ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ ! ଭିତର ବେଢ଼ାର ଭିଡିଓ ଭାଇରାଲ

ଓଡ଼ିଆ ଜାତିର ପରିଚୟ ଶ୍ରୀଜଗନ୍ନାଥ। ମହାବାହୁଙ୍କର ଶ୍ରୀମନ୍ଦିର ଅନେକ ସମୟରେ ବିପଦକୁ ସାମ୍ନା କରୁଛି। କେବେ କଳାପାହାଡ ଶ୍ରୀମନ୍ଦିରକୁ ମାଟିରେ ମିଶାଇବାକୁ ଚେଷ୍ଟା କରିଛି। ଜଗନ୍ନାଥଙ୍କୁ ସୁରକ୍ଷା ଦେବାକୁ ତାଙ୍କୁ ପାତାଳୀ କରାଯିବାର ଇତିହାସ ଏ ଜାତି ପାଇଁ ନୂଆ ନୁହେଁ। ସେଇଥିପାଇଁ ତ ଶ୍ରୀମନ୍ଦିର ସୁରକ୍ଷାକୁ ପ୍ରାଥମିକତା ଦେବା ଏକ ଆହ୍ୱାନ ପାଲଟିଛି। ବିପଦ ଆଶଙ୍କାରେ ଶ୍ରୀମନ୍ଦିରକୁ କ୍ୟାମେରା ପ୍ରବେଶକୁ ବାରଣ କରାଯାଇଛି।

୨୦୧୯ରେ ଶ୍ରୀମନ୍ଦିରକୁ ଆତଙ୍କବାଦୀ ଟାର୍ଗେଟ କରିଥିବାର କେନ୍ଦ୍ରୀ ଗୁଇନ୍ଦା ବିଭାଗ ସତର୍କ କରାଇଥିଲା। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଶ୍ରୀମନ୍ଦିରର ଫଟୋଚିତ୍ର ଉଠାଇବା ଉପରେ ରୋକ୍ ଲାଗିଲା। ମାତ୍ର ଏବେ ଶ୍ରୀମନ୍ଦିର ଭିତର ବେଢ଼ାର ଡ୍ରୋନ୍ ଫଟୋ ଓ ଭିଡିଓ ଘୁରି ବୁଲୁଛି। ନୋ ଫ୍ଲାଇଂ ଜୋନ୍ରେ ଡ୍ରୋନ୍ ଉଡ଼ାଇ କୋଲକାତାର ଅନିମେଶ ଚକ୍ରବର୍ତ୍ତୀ,ଫଟୋ ନେଇଛନ୍ତି।ୟୁନିଫାଏଡ୍ ଅନିମେଶ ନାଁରେ ଏକ ୟୁ-ଟ୍ୟୁବ ଚ୍ୟାନେଲ୍ରେ ଗତ ନଭେମ୍ବର ୧୯ ତାରିଖରେ ଶ୍ରୀମନ୍ଦିର ଉପର ଓ ଭିତର ବେଢ଼ାର ୫ ମିନିଟ୍ ୪୩ ସେକେଣ୍ଡର ଏକ ଭିଡିଓ ଅପଲୋଡ୍ କରିଛନ୍ତି।

ଏହି ଭିଡିଓରେ ନୀଳଚକ୍ର ବାନା ବାନ୍ଧିବା ସହ ଅଁଳାବେଢ଼ାର ଉପର ଚିତ୍ର ଓ ଶ୍ରୀମନ୍ଦିର ଭିତର ବେଢ଼ାର ଚିତ୍ର ମଧ୍ୟ ଦେଖାଯାଉଛି। ଭିଡିଓ ପିଛା ୨୦ ହଜାର ଟଙ୍କା ଦାବି କରୁଛନ୍ତି ଅନିମେଶ। ସବୁଠୁ ବଡ଼ କଥା ହେଉଛି, ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନରେ ଡ୍ରୋନ୍ ଉଡିଲା କେମିତି। କୌଣସି ହେଲିକପ୍ଟର ଡ୍ରୋନ୍ ଏହା ଉପରେ ଉଡ଼ି ପାରିବନାହିଁ। ତେବେ କାହା ଅନୁମତିରେ ଅନିମେଶ ଏହି ଭିଡିଓ ଓ ଫଟୋ ଉତ୍ତୋଳନ କଲେ ? ଶ୍ରୀମନ୍ଦିର ପ୍ରଶାସନ ଓ ସୁରକ୍ଷା କମିଟି ଏ ପ୍ରସଙ୍ଗରେ ଏତେଟା ସକ୍ରିୟ ନଥିବା ପରି ଲାଗୁଛି।
Connect With Us