ଐତିହ୍ୟ,କଳା ଓ ସ୍ଥାପତ୍ୟର ସ୍ୱତନ୍ତ୍ରତା ପାଇଁ ପ୍ରସିଦ୍ଧ ଓଡ଼ିଶା ଏବେ ପର୍ଯ୍ୟଟକଙ୍କ ପସନ୍ଦରୁ ବାଦ୍ ପଡ଼ିଛି। ପୂର୍ବ ଅପେକ୍ଷା ପର୍ଯ୍ୟଟକଙ୍କ ସଂଖ୍ୟା ଦୃତ ଗତିରେ ହ୍ରାସ ପାଉଛି। ରାଜ୍ୟ ସରକାର ତଥା ପର୍ଯ୍ୟଟନ ବିଭାଗ ତରଫରୁ ଅନେକ ପଦକ୍ଷେପ ନିଆ ଯାଉଥିଲେ ସୁଦ୍ଧା ଆଖିଦୃଶିଆ ପର୍ଯ୍ୟଟକଙ୍କ ଭିଡ଼ ଜମୁନି। ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ବିକାଶ କେବଳ କାଗଜପତ୍ରରେ ଅଟକିଛି। ପର୍ଯ୍ୟଟନ ବିଭାଗର ଶିଥିଳ ଅବସ୍ଥା ହେତୁ  ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ରାଜ୍ୟ ସରକାରଙ୍କ ପାଇଁ  ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ବାଟ ହୁଡ଼ୁଛନ୍ତି ପର୍ଯ୍ୟଟକ
ବିଭିନ୍ନ ପ୍ରକାରର ଅସୁବିଧା ହେତୁ ପର୍ଯ୍ୟଟକ ଓଡ଼ିଶାରୁ ମୁହଁ ଫେରାଉଛନ୍ତି। ପର୍ଟ୍ୟଟନ ସ୍ଥଳୀର ଉପଯୁକ୍ତ ଭିତ୍ତିଭୁମି ଓ ବିକାଶର ଅଭାବ ପ୍ରମୁଖ କାରଣ ପାଲଟିଛି। ବିମାନ ଉଡ଼ାଣରେ   ଓଡ଼ିଶା ପଛରେ ରହିଯାଇଥିବା ହେତୁ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ କମୁଛି। ଗାଡ଼ି ଚଳାଚଳ କ୍ଷେତ୍ରରେ ଓଡ଼ିଶା ପଛରେ ରହିଯାଇଥିବା ହେତୁ ଅନ୍ୟ ରାଜ୍ୟର ପର୍ଯ୍ୟଟକ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯୋଗାଯୋଗ କ୍ଷେତ୍ରରେ  ଅସୁବିଧା ହେତୁ ପର୍ଯ୍ୟଟକ ଓଡ଼ିଶାରୁ ମୁହଁ ଫେରାଇ ନେଇ ଅନ୍ୟ ରାଜ୍ୟ ଆଡ଼କୁ ମୁହାଁଉଛନ୍ତି। ଏପରିକି ବିଦେଶୀ ପର୍ଯ୍ୟଟକ ଏସବୁ ଅସୁବିଧା ହେତୁ ବାଧ୍ୟ ହୋଇ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ  ପଶ୍ଚିମବଙ୍ଗ ଚାଲି ଯାଉଥିବା ଚର୍ଚ୍ଚା ହେଉଛି।ମୁଖ୍ୟମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେବାକୁ ଟୁର୍ ଅପରେଟରଙ୍କୁ ନେଇ ଟ୍ରାଭେଲ୍ ବଜାର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏକ ବୈଠକର ଆୟୋଜନ କରିଛନ୍ତି।

ବୁଡ଼ିଲା ଡ଼ଙ୍ଗାର ନାଉରୀ ଟୁର୍ ଅପରେଟର୍
କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ତରଫରୁ ପ୍ରକାଶିତ ରିପୋର୍ଟ ଅନୁସାରେ ପର୍ଯ୍ୟଟକଙ୍କ ପସନ୍ଦ ପାଲଟିଥିବା ସ୍ଥାନର ଚିଠାରେ ଓଡ଼ିଶାର ସ୍ଥାନ ଧିରେଧିରେ ତଳକୁ ଯାଉଛି। ଶୀର୍ଷ ୧୫ ଟି ସ୍ଥାନରେ ମଧ୍ୟ ଓଡ଼ିଶାର ନାଁ ନାହିଁ। କୋଭିଡ ପୂର୍ବରୁ ପାଖାପାଖି ୧କୋଟି ପର୍ଯ୍ୟଟକ ଓଡ଼ିଶା ଆସିଥିଲା ବେଳେ ଏବେ ସେ ସଂଖ୍ୟା କୁ ହ୍ରାସ ପାଇଛି। ୨୦୨୧-୨୨ ରେ ଦେଶରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ବେଳେ ଓଡ଼ିଶାରେ କିନ୍ତୁ ଏହା କ୍ରମାଗତ ଭାବରେ କମିବାରେ ଲାଗିଛି। ୨୦୨୦ ରେ ୧୦,୨୦୬ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଥିଲା ବେଳେ ୨୦୨୧ ରେ ଏହା ୨୨୬୯କୁ ହ୍ରାସ ପାଇଛି। ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଟୁର୍ ଅପରେଟରଙ୍କୁ ନେଇ ମେ ଫେୟାରରେ ଏକ ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକରେ  ଟ୍ରାଭେଲ ରାଇଡ଼ର୍ସ ଓ ଏୟାର୍ଲାଇନ୍ସ ଅଧିକାରୀ ମଧ୍ୟ ସାମିଲ ରହିବେ। ସେମାନଙ୍କୁ ପର୍ଯ୍ୟଟନର ଭିତ୍ତିଭୁମି ବିଷୟରେ ଅବଗତ କରାଯିବାର କାର୍ଯ୍ୟକ୍ରମ ରହିଛି। ଟ୍ରାଭେଲ ବଜାର  କାର୍ଯ୍ୟକ୍ରମ ମାଧ୍ୟମରେ ଅଧିକରୁ ଅଧିକ ଟୁର୍ ଅପରେଟରଙ୍କୁ ଯୋଡ଼ିବାକୁ କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏ ପଦକ୍ଷେପ କେତେ  ଫଳପ୍ରଦ ହେଉଛି  ତାହା ଦେଖିବା ବାକି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା