ବିଜୟଙ୍କୁ’ସାନ ବିଜୁ’କହି ବିଧାୟକ କରାଇଥିଲେ ବିଜୁ ପଟ୍ଟନାୟକ

ଫୋକସରେ ଏବେ ପାଟକୁରା ନିର୍ବାଚନ।ଯଦିଓ ଏହି ନିର୍ବାଚନର ହାର-ଜିତ ବିଜେଡି ସରକାରର ସ୍ଥାୟିତ୍ୱକୁ ପ୍ରଭାବିତ କରିବ ନାହିଁ।କିନ୍ତୁ ପାଟକୁରା ଫଳାଫଳରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସ୍ୱାର୍ଥ।କାରଣ ନବୀନଙ୍କ ଘୋର ବିରୋଧି ବିଜୟ ମହାପାତ୍ର ପାଟକୁରାରୁ ବିଜେପି ଟିକେଟରୁ ଲଢୁଛନ୍ତି।ସେଥିପାଇଁ ଜୁଲାଇ ୨୦ରେ ହେବାକୁ ଥିବା ମତଦାନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ଜିତାଇବା ଲାଗି ରାଜ୍ୟର ଅଧିକାଂଶ ମନ୍ତ୍ରୀ ପାଟକୁରାର ବିଭିନ୍ନ ପଞ୍ଚାୟତରେ ଚକ୍କର କାଟୁଛନ୍ତି।
ଅସ୍ଥିତ୍ୱ ଖୋଜୁଛି କଂଗ୍ରେସ
ଅନ୍ୟପଟେ କଂଗ୍ରେସ ପାଟକୁରାରେ ରେସରେ ନାହିଁ।ବିଧାନସଭା ନିର୍ବାଚନରେ ଦୁଇ ଅଙ୍କ ଛୁଇଁ ପାରି ନଥିବା କଂଗ୍ରେସ,ପାଟକୁରାରେ ନିଜର ଅସ୍ତିତ୍ୱ ଖୋଜିବାକୁ ଉଦ୍ୟମ କରୁଛି।କାରଣ କେନ୍ଦ୍ରାପଡ଼ା ଲୋକସଭା ଆସନ ଅଧିନରେ ଥିବା ପାଟକୁରାରେ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କୁ ମିଳିଥିଲା ମାତ୍ର ୮ହଜାର ୮୦ଖଣ୍ଡ ଭୋଟ।ହେଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ନିଜ ଦଳର ଇମେଜ୍ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି।ଦୃଢ଼ ସ୍ଥିତିରେ ଥିବା ବିଜେଡି-ବିଜେପି ମଧ୍ୟରେ“ପାଟକୁରାରେ ବନ୍ଧୁତ୍ୱପୂର୍ଣ୍ଣ(ଫ୍ରେଣ୍ଡଲି)ଲଢ଼େଇ ଚାଲିଛି”ବୋଲି ତାରା ବାହିନୀପତି କହୁଛନ୍ତି।“ପାଟକୁରାରେ ମ୍ୟାଚ-ଫିକ୍ସିଂ ହୋଇଛି,ବିଜୟ ମହାପାତ୍ରଙ୍କୁ ବକରା(ଛେଳି) ବନାଯାଉଛି,ଡ୍ରାମା ଚାଲଛି।ନବୀନ ଚାହୁଁଛନ୍ତି ବିଜୟ,ବିଧାନସଭା ନ ଆସନ୍ତୁ।ନିର୍ବାଚନରେ ବିଜେଡି-ବିଜେପି ପରସ୍ପର ବିରୋଧରେ କହୁଥିଲେ।କିନ୍ତୁ ଉଭୟଙ୍କ ମଧ୍ୟରେ ସେବେଠୁ ଭିତିରି ବୁଝାମଣା ଥିଲା” ବୋଲି ତାରା କହିଛନ୍ତି।

ଅଶ୍ୱିନୀଙ୍କ ପରି ବିଜୟଙ୍କୁ ମିଳିବ କି ବିଜେଡି ସମର୍ଥନ?
ଅନ୍ୟପକ୍ଷରେ ନବୀନଙ୍କ ଯୋଗୁ ୨୦୦୦ରେ ନିର୍ବାଚନ ଲଢ଼ି ପାରିନଥିବା ବିଜୟ ମହାପାତ୍ର,ଲଗାତର ୩ଥର ପରାଜୟର ପ୍ରତିଷୋଧ ନେବାକୁ ଚେଷ୍ଟା ଚଳାଇଛନ୍ତି।“ପାଟକୁରାରେ କଂଗ୍ରେସ କେତେ ଭୋଟ ପାଇଥିଲା”ବୋଲି ତାରାଙ୍କୁ ବିଜୟ ପ୍ରଶ୍ନ କରିଛନ୍ତି।“କୌଣସି ବିଧାନସଭା ନିର୍ବାଚନ ଫିକ୍ସିଂ ହୁଏ ନାହିଁ।ପାଟକୁରାରେ ସ୍ୱାଭିମାନର ଲଢେଇ ହେଉଛି।ତେବେ ନବୀନ ପଟ୍ଟନାୟକ ରାଜ୍ୟସଭା ନିର୍ବାଚନରେ ଯେପରି ବିଜେପିକୁ ସମର୍ଥନ କଲେ।ପାଟକୁରାରେ ସେମିତି କାହିଁକି କରୁନାହାଁନ୍ତି”ବୋଲି ପ୍ରଶ୍ନ କରିଛନ୍ତି ବିଜୟ।
ଅବଶ୍ୟ ରାଜ୍ୟସଭା ନିର୍ବାଚନରେ ଅଶ୍ୱନୀଙ୍କୁ ଜିତାଇବାକୁ ବିଜେପିର୨୩ବିଧାୟକଙ୍କ ଭୋଟ ଯଥେଷ୍ଟ ନଥିଲା।ଅନ୍ୟପଟେ ବିଜେଡିର ୧୧୧ବିଧାୟକ ଥାଇ ମଧ୍ୟ ନିଜ ଦଳରୁ କାହାରିକୁ ପ୍ରାର୍ଥୀ କରିବା ବଦଳରେ ଅଶ୍ୱନୀଙ୍କୁ ସମର୍ଥନ କରିଥିଲେ ନବୀନ।ଏପରିକି ଅଶ୍ୱନୀ ବୈଷ୍ଣବଙ୍କୁ ୫ବର୍ଷ ଲାଗି ରାଜ୍ୟସଭା ପଠାଇଥିବା ବିଜେଡି,ନିଜ ଦଳର ପ୍ରାର୍ଥୀ ସସ୍ମିତ ପାତ୍ରଙ୍କୁ ୩ବର୍ଷ ଲାଗି ରାଜ୍ୟସଭା ପଠାଇଲେ।ତେଣୁ ଅଶ୍ୱିନୀଙ୍କୁ ସମର୍ଥନ କରିଥିବା ନବୀନ ପଟ୍ଟନାୟକଙ୍କୁ ସମର୍ଥନ ମାଗି ବିଜୟ କିଛି ନୂଆ କଥା କହିନାହାଁନ୍ତି।

ବିଜୟ ହେଉଛନ୍ତି ଜୁନିଅର ବିଜୁ
ସେପଟେ ଦାମୋଦର ରାଉତ କହିଛନ୍ତି“ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୂରାଇ ନଦେବାକୁ ନବୀନ ପଣ କରିଛନ୍ତି। ଅଧ ଡଜନ ମନ୍ତ୍ରୀଙ୍କୁ ପାଟକୁରାରେ ପ୍ରଚାର ଲାଗି ନବୀନ ଭର୍ତ୍ତି କରିଛନ୍ତି।ତେବେ ପାଟକୁରାବାସୀ ଚେତନଶୀଳ। ୧୯୮୦ମସିହାରେ ପାଟକୁରାରୁ ଇସ୍ତଫା ଦେଇ ବିଜୁ ପଟ୍ଟନାୟକ ବିଜୟଙ୍କୁ ପ୍ରାର୍ଥୀ କରାଇଥିଲେ।ସେତେବେଳେ ବିଜୁବାବୁ କହିଥିଲେ ମୁଁ ବଡ଼ ବିଜୁ।ବିଜୟ ହେଉଛି ସାନ ବିଜୁ।ହେଲେ ନବୀନଙ୍କ କ୍ରୂରତା,ବିଜୟଙ୍କୁ ୨୦ବର୍ଷ ହେଲା ବିଧାନସଭାରୁ ଦୂରେଇ ରଖିଛି” ବୋଲି ଦାମ କହିଛନ୍ତି।
ଅବଶ୍ୟ ଲଗାତର ୫ଥର ଜିତି ନବୀନ ପଟ୍ଟନାୟକ ରେକର୍ଡ କରିଛନ୍ତି;କିନ୍ତୁ ବିଜୟ ମହାପାତ୍ରଙ୍କୁ ନେଇ ଆରମ୍ଭରୁ ନବୀନ ପ୍ରତିକ୍ରିୟାଶୀଳ।
Connect With Us