ମେ ୩୧ ରେ ବ୍ରଜରାଜନଗର ଭୋଟ। ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲି ପଡିଥିବା ବ୍ରଜରାଜନଗର ଆସନ ପାଇଁ ନିର୍ବାଚନ ବିଗୁଲ୍ ବାଜିଛି। ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ମେ ୪ ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ। ମେ ୧୧ ତାରିଖରେ ନାମାଙ୍କନ ପତ୍ର ଦାଖଲହୋଇ ମେ ୧୨ ରେ ନାମାଙ୍କନ ଯାଂଚ ହେବ। ୧୭ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବ। ମେ ୩୧ ରେ ବ୍ରଜରାଜନଗର ଉପନିର୍ବାଚନ ନେଇ ଭୋଟହେବା ସହ ଜୁନ ୩ ରେ ଫଳ ପ୍ରକାଶ ପାଇବ।
ଅନୁକମ୍ପା କାର୍ଡ ଖେଳିବ କି ବିଜେଡି?
ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ତିନି ପ୍ରମୁଖ ଦଳର କସରତ ଆରମ୍ଭ ହୋଇ ସାରିଛି। ବିଜେଡିର କିଏ ହେବ ପ୍ରାର୍ଥୀ ସେନେଇ ଚର୍ଚ୍ଚା ଜୋର ଧରିଛି। କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା କରାଯାଉଥିବାବେଳେ ଅନ୍ୟପଟେ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ନିଜ ସମର୍ଥକଙ୍କ ମାଧ୍ୟମରେ ଦାବିଦାର କଥା କହୁଛନ୍ତି। ସେପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିଶୋର ମହାନ୍ତିଙ୍କ ପତ୍ନୀଙ୍କୁ ମଇଦାନକୁ ଓହ୍ଲାଇ ଅନୁକମ୍ପା କାର୍ଡ ଖେଳି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯେହେତୁ ପୂର୍ବରୁ ଅନେକ ଉପ-ନିର୍ବାଚନରେ ଏଭଳି ଟ୍ରେଣ୍ଡ ଦେଖିବାକୁ ମିଳିଛି ତେଣୁ ଅଳକାଙ୍କୁ ପ୍ରାର୍ଥି କରିପାରେ ବୋଲି ଚର୍ଚ୍ଚା ହେଉଛି।
ଆଶଙ୍କାରେ ଆଶାୟୀ
ବିଜେଡିରେ ପ୍ରାର୍ଥି ଚୟନକୁ ନେଇ ଅନେକ ଆଶଙ୍କା ଥିଲାବେଳେ ବିଜେପି ଓ କଂଗ୍ରେସରେ ମଧ୍ୟ ସମାନ ସମସ୍ୟା। ପ୍ରମୁଖ ବିରୋଧୀ ବିଜେପି ରାଧାରାଣୀ ପଣ୍ଡା ନା ଅନ୍ୟ କାହାକୁ ପ୍ରାର୍ଥୀ କରିବ ସେନେଇ ଦଳ ଭିତରେ ଅଙ୍କକଷା ଚାଲିଛି। ଯେହେତୁ ପୂର୍ବରୁ ରାଧାରାଣୀ ଏହି ଆସନରୁ ବିଜୟୀ ହୋଇଥିଲେ ତେଣୁ ଦଳ ତାଙ୍କ ଉପରେ ଭରସା କରିପାରେ। ସେହିଭଳି କଂଗ୍ରେସର ଗଡ କୁହାଯାଉଥିବା ବ୍ରଜରାଜନଗର ପାଇଁ ଟାଣୁଆ ନେତା କିଶୋର ପଟେଲ ନା ଆଉ କାହାକୁ ମଇଦାନକୁ ଓହ୍ଲାଇବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି, ୮୦ହଜାରରୁ ଅଧିକ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୬୮ହଜାର ୧୫୩ ଭୋଟ ପାଇଥିଲେ। ୧୧ ହଜାର ୬୩୪ ଭୋଟରେ ବିଜେଡି ବିଜୟ ହାସଲ କରିଥିଲା । ତେଣୁ ବିଜେଡି ଏହି ଆସନକୁ ପୁଣିଥରେ ଅକ୍ତିଆର କରିବାକୁ ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି।