ସ୍କୁଲ ଆସିବେନି ଦେଢ ଲକ୍ଷରୁ ଅଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ। ପ୍ରଭାବିତ ହେବ 40 ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା।50 ହଜାର ସ୍କୁଲରେ ପଡିବ ତାଲା। ସମୁହ ଛୁଟିରେ ଯିବେ ଲକ୍ଷାଧିକ ପ୍ରାଥମିକ ଶିକ୍ଷକ।ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ,କଳା ଏବଂ କ୍ରୀଡ଼ା ଶିକ୍ଷକଙ୍କ କ୍ଷେତ୍ରରେ କ୍ୟାରିୟର ଆଡ଼୍ଭାନ୍ସମେଣ୍ଟ ପଲିସି ଲାଗୁ,ଜୁନିୟର ଟିଚରଙ୍କୁ ରେଗୁଲାର ମାନ୍ୟତା ଏବଂ ଗଣଶିକ୍ଷକଙ୍କ ଏକ୍ସ କ୍ୟାଡର ହଟାଇବା ଦାବୀରେ ଆନ୍ଦୋଳନରେ ବସିଛନ୍ତି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ।
ସ୍କୁଲ ଆସି ଫେରୁଛନ୍ତି ଛାତ୍ରଛାତ୍ରୀ। କୋରାପୁଟରୁ ଆରମ୍ଭ କରି,ରାୟଗଡ଼ା,ପୁରୀ ଏବଂ ଅନୁଗୁଳରେ ସର୍ବାଧିକ ଶିକ୍ଷକ ଶିକ୍ଷୟତ୍ରୀ ଆନ୍ଦୋଳନରେ ବସିଥିବାରୁ ସ୍ଥିତି ଅଣାୟତ।ରାଜରାସ୍ତାରେ ଶିକ୍ଷକ ଆନ୍ଦୋଳନରେ ବସିଥିଲା ବେଳେ କ୍ୟାମ୍ପସରୁ କମୁଛି ଛାତ୍ରଛାତ୍ରୀଙ୍କ ଭିଡ।ଗଣଶିକ୍ଷା ସଚିବ ଏବଂ ବିଜେଡି ସାଂଗଠନୀକ ସମ୍ପାଦକଙ୍କ ଆଶ୍ୱାସନା ଫେଲ୍ ମାରିଛି। ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବୀରେ ଅଟଳ ରହିଛନ୍ତି ଆନ୍ଦୋଳନକାରୀ। ଆନ୍ଦୋଳନ ଭଣ୍ଡୁର କରିବାକୁ କରାଯାଉଥିବା ଚାଲକୁ ଫ୍ଲପ୍ କରିବାକୁ ଅଣ୍ଟା ଭିଡିଛନ୍ତି ଶିକ୍ଷକ। ମୁଖ୍ୟମନ୍ତ୍ରୀଙ୍କ ଡାଇରେକ୍ଟ ଇନଭଲ୍ପମେଣ୍ଟ ନ ହେଲେ ସେ ଏଥିରୁ ହଟିବେ ନାହିଁ ବୋଲି ଖୋଲାଖୋଲି ଦେଇଛନ୍ତି ଚ୍ୟାଲେଞ୍ଜ।
ଗୋଠାଏ ପଟେ ସରକାର ପ୍ରାଥମିକ ସ୍ତରରେ ଖାଲି ପଡିଥିବା ଶିକ୍ଷକଙ୍କ ପାଇଁ ପ୍ରକାଶ କରିଛନ୍ତି ନିଯୁକ୍ତି ବିଜ୍ଞପ୍ତି। 20 ହଜାର ଶିକ୍ଷକ ପଦବୀ ପୂରଣ ପାଇଁ ନେଉଛନ୍ତି ପଦକ୍ଷେପ।ଅନ୍ୟପଟେ ନିଯୁକ୍ତ ଶିକ୍ଷକଙ୍କ ଅସନ୍ତୋଷ ଦିନକୁ ଦିନକୁ ବଢିବାରେ ଲାଗିଛି।2017 ଏବଂ 2022ରେ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା। ମାତ୍ର ପ୍ରତିଶ୍ରୁତି ଦେଇ ଠକି ଦେଇଥିଲେ ସରକାର। ଗୁରୁଦିବସ ଭଳି ଦିନରେ ବି କଳାପଟି ବାନ୍ଧି ଆନ୍ଦୋଳନକୁ ଆସିଥିଲେ ଶିକ୍ଷକ ଶିକ୍ଷୟତ୍ରୀ।ତେବେ କଥା ହେଉଛି 5t ର କଥା କହୁଥିବା ରାଜ୍ୟ ସରକାର ସ୍କୁଲରେ ମୁଖ୍ୟ ଟି ବା ଟିଚରଙ୍କୁ କାହିଁକି ଦେଉ ନାହାନ୍ତି ଗୁରୁତ୍ୱ। ।5t ନାଁରେ ରାଜ୍ୟ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି କାହିଁକି ସମାଧାନ ହେଉନି ଶିକ୍ଷକ ସମସ୍ୟା। ବିନା ଶିକ୍ଷକରେ କାହାକୁ ନେଇ ଟିମ୍ ୱାର୍କ କରୁଛନ୍ତି ଶିକ୍ଷା ବିଭାଗ। ବିନା ଶିକ୍ଷକରେ କେମିତି ଚାଲିବ ଶିକ୍ଷା ବ୍ୟବସ୍ଥା।
Pgi index ରେ ଓଡ଼ିଶାର ନାଁ ତଳକୁ ଖସିବା, ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ସର୍ବ ପୂର୍ବତନ ବିଶ୍ୱବିଦ୍ୟାଳୟରେ ଗ୍ରେଡ୍ କମିବା, ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସ୍କୁଲ ଛାତରୁ ସିଲିଂ ଖସିବା, ରାଜ୍ୟର ବିଭିନ୍ନ ସ୍କୁଲରେ ନିମ୍ନମାନର କାମ କରି 5ଟି ଯୋଜନାକୁ ବାଟବଣା କରିବା ଆଦି ଖବର ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ଟାର୍ଗେଟ କରୁଥିଲା ବେଳେ ପ୍ରାଥମିକ ଶିକ୍ଷକଙ୍କ ପ୍ରତି ସରକାରଙ୍କ ପ୍ରତିଶ୍ରୁତି ପାଉଁଶ ହେଲା ପରେ ଆନ୍ଦୋଳନରେ ଥିବା ଶିକ୍ଷକ ସଂଘର ଦାବୀ ପୁରଣ ନ ହେଲେ ରାଜ୍ୟର ପ୍ରାଥମିକ ଶିକ୍ଷା ଭୁଷୁଡିଯାଇପାରେ।