ପ୍ରତିଷ୍ଠା ହେଉଛି ମେଡିକାଲ କଲେଜ, କିନ୍ତୁ ସ୍ୱାସ୍ଥ୍ୟ ସେବାରେ ଆସୁନି ଉନ୍ନତି

୧୯୫୪ ମସିହାରେ ପ୍ରତିଷ୍ଠା ହୋଇଥିବା କ୍ୟାପିଟାଲ ହସ୍ପିଟାଲକୁ ମେଡିକାଲ କଲେଜରେ ରୂପାନ୍ତରିତ କରିବାରେ ଯଦିଓ ସରକାର ବିଫଳ ହୋଇଛନ୍ତି, କିନ୍ତୁ ଏଠାରେ ଡାକ୍ତରୀ ପାଠର PG ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହୋଇଥିବା ମେଡିକାଲ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନର(PGIMER) ୬ଟି ବିଭାଗରେ ୨୪ଜଣ ଡାକ୍ତରୀ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ରାଜଧାନୀବାସୀଙ୍କୁ ଉତ୍ତମ ଚିକିତ୍ସା ସେବା ପ୍ରଦାନରେ, PGIMER ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ରଖିବା।

ଅବଶ୍ୟ ବିଗତ ୧୦ବର୍ଷ ମଧ୍ୟରେ ଓଡ଼ିଶା ସ୍ୱାସ୍ଥ୍ୟସେବାରେ ଉନ୍ନତି ଆସିଛି। ୭ଟି ସରକାରୀ ଏବଂ ୩ଟି ଘରୋଇ ମେଡିକାଲ କଲେଜ ସହ ଭୁବନେଶ୍ୱରରେ AIIMS ପ୍ରତିଷ୍ଠା ହୋଇଛି। KBKର କୋରାପୁଟ ଏବଂ ବଲାଙ୍ଗୀରରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି।ଆଦିବାସୀ ବହୁଳ ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଛି ସରକାରୀ ଓ ଘରୋଇ ମେଡିକାଲ କଲେଜ। ଉପକୂଳ ଓଡ଼ିଶାର ବାଲେଶ୍ୱର ଏବଂ ପୁରୀରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହେବା ଦ୍ୱାରା ଚିକିତ୍ସା ସେବାରେ ଉନ୍ନତି ଆସିବା ସହ ଡାକ୍ତର ସୃଷ୍ଟିର ବାଟ ଖୋଲିଛି।

୧୯,୦୦୦ ଡାକ୍ତରଙ୍କ ଅଭାବ
ବର୍ତ୍ତମାନ AIIMS ବ୍ୟତୀତ ଓଡ଼ିଶାରେ ୧୪ଟି ମେଡିକାଲ କଲେଜରେ ପାଠପଢ଼ା ଯାଉଛି। କିନ୍ତୁ ଓଡ଼ିଶାର ସ୍ୱାସ୍ଥ୍ୟସେବା ପାଇଁ ଏହା ଯଥେଷ୍ଟ ହେଉନାହିଁ। ଜାତୀୟ ହାର ଅନୁଯାୟୀ, ଡାକ୍ତର ନିର୍ମାଣରେ ଓଡ଼ିଶା ଫେଲ ହେଉଛି। ୧,୦୮୦ ଲୋକଙ୍କ ପାଇଁ ଜଣେ ଡାକ୍ତରଙ୍କ ଆବଶ୍ୟକ ଥିଲାବେଳେ, ଓଡିଶାରେ ୨,୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ନିଯୁକ୍ତ ହୋଇଛନ୍ତି ଜଣେ ଡାକ୍ତର। ଓଡ଼ିଶା ପାଇଁ ୪୬,୦୦୦ ଡାକ୍ତର ଆବଶ୍ୟକ ଥିଲାବେଳେ, ସରକାରୀ ଏବଂ ଘରୋଇ ସ୍ତରରେ ନିଯୁକ୍ତ ହୋଇଛନ୍ତି ମାତ୍ର ୧୭,୦୦୦ ଡାକ୍ତର। ଅର୍ଥାତ ୧୯,୦୦୦ ଡାକ୍ତରଙ୍କର ଅଭାବ ରହିଛି।
ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶାରେ ଦାଗ
ଅନ୍ୟପଟେ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶାକୁ ସ୍ଲୋଗାନ କରିଥିବା ଓଡ଼ିଶା ସରକାର, ଅନ୍ୟ ରାଜ୍ୟ ଗୁଡିକର ସ୍ୱାସ୍ଥ୍ୟସେବାକୁ ଅନୁଧ୍ୟାନ କରିବା ଉଚିତ। କର୍ଣ୍ଣାଟକରେ ୬୦ଟି ମେଡିକାଲ କଲେଜ, ମହାରାଷ୍ଟ୍ରରେ ୫୬ଟି, ଉତ୍ତର ପ୍ରଦେଶରେ ୫୫ଟି, ତାମିଲନାଡୁରେ ୫୦ଟି, ଆନ୍ଧ୍ରରେ ୩୧ଟି, ଏବଂ ପଡୋଶୀ ତେଲେଙ୍ଗାନା ଏକ ଛୋଟ ରାଜ୍ୟ ହୋଇଥିଲେ ମଧ୍ୟ ସେଠାରେ ୩୩ଟି ମେଡିକାଲ କଲେଜ ରହିଛି। କିନ୍ତୁ ଓଡ଼ିଶାରେ ମେଡିକାଲ କଲେଜ ସଂଖ୍ୟା ମାତ୍ର ୧୪।
ରାଜ୍ୟ ମେଡିକାଲ କଲେଜ
କର୍ଣ୍ଣାଟକ ୬୦
ମହାରାଷ୍ଟ୍ର ୫୬
ଉତ୍ତର ପ୍ରଦେଶ ୫୫
ତାମିଲନାଡୁ ୫୦
ତେଲେଙ୍ଗାନା ୩୩
କେରଳ ୩୨
ଆନ୍ଧ୍ର ପ୍ରଦେଶ ୩୧
ଗୁଜୁରାଟ ୨୯
ସରକାରୀ ମେଡିକାଲ କଲେଜ
କଲେଜ ସ୍ଥାପିତ ସିଟ୍ ସଂଖ୍ୟା
SCB ମେଡିକାଲ କଲେଜ, କଟକ ୧୯୪୪ ୨୫୦
MKCG ମେଡିକାଲ କଲେଜ, ବ୍ରହ୍ମପୁର ୧୯୬୨ ୨୫୦
VSS ମେଡିକାଲ କଲେଜ, ବୁର୍ଲା ୧୯୫୯ ୨୦୦
AIIMS ଭୁବନେଶ୍ୱର ୨୦୧୨ ୧୨୫
ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ, ବାରିପଦା ୨୦୧୭ ୧୨୫
ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, କୋରାପୁଟ ୨୦୧୭ ୧୨୫
ଭୀମଭୋଇ ମେଡିକାଲ୍ କଲେଜ, ବଲାଙ୍ଗିର ୨୦୧୮ ୧୦୦
ଫକିର ମୋହନ ମେଡିକାଲ କଲେଜ,ବାଲେଶ୍ୱର ୨୦୧୮ ୧୦୦
ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ, ପୁରୀ ୨୦୨୧ ୧୦୦
ସୁନ୍ଦରଗଡ଼ ମେଡିକାଲ କଲେଜ ୨୦୨୨ ୧୦୦
କେନ୍ଦୁଝର ମେଡିକାଲ କଲେଜ ୨୦୨୨ ୧୦୦

ଯଦିଓ ତାଳଚେର, ଫୁଲବାଣୀ, ଭବାନୀ ପାଟଣା ଏବଂ ଯାଜପୁରରେ ୪ଟି ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହେବାର ଅଛି, କିନ୍ତୁ ଏପର୍ଯ୍ୟନ୍ତ ତାହା ପୂର୍ଣ୍ଣାଙ୍ଗ ହୋଇନାହିଁ। ଆଉ ଯେଉଁ ବି ସରକାରୀ ମେଡିକାଲ କଲେଜ ଅଛି, ସେଥିରେ ଅଧ୍ୟାପକ ଓ ବିଭିନ୍ନ ପଦ ଫାଙ୍କା ପଡିବା କାରଣରୁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।
RTI ତଥ୍ୟ କହୁଛି, ବାଲେଶ୍ୱର ଫକୀର ମେଡିକାଲ କଲେଜରେ ୧୮୫ ପଦ ଫାଙ୍କା । କେନ୍ଦୁଝର ମେଡିକାଲ କଲେଜରେ ଖାଲି ପଡିଛି ୫୩୩ ପଦ । ବଲାଙ୍ଗିର ଭୀମ ଭୋଇ କଲେଜରେ ୨୪ ଜଣ ଠିକାରେ ନିଯୁକ୍ତି ପାଇଥିଲା ବେଳେ ୭୭ଟି ପଦ ଖାଲି। ମୟୂରଭଞ୍ଜର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ୧୫୯ଟି ପଦ ଫାଙ୍କା ପଡ଼ିଛି। ଖାଲି ପଡିଥିବା ପଦ ପୂରଣ ବଦଳରେ ଠିକା କର୍ମଚାରୀଙ୍କ ଭରସା କରିବା ଯୋଗୁ, ଗୁଣାତ୍ମକ ଶିକ୍ଷା ଏବଂ ଉତ୍ତମ ଚିକିତ୍ସା ପ୍ରଦାନରେ ବାଧା ଉପୁଜୁଛି।
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା
Connect With Us