‘ମୁଝସେ କ୍ୟା ଭୁଲ୍ ହୁଇ ଯୋ ୟେ ସଜା ହମକୋ ମିଲି, ଅବତୋ ଚାରୋ ହି ତରଫ୍ ବନ୍ଦ ହେ ଦୁନିୟା କି ଗଲି’…..ସଂଗୀତ ଜଗତ ପାଇଁ ଅଲିଭା ଗାର ହୋଇ ଯାଇଥିବା ଏଇ କେଇ ପଦର ଝଙ୍କାରରୁ ହିଁ ବାରି ହୁଏ ତାଙ୍କ ସ୍ୱରର ସୁନ୍ଦରତା। ସେ ଗୀତ ଗାଇଲେ ଅବିକଳ ଶୁଭୁଥିଲା ସଙ୍ଗୀତ ବାଦସା ମହମଦ୍ ରଫିଙ୍କ ସ୍ୱର, କିନ୍ତୁ ଆରମ୍ଭ ହେଉଥିଲା ଦ୍ୱନ୍ଦ୍ୱ। ମେରେ କରୀବ ନବାଜ୍ ଫିଲ୍ମର ସଙ୍ଗୀତ କସମେ ହମେଁ ଆପନେ ଜାନ୍ କି ଖାଏଁ ଚଲେ ଗୟେ ଶୁଣି ମହମ୍ମଦ ରଫି ଦ୍ୱନ୍ଦରେ ପଡିଥିଲେ।ଗୀତଟି ଶୁଣି ରଫି ସାହେବ ନିଜ ସେକ୍ରେଟାରୀଙ୍କୁ ପଚାରିଥିଲେ ଏ ଗୀତଟି ସେ କେବେ ଗାଇଲେ ? ସେକ୍ରେଟାରୀ ରଫି ସାହେବଙ୍କୁ କହିଥିଲେ ଏହି ଗୀତଟି ଜଣେ ନବାଗତ ଯୁବକ, ଅନଓ୍ୱାର ଗାଇଛନ୍ତି। ରଫି ସାହେବଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଉଥିବା ଅନଓ୍ୱାରଙ୍କୁ ରଫିଙ୍କ ପୁଅ ବୋଲି ଲୋକେ ଭାବୁଥିଲେ।

ମହମ୍ମଦ ରଫି

               ମେଲୋଡିଅସ୍ ଅନୱାର୍
୧୯୪୯ ମସିହା ଫେବୃୟାରୀ ପହିଲାରେ ମୁମ୍ବାଇରେ ଅନୱାରଙ୍କ ଜନ୍ମ। ବିଶିଷ୍ଠ ସଙ୍ଗୀତକାର ଅବଦୁଲ୍ ରେହେମାନଙ୍କ ଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରି ସଙ୍ଗୀତ ଜଗତରେ ପାଦ ଦେଇଥିଲେ। ଅଶି ଦଶକରେ ଶ୍ରୋତାଙ୍କ ମନରେ ସେ ଖୁବ୍ ଛାଇ ଯାଇଥିବା ଅନଓ୍ୱାର୍ ସୋନି ମେରେ ସୋନି ସୋନି, ରବସେ ଭି ଯ୍ୟାଦା ତେରା ନାମ୍ ଲେତାହୁଁ, ମହବତ୍ ଅବ୍ ତିଜାରା ବନଗୟା ପରି ଅନେକ ମନଛୁଆଁ ଗୀତ ଗାଇ ଲୋକପ୍ରିୟତା ସାଉଁଟିଛନ୍ତି। ଦିଲ୍ଲୀପ କୁମାରଙ୍କ ଅଭିନୀତ ବିଧାତା ଫିଲ୍ମର ତକଦୀର୍ ହେଁ କ୍ୟା ମେଁ ଜାନୁଁ,ମେଁ ଆସିକ୍ ହୁଁ ତକଦୀର୍ କା ଏହି ଗୀତ ଅନଓ୍ୱାରଙ୍କୁ ଖୁବ୍ ଲୋକପ୍ରିୟତା ଦେଇଥିଲା। ଦିଲ୍ଲୀପ୍ କୁମାର,ଅନୱାରଙ୍କୁ ଦେଖି ଭାବବିହ୍ୱଳ ହୋଇ ପ୍ରଖ୍ୟାତ ଗାୟକ ମହେନ୍ଦ୍ର କାପୁରଙ୍କ ପାଖକୁ ନେଇ  ଖୁବ୍ ପ୍ରଶଂସା କରିଥିଲେ।

ଅନଓ୍ୱାର

     ମୁଝସେ କ୍ୟା ଭୁଲ ହୁଇ
କୁରବାନୀ,କୁରବାନୀ,କୁରବାନୀ…ଆଲ୍ଲାକୋ ପ୍ୟାର୍ ହେ କୁରୁବାନୀ ଗାଇଥିବା ଅନୱାରଙ୍କ କ୍ଷେତ୍ରରେ ଅନେକ  କୁରବାନୀ ଦେବାକୁ ପଡିଛି। ଜନତା ହାବଲଦାର ସିନେମାରେ ‘ମୁଝସେ କ୍ୟା ଭୁଲ୍ ହୁଇ ଯୋ ୟେ ସଜା ହମକୋ ମିଲି,ଅବତୋ ଚାରୋ ହି ତରଫ୍ ବନ୍ଦ ହେ ଦୁନିୟା କି ଗଲି’ଗାଇଥିବା ସଙ୍ଗୀତର ଛାପ ଅନଓ୍ୱାରଙ୍କ ଜୀବନ ଉପରେ ପଡିଥିଲା। ଛୋଟ ଭୁଲ୍ ପାଇଁ ସେ ନିଜର ଚାହିଦା ହରାଇଥିଲେ। ମନମୋହନ ଦେଶାଇଙ୍କ ନସିବ୍ ଫିଲ୍ମରେ କଣ୍ଠଦାନ ପାଇଁ ୫ ହଜାର ବଦଳରେ ୬ ହଜାର ଟଙ୍କା ମାଗିବାରୁ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା। ସେବେଠୁ ମନମୋହନ ଦେଶାଇଙ୍କ କୌଣସି ଫିଲ୍ମରେ ଅନୱାରଙ୍କ ସ୍ୱର ଶୁଣିବାକୁ ମିଳିନଥିଲା। ବରଂ ରାଗରେ ମନମୋହନ ଦେଶାଇ ଅନଓ୍ୱାରଙ୍କ ବିକଳ୍ପ ଭାବେ ଗାୟକ ଶବୀର କୁମାରଙ୍କୁ ଲଞ୍ଚ କରାଇଥିଲେ।

ରିଶି କାପୁର-ମନମୋହନ ଦେଶାଇ

ସେହିଭଳି ରାଜକାପୁରଙ୍କ ନିର୍ଦ୍ଦେଶିତ ପ୍ରେମରୋଗୀ  ପିଲ୍ମ ପାଇଁ ଅନୱାରଙ୍କୁ ସୁଯୋଗ ମିଳିଥିଲା। ନିର୍ଦ୍ଧାରିତ ଟଙ୍କା ଠାରୁ ୧୦୦୦ ଟଙ୍କା ଅଧିକ ମାଗିବାରୁ ଆର.କେ ବ୍ୟାନର ସହ ଅନଓ୍ୱାରଙ୍କ ସଂପର୍କ କାଟିଦେଲେ ଋିଷି କାପୁର। ଧିରେ ଧିରେ ଚଳଚିତ୍ରରୁ  ତାଙ୍କର ସ୍ୱର ଶୁଣିବାକୁ ମିଳିଲା ନାହିଁ। ବାଧ୍ୟ ହୋଇ ଅନୱାର  ଚଳଚିତ୍ର ଜଗତ ଛାଡି ହୋଟେଲ୍ ଓ ମେଲୋଡିରେ ଗୀତ ଗାଇ ପରିବାର ପୋଷୁଛନ୍ତି।
ଏ ଷ୍ଟୋରୀ ଲେଖିଛନ୍ତି- ରଶ୍ମିତା ବେହେରା