରଶ୍ନିଳ ହୋଇଥିବା ଅଟଳ ଦଶନ୍ଧି ପୂର୍ବରୁ ବିମାନ ଦୁର୍ଘଟଣାରେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କ ଜୀବନ ବଞ୍ଚାଇଥିଲେ। ଯାହା ଆଜିବି ରହସ୍ୟ।
୪୮ ଜଣଙ୍କ ଜୀବନ ବଞ୍ଚାଇଥିଲେ ଅଟଳ
କନ୍ଧାର ବିମାନ ଅପହରଣର ଏକ ଦଶନ୍ଧି ପୂର୍ବରୁ ଅଟଳ ନିଜେ ନିଜ ଜୀବନରେ ଖେଳି ୪୮ ଜୀବନ ରକ୍ଷା କରିଥିଲେ। ୨୨ ଜାନୁୟାରୀ ୧୯୯୨ରେ ଲକ୍ଷ୍ନୋରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ ଉଡ଼ାଣର ୧୫ ମିନିଟ୍ ପରେ ଅପହରଣ କରାଯାଇଥିଲା। ବିମାନରେ ଥିବା ଜଣେ ବ୍ୟକ୍ତି ତାଙ୍କ ହାତରେ ରାସାୟନିକ ବୋମାକୁ କପଡ଼ାରେ ଗୁଡ଼ାଇ ବିମାନଟିକୁ ଲକ୍ଷ୍ନୋ ବିମାନ ବନ୍ଦରକୁ ନେବାକୁ କହିଥିଲେ। ବିମାନଟି ଅପହରଣ ହେବାର ସୂଚନା ସୁରକ୍ଷା ଏଜେନ୍ସିରେ ଆଲୋଡ଼ନ ସୃଷ୍ଟି କରିଥିଲା।
ଯେତେବେଳେ ସୁରକ୍ଷା ଏଜେନ୍ସି ଅପହରଣକାରୀଙ୍କ ସହ ଯୋଗାଯୋଗ କରିଥିଲା ସେତେବେଳେ ସେ ଅଟଳ ବିହାରୀ ବାଜପୟୀଙ୍କୁ ଭେଟିବାକୁ ଦାବି କରିଥିଲେ। ସେ କହିଥିଲେ ଯେ ଯଦି ବୈଠକ ନହୁଏ ତେବେ ସେ ବୋମା ସାହାଯ୍ୟରେ ବିମାନକୁ ଉଡ଼ାଇ ଦେବେ।
ସୌଭାଗ୍ୟ ବଶତଃ ସେହି ଦିନ ବାଜପୟୀ ଲକ୍ଷ୍ନୋରେ ଥିଲେ। ଏହି ସମୟରେ ଲକ୍ଷ୍ନୋ ଡିଏମ୍ ବାଜପୟୀଙ୍କ ନିକଟକୁ ଆସିଥିଲେ ଏବଂ ଅଟଳ ଜୀ ସେଠାରୁ ସିଧାସଳଖ ବିମାନ ବନ୍ଦରକୁ ଯାଇ ସେ ଅପହରଣକାରୀକୁ ସାକ୍ଷାତ କରିଥିଲେ। ଅପହରଣକାରୀ ବାଜପେୟୀଙ୍କ ପାଦ ଛୁଇଁବା ମାତ୍ରେ ସୁରକ୍ଷା ବାହିନୀ ତାଙ୍କୁ ଧରିଥିଲେ। ସେଦିନ ଅଟଳ ବିହାରୀ ବାଜପେୟୀ ସାହସ ପ୍ରଦର୍ଶନ କରି ନ ଥିଲେ ହୁଏତ ଯାତ୍ରୀଙ୍କ ଜୀବନ ବଞ୍ଚି ପାରି ନଥାଆନ୍ତା।