ରାଜଧାନୀକୁ ୭୫ ବର୍ଷ

ରାଜଧାନୀ ଭୁବନେଶ୍ୱର ପାଳୁଛି ପ୍ରତିଷ୍ଠା ଦିବସ। ୭୫ ବର୍ଷରେ ପାଦ ଥାପିଛି ରାଜଧାନୀ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏକ ପାରମ୍ପାରିକ ସହରର ଛାପ ହଜାଇ ଗଢା ହେଇଛି ପାଶ୍ଚାତ୍ୟ ସହର। ୭୫ ବର୍ଷ ତଳେ ସବୁଜିମାରେ ଖୁନ୍ଦି ହୋଇଥିବା ଭୁବନେଶ୍ୱରରେ ଏବେ ବସନ୍ତ ମଳୟ ପରିବର୍ତ୍ତେ ଇତ୍ତପ୍ତ ଚଟାଣର ହାୱା। ମନ୍ଦିର ମାଳିନୀ ଏବେ କ୍ରୀଡ଼ା ରାଜଧାନୀ। ରାଜଧାନୀରେ ପରିବର୍ତ୍ତନ ହୋଇଛି। ଓଡିଶାର ରାଜଧାନୀ ହେବା ପଛରେ ଅନେକ ତଥ୍ୟ ଲୁଚି ରହିଛି। ୧୯୪୮ ପୁର୍ବରୁ କଟକ ଓଡ଼ିଶାର ରାଜଧାନୀ ଥିଲା। କିଛି ସ୍ୱତନ୍ତ୍ର କାରଣ ହେତୁ କଟକରୁ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତରୀତ ହୋଇଥିଲା। ୧୯୪୮ ଅପ୍ରେଲ୍ ୧୩ ରେ ଭୁବନେଶ୍ୱରକୁ ଓଡିଶାର ରାଜଧାନୀ ଭାବରେ ଘୋଷଣା କରାଯାଇଥିଲା।

କାହିଁକି କଟକରୁ ହଟିଥିଲା ରାଜଧାନୀ?
ଭୁବନେଶ୍ୱରକୁ ରାଜଧାନୀ କରିବା ପାଇଁ କଟକରୁ ରାଜଧାନୀକୁ ସ୍ଥାନାନ୍ତରୀକରଣ କରାଯାଇଥିଲା। ଏଥିପାଇଁ ହରେକୃଷ୍ଣଙ୍କ ବିରୋଧୀ,କଟକ ବାସିନ୍ଦା, କଟକର ନେତୃମଣ୍ଡଳୀ ଓ ତତ୍କାଳୀନ କର୍ମଚାରୀମାନେ ତୀବ୍ର ବିରୋଧ କରୁଥିଲେ। କିନ୍ତୁ ସରକାରୀ କାର୍ଯ୍ୟଳୟ ଗୁଡିକୁ ସଂପ୍ରସାରଣ ପାଇଁ କଟକରେ ଜାଗା ଅଭାବ ହେବା ହେତୁ ରାଜଧାନୀ ପରିବର୍ତ୍ତନର ଆବଶ୍ୟକତା ପଡିଥିଲା। ବିଶେଷ କରି ପ୍ରଥମେ ଖୋର୍ଦ୍ଧାକୁ ଯୁକ୍ତିକୁ ଅଣାଗଲା ଓ କୁହାଗଲା କି ଏହା ବୀର ପାଇକ ମାନଙ୍କର ଅଞ୍ଚଳ। ଓଡିଶାକୁ ସ୍ୱାଧୀନ କରିବା ପାଇଁ ପାଇକ ମାନଙ୍କର ଯଥେଷ୍ଟ ଅବଦାନ ରହିଛିlଏଣୁ କିଛି ଲୋକ ଖୋର୍ଦ୍ଧା ମାଟିରେ ରାଜଧାନୀ ହେଉ ବୋଲି କହିଥିଲେ।ଏମିତି ଯୁକ୍ତି ଭିତରେ ହରେ କୃଷ୍ଣ ମହତାବ କିନ୍ତୁ ଭୁବନେଶ୍ୱରରେ ରାଜଧାନୀ ହେଉ ବୋଲି ଏକ ଦୃଢ ଯୁକ୍ତି କରିଥିଲେ। ସେ ଐତିହାସିକ ଏବଂ ସାଂସ୍କୃତିକ କାରଣ ସବୁ ଉପସ୍ଥାପନ କଲେ। ଅଶୋକଙ୍କ ସମୟରୁ ଏହା ହଜାର ହଜାର ବର୍ଷ ଧରି ରାଜଧାନୀ ସହର ଥିବା ଯୁକ୍ତି ଉପସ୍ଥାପନ କରିଥିଲେ।ଏହି ଯୁକ୍ତିର ପ୍ରାସଙ୍ଗିକତାକୁ ଉପଲବ୍ଧି କରିବା ସହିତ ଶାସନଗତ ସୁପରିଚାଳନା ପାଇଁ କଟକରୁ ରାଜଧାନୀର ସ୍ଥାନାନ୍ତରୀକରଣ କରାଯାଇଥିଲା। ସେପ୍ଟେମ୍ବର ୩୦, ୧୯୪୬ ମସିହାର ମଧ୍ୟବର୍ତ୍ତୀ କାଳୀନ ସରକାର ହରେକୃଷ୍ଣ ମହତାବଙ୍କ ଶାସନ ସମୟରେ ଓଡ଼ିଶାର ନୂଆ ରାଜଧାନୀ ହେବାର ପ୍ରସ୍ତାବ ସର୍ବ ସମ୍ମତି କ୍ରମେ ଓଡ଼ିଶାର ବ୍ୟବସ୍ଥାପିକା ସଭାରେ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବରେ ମୋହର ମଧ୍ୟ ଲାଗିଥିଲା।ଶାସନ କେନ୍ଦ୍ରର ମୂଳପିଣ୍ଡ ଭାବେ ଗଢି ତୋଳିବାକୁ ଭୁବନେଶ୍ୱରରେ ଆବଶ୍ୟକ ନିର୍ମାଣ କରିବା ପାଇଁ ଏହି ପ୍ରସ୍ତାବ ସରକାରଙ୍କୁ କ୍ଷମତା ପ୍ରଦାନ କଲାl ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଜବାହର ଲାଲ୍ ନେହେରୁ ଭୁବନେଶ୍ୱରର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେl
Connect With Us