ରାଷ୍ଟ୍ରପତି ନିର୍ବାଚନକୁ ପାଇଁ ଓଡ଼ିଶା ପଲିଟିକ୍ସର ଟେମ୍ପରେଚର ବୃଦ୍ଧି ପାଇଛି। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ବିଜୁ ଜନତା ଦଳ ଆଗରେ ଅଛି। ଅନ୍ୟପକ୍ଷରେ ଓଡ଼ିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟ କଂଗ୍ରେସ ସମର୍ଥନ ନକରିବାକୁ ସ୍ଥିର କରିଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ, ଓଡ଼ିଶାର ସ୍ୱାର୍ଥ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ କଂଗ୍ରେସ କରିବା ଲାଗି କହିଛନ୍ତି। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟି ସମର୍ଥନ ଭିକ୍ଷା କରିଛନ୍ତି।
ଏହାରି ମଧ୍ୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ଘୋଷଣା କରିଛନ୍ତି। ବିଜେଡିରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ବିଜେପି ନେତୃତାଧିନ ଏନଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ସମର୍ଥନ ଆଢୁଆଳରେ ପ୍ରଦୀପ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା। ଅବଶ୍ୟ ଏନେଇ ପ୍ରଦୀପ କୌରଷି ସ୍ପଷ୍ଟୀକରଣ ରଖି ନାହାନ୍ତି।

ବିଜେପି ମୁହାଁ ହେବେ କି ବିଜେଡି ବହିଷ୍କୃତ
ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ପ୍ରଦୀପ ପାଣିଗ୍ରାହୀ ଦ୍ରୌପଦୀଙ୍କୁ ସମର୍ଥନ କରିବା ସହିତ ନରେନ୍ଦ୍ର ମୋଦୀଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ।ମୋଦି ବିଭିନ୍ନ କ୍ଷେତ୍ରରେ ଓଡିଆଙ୍କୁ ଗୁରୁତ୍ୱ ଦେଉଥିବା ବଖାଣିଛନ୍ତି ପ୍ରଦୀପ । ଓଡ଼ିଆ ନେତାଙ୍କୁ କ୍ୟାବିନେଟରେ ସ୍ଥାନ ଦେବା ସହ ବିଭିନ୍ନ ସାମ୍ବିଧାନୀକ ପଦବୀରେ ଅନେକ ଓଡ଼ିଆଙ୍କୁ ସ୍ଥାନ ଦେଇଥିବା ସେ କହିଛନ୍ତି। ବିଜେଡିରେ ଥିବା ସମୟରେ ଅନେକ ସମୟରେ ବିଜେପିକୁ ସମାଲୋଚନା କରୁଥିବା ପ୍ରଦୀପ ମୋଦିଙ୍କୁ ପ୍ରଶଂସା କରିବାକୁ ଅନେକ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏଥିରେ ରାଜନୈତିକ ଗନ୍ଧ ବାରି ହେଉଥିବା ଚର୍ଚ୍ଚା ହେଉଛି ।ସୁଚନା ଥାଉକି ପ୍ରଦୀପ ତାଙ୍କର ଭାବି ସମୁଦୀ ଅଭୟ ପାଠକଙ୍କ ସମ୍ପୃକ୍ତି ମାମଲା ଓ ମନି ଲଣ୍ଡରିଙ୍ଗ କେସରେ ୨୦୨୦ରେ ଗିରଫ ହେବା ସହିତ ବିଜେଡିରୁ ବହିଷ୍କୃତ ହୋଇଥିଲେ।

ବିଭୁତି ଭୁଷଣ ଜେନା

ବିଭୁତି ନା ପ୍ରଦୀପ!
ବିଜେଡିରୁ ବହିଷ୍କୃତ ହେବାପରେ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପ୍ରଦୀପ ପାଣିଗ୍ରାହୀ ଜଣେ ଦକ୍ଷ ସଂଗଠକ। ୨୦୦୪ରେ ତାଙ୍କର ଦକ୍ଷତାକୁ ସମ୍ମାନ ଦେଇ ସ୍ୱୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ଦାୟିତ୍ତ୍ୱ ଦେଇଥିଲେ। ସୁଚାରୁରୂପେ ଦାୟିତ୍ତ୍ୱ ସମ୍ପାଦନ ପରେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଜିତି ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ପ୍ରଦୀପ ବିଜେଡି ଟିକେଟ ପାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ବିଜେଡ଼ି ସଭାପତି ଭାବେ ସେ ଦାୟିତ୍ତ୍ୱ ମଧ୍ୟ ଲିଭାଇଛନ୍ତି। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସେ ଗ୍ରାମ୍ୟ ଉନ୍ନୟନ,ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ଉଚ୍ଚଶିକ୍ଷା ଭଳି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହିଛନ୍ତି। ବିଜେଡ଼ିରୁ ବହିଷ୍କୃତ ହେବା ପରେ ଗିରଫ ହେବା ସହିତ କଳଙ୍କ ମୁଣ୍ଡାଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ତଥାପି ଗୋପାଳପୁର ରାଜନୀତିରେ ସେ ଜଣେ ପୁରୁଖା ନେତା। ଗୋପାଳପୁରରେ ଅନେକାଂଶରେ ବିଜେପିର ପକେଟ ଭୋଟ ରହିଛି। ୨୦୧୯ନିର୍ବାଚନରେ ବିଜେପି ପ୍ରାର୍ଥି ବିଭୁତି ଭୁଷଣ ଜେନା ୫୮,୯୫୫ ଭୋଟ୍ ହାତେଇଥିଲା ବେଳେ ବିଜେଡି ପ୍ରାର୍ଥି ପ୍ରଦୀପ ପାଣିଗ୍ରାହୀ ୬୧,୬୨୮ଭୋଟ୍ ହାତେଇ ମାତ୍ର ୨,୬୭୩ ଭୋଟ ବ୍ୟବଧାନରେ ଜିତିଥିଲେ। ଯଦି ପ୍ରଦୀପଙ୍କ ବିଜେପିରେ ଯୋଗଦାନ ସନ୍ଦେହ ସତ ହୁଏ ତେବେ ଗୋପାଳପୁରରେ ବିଜେପି କାହାକୁ ଭରସା କରିବ ଏନେଇ ଗୁଞ୍ଜରଣ ଆରମ୍ଭ ହୋଇଗଲାଣି। ଅଭିଜ୍ଞତା ଦୃଷ୍ଟିରୁ ପ୍ରଦୀପ ପାଣିଗ୍ରାହୀ ବରିଷ୍ଠ ହୋଇଥିଲା ସୁଦ୍ଧା ଦୁର୍ନିତିର ଛିଟା ତାଙ୍କ ଦେହରେ ଲାଗିସାରିଛି। ଅନ୍ୟପକ୍ଷରେ ବିଭୁତି ଭୁଷଣ ଜେନା ପାଖାପାଖି ଭୋଟ ପାଇ ତାଙ୍କ ଲୋକପ୍ରିୟତା ପ୍ରମାଣ କରିବା ସହିତ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଦାୟିତ୍ତ୍ୱ ଲିଭାଇଛନ୍ତି ।ତେବେ ଆଗାମୀ ନିର୍ବାଚନରେ ବିଭୁତି ବନାମ ପ୍ରଦୀପଙ୍କ ଲଢ଼େଇର ରୁପରେଖ କଣ ରହିବ ତାହା ଉପରେ ସମସ୍ତଙ୍କ ନଜର।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା