ବାଟ ମାରଣା ହେଉଛି ପଞ୍ଚାୟତ ବିଭାଗର ଅର୍ଥ। ପଞ୍ଚାୟତ ବିଭାଗର ନିଜସ୍ୱ ଆୟର ଉତ୍ସ ଥିବାବେଳେ କୋଟି କୋଟି ଟଙ୍କା ସରକାରୀ ଖାତାକୁ ଯିବା ବଦଳରେ କରାଯାଉଛି ହରିଲୁଟ। ଆୟ ବାବଦକୁ ଆସୁଥିବା ଅର୍ଥ କେଉଁ ବାଟରେ ଖର୍ଚ୍ଚ ହେଉଛି ତାର ହିସାବ ମିଳୁନି। ବିଭିନ୍ନ ଉପାୟରେ ପଞ୍ଚାୟତକୁ ଆସୁଥିବା ଟଙ୍କାକୁ ଲୁଟୁଛନ୍ତି ସମ୍ପୃକ୍ତ କର୍ମଚାରୀ। କିଛି ଅସାଧୁ କର୍ମଚାରୀ ଏ ସବୁ ଟଙ୍କାକୁ ମନଇଛା କରୁଛନ୍ତି ଖର୍ଚ୍ଚ। ମାର୍କେଟ କମ୍ପ୍ଲେକ୍ସ ଏବଂ ବିଭିନ୍ନ ସୁତ୍ରରୁ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଆସୁଥିଲେ ବି ସେସବୁ ସରକାରୀ ଖାତାକୁ ଯାଉନି।

ଏମିତି କିଛି ପ୍ରସଙ୍ଗକୁ ନେଇ ଏବେ ବିଧାନସଭାରେ ଉଠିଛି ସ୍ୱର। ଖୋଦ୍ ଶାସକ ଦଳର ବିଧାୟକ ବଦ୍ରୀ ନାରାୟଣ ପାତ୍ର ଏ ନେଇ ବିଧାନସଭାରେ ତଥ୍ୟ ଆଗତ କରିଛନ୍ତି। ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟ ୧୯୬୪ ଅନୁଯାୟୀ ପଞ୍ଚାୟତକୁ ସରକାରୀ ଅନୁଦାନ ବ୍ୟତୀତ ନିଜସ୍ୱ ଅତିରିକ୍ତ ସମ୍ବଳ ସଂଗ୍ରହର ବ୍ୟବସ୍ଥା ରହିଛି। ଏହି ଆଧାରରେ ପଞ୍ଚାୟତ ଗୁଡ଼ିକରେ ବିଭିନ୍ନ ପନ୍ଥା ମାଧ୍ୟମରେ କର ଆଦାୟ କରି ପାଣ୍ଠି ବୃଦ୍ଧି କରିବା ସହ ବିକାଶମୂଳକ କାର୍ଯ୍ୟ ପାଇଁ ଖର୍ଚ୍ଚ କରାଯାଏ। ୨୦୧୯ରୁ ୨୦୨୧ ମଧ୍ୟରେ ନିଜର ଆୟ ବୃଦ୍ଧି କରିଛନ୍ତି ୨୨୬୯ଟି ପଞ୍ଚାୟତ। ସଂଗ୍ରହ ହୋଇଛି ୮୫ କୋଟି ୨୭ ଲକ୍ଷର ଅତିରିକ୍ତ ସମ୍ବଳ। ମାତ୍ର ଅନ୍ୟ ପଞ୍ଚାୟତରେ ଅତିରିକ୍ତ ସମ୍ବଳ ସଂଗ୍ରହ ହେଉଥିଲେ ସୁଦ୍ଧା ଏହାର କୌଣସି ଖାତା ଖତିୟାନ୍ ନାହିଁ।

ଅତିରିକ୍ତ ସମ୍ବଳ ବାଟ ମାରଣା ହେଉଥିବା ହେତୁ ବାଧାପ୍ରାପ୍ତ ହେଉଛି ପଞ୍ଚାୟତର ବିକାଶ। ବିଭିନ୍ନ ପଞ୍ଚାୟତରେ ଉନ୍ନୟନମୁଳକ କାର୍ଯ୍ୟରେ ଅର୍ଥ ବାଧା ସାଜୁଛି। ବିଧାନସଭାରେ ପଞ୍ଚାୟତ ଦୁର୍ନିତି ବିଷୟରେ ତଥ୍ୟ ରଖିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି,ସୁରେଶ କୁମାର ରାଉତରାୟ ଏବଂ ମୁକେଶ ମହାଲିଙ୍ଗ। ତେବେ ପଞ୍ଚାୟତର ଅତିରିକ୍ତ ସମ୍ବଳ ବାଟମାରଣା ହେଉଥିଲା ବେଳେ ସରକାର ଏ ଦିଗରେ କଣ ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା